

ପୁରୀ, ୨୯ ଏପ୍ରିଲ୍ (ହି.ସ.) - ପୁରୀ ପୋଲିସ ପକ୍ଷରୁ ଏକ ବଡଧରଣର ଆଇପିଏଲ ବେଟିଂ ରାକେଟ ଠାବ କରିବା ସହ ୪ ଜଣକୁ ଗିରଫ କରିଛି । ସେମାନଙ୍କ ଠାରୁ ୬ଟି ମୋବାଇଲ, ୨୫ ଲକ୍ଷ ୩୫ ହଜାର ନଗଦ ଟଙ୍କା ଓ ବ୍ୟାଙ୍କ ପାସବୁକ ରେ ଥିବା ୩୧ ଲକ୍ଷ ୮୧ ହଜାର ୨୪୪ଟଙ୍କା ଫ୍ରିଜ କରାଯାଇଛି । ଏ ସମ୍ପର୍କରେ ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂଙ୍କ କହିଛନ୍ତି ଅତି ସତର୍କତାର ସହ ସାଇବର ଥାନା ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି । ଏ ସମ୍ପର୍କରେ ସାଇବର ଥାନାରେ ୧୮/୨୬ରେ ମାମଲା ରୁଜୁ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ପୁରୀଜିଲ୍ଲା ବାସେଳି ସାହି ଥାନା ମଶାଣିଚଣ୍ଡୀ ଛକର ପ୍ରସନ୍ନ ପୃଷ୍ଟି (୩୮), କୁମ୍ଭାରପଡ଼ା ଥାନା ବଡଶଙ୍ଖର ବି.ନାଗେଶ୍ୱର ରାଓ, ବାସେଳି ସାହି ଥାନା ମଶାଣିଚଣ୍ଡୀର ବିଶ୍ୱନାଥ ଲେଙ୍କା ଓ ଚନ୍ଦନପୁର ଥାନା ବୀରପ୍ରତାପପୁରର ରମାକାନ୍ତ ସାହୁଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାଇ ପୋଲିସ ପାଖରେ ଆଇପିଏଲ ବେଟିଂ ସମ୍ପର୍କରେ ସୂଚନା ମିଳିଥିଲା । ସାଇବର ଥାନା ଓ ବାସେଳି ସାହି ଥାନା ପୋଲିସ ମଶାଣିଚଣ୍ଡୀ ମନ୍ଦିର ନିକଟରେ ବେଟିଂ ରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ପୋଲିସ ରେଡ ସମୟରେ କିଛି ବ୍ୟକ୍ତିଙ୍କୁ ଧରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ । ସ୍କାଏ ଏକ୍ସଚେଞ୍ଜ ନାମରେ ବେଟିଂ କରାଯାଉଥିଲା । ଘଟଣା ସ୍ଥଳରେ ପୋଲିସ ୩ ଲକ୍ଷ ୪ ହଜାର ଟଙ୍କା ଜବତ କରିଥିଲା ପରେ ପରେ ପ୍ରସନ୍ନ ପୃଷ୍ଟିଙ୍କ ଘରୁ ୨୨ଲକ୍ଷ ୩୧ ହଜାର ଟଙ୍କା ପୋଲିସ ଜବତ କରିଥିଲା । ସେମାନଙ୍କ ବିଭିନ୍ନ ବ୍ୟାଙ୍କ ପାସବୁକରେ ଥିବା ୩୧ ଲକ୍ଷ ୮ ହଜାର ଟଙ୍କା ପୋଲିସ ଫ୍ରିଜ କରିଛି । ପୁରୀ ସହରରେ ୨ବର୍ଷ ଧରି ସେମାନେ ଏହି କାରବାର ଚଳାଇଥିଲେ । ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ପୋଲିସକୁ ଏହି ସଫଳତା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ