ନାକଚଣା ଦ୍ବାରରେ ଲାଗିଲା ତାଳଧ୍ବଜ ଓ ଦର୍ପଦଳନ
ପୁରୀ,୨ ଜୁଲାଇ (ହିସ)- ଶ୍ରୀମନ୍ଦିରରୁ ମା ଲକ୍ଷ୍ମୀ ସାଆନ୍ତାଣୀ ଆସି ଆଡପ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରଭୁଙ୍କୁ ବାହୁଡିବା ପାଇଁ ମୋହଚୂର୍ଣ୍ଣ ପକାଇଥିଲେ । ମା ଲକ୍ଷ୍ମୀଙ୍କ ଦେଢଶୁର ପାଖରେ ଥିବାରୁ ଗର୍ଭଗୃହ ଧଡକରି ପକାଯାଇଥିଲା । ଏଥିରେ ମା ରାଗିକରି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗି ହେରାଗୋହିରି ସାହିଦେଇ ବାହୁଡିଥିଲେ । ବୁଧବାର ଠାରୁ ବାହୁଡା ପାଇଁ ପ୍ରସ୍ତୁତ ପର୍ବ ଆରମ୍ଭ ହୋଇଛି । ଆଜି ସକାଳଧୂପ ନୀତି ପରେ ତିନି ଠାକୁରଙ୍କ ଆଜ୍ଞାମାଳ ତିନିଜଣ ପାଳିଆ ପୂଜାପଣ୍ଡା ହାତରେ ଧରି ତିନିରଥରରେ ଲାଗି କରିଥିଲେ । ଏହାପରେ ତିନିରଥର ଦକ୍ଷିଣମୋଡ ଆରମ୍ଭ ହୋଇଥିଲା । ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଠାରୁ ରଥ ମୋଡଖାଇ ତାଳଧ୍ବଜ ଓ ଦର୍ପଦଳନ ନାକଚଣା ଦ୍ବାର ଆସି ଲାଗିଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ପୋଲିସ ପ୍ରଶାସନ ପକ୍ଷରୁ ଟଣା ଯାଇଥିଲା । ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଓ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରଥ ଟାଣିଥିଲେ । ଶରଧାବାଲି ପୂର୍ବରୁ ବାଲିମୟ ଥିଲା । ପିଚୁ ହେବା ପରେ ରଥ ଚକର ମୋଡ ପାଇଁ ପିଚୁ ଉପରେ ବାଲି ପକାଯାଇଛି । ରଥ ଉପରେ ଘଣ୍ଟୁଆ ମାନେ ତାଳେ ତାଳେ ଘଣ୍ଟ ବଜାଉଥିଲେ । ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ଲାଗିଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସଂଧ୍ଯା ଓ ବର୍ଷା ଯୋଗୁ ଦକ୍ଷିଣମୋଡରେ ଆସି ବାଟରେ ଅଟକିଛି । ଗୁରୁବାର ସକାଳ ୯ଟାରେ ନନ୍ଦିଘୋଷ ରଥ ଟଣାଯାଇ ନାକଚଣା ଦ୍ବାରରେ ଲାଗିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ