ଯାତ୍ରା କମିଟି ସୁରକ୍ଷା ମଂଚର ଜିଲା ସ୍ତରୀୟ ବୈଠକ : ଟିକେଟ୍ ଦର କମାଇବାକୁ ଦାବି
ଧର୍ମଶାଳା, ୨୯ ଜୁଲାଇ(ହି.ସ.) - ଓଡିଶାରେ ଯାତ୍ରା କଳାର ଆଦର ବହୁ ପୁରାତନ । ଦିନକୁ ଦିନ ଏହା ଲୋକପ୍ରିୟ ହେବାରେ ଲାଗିଛି । ଉନ୍ନତ ଟେକନୋଲୋଜି ବ୍ୟବହାର ହୋଇ ସିନେମା ପ୍ରସ୍ତୁତ ହେଉଥିଲେ ବି ଯାତ୍ରା ଉପରେ ଏହାର ପ୍ରଭାବ ପଡି ନାହିଁ । ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ଯାତ୍ରା ପେଣ୍ଡାଲର
ଯାତ୍ରା କମିଟି ସୁରକ୍ଷା ମଂଚର ଜିଲା ସ୍ତରୀୟ ବୈଠକ : ଟିକେଟ୍ ଦର କମାଇବା ଦାବି


ଧର୍ମଶାଳା, ୨୯ ଜୁଲାଇ(ହି.ସ.) - ଓଡିଶାରେ ଯାତ୍ରା କଳାର ଆଦର ବହୁ ପୁରାତନ । ଦିନକୁ ଦିନ ଏହା ଲୋକପ୍ରିୟ ହେବାରେ ଲାଗିଛି । ଉନ୍ନତ ଟେକନୋଲୋଜି ବ୍ୟବହାର ହୋଇ ସିନେମା ପ୍ରସ୍ତୁତ ହେଉଥିଲେ ବି ଯାତ୍ରା ଉପରେ ଏହାର ପ୍ରଭାବ ପଡି ନାହିଁ । ଯାତ୍ରା କଳାକାରଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ଭିଡ ଜମି ଥାଏ । ଏହା ବ୍ୟତୀତ ଦର୍ଶକଙ୍କ ମନୋରଂଜନ ହେବା ସହ ଯାତ୍ରା କଳାକାର ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି । ଯାତ୍ରା କମିଟିମାନଙ୍କ ଦ୍ୱାରା ବିଭିନ୍ନ ମେଳା ମହୋତ୍ସବରେ ଯାତ୍ରା ମଂଚସ୍ଥ ହୋଇଥାଏ । କିନ୍ତୁ, ଦିନକୁ ଦିନ ଯାତ୍ରା ପାର୍ଟି ମାନଙ୍କର ଦର(ଭିଜିଟିଂ) ବଢିବା କାରଣରୁ କମିଟିମାନେ ଅନେକ ସମୟରେ କ୍ଷତି ସହିବାକୁ ପଡିଥାଏ । ଅନେକ ମଧ୍ୟବିତ ପରିବାର ଯାତ୍ରା ଦେଖିବାରୁ ବଂଚିତ ହେଉଛନ୍ତି । ଏ ଗ୍ରେଡ୍ ପାର୍ଟିର ଦର ରାତି ପିଛା ୩.୫ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦାବି କରିଥାନ୍ତି । ଖର୍ଚ୍ଚକୁ ହିସାବକୁ ନେଇ ଟିକେଟର ମୂଲ୍ୟ ୩୫୦ରୁ ୪ଶହ ଟଙ୍କା ଟିକେଟ ବିକ୍ରୀ କରିବାକୁ ପଡୁଛି । ଯାହାକି ଦର୍ଶକଙ୍କ ଉପରେ ପ୍ରଭାବ ପଡୁଛି । ଏନେଇ ମଙ୍ଗଳବାର ରସୁଲପୁର ବ୍ଲକ ହରିପୁରସ୍ଥ ଜଗନ୍ନାଥ ମଠ ପରିସରରେ ଯାତ୍ରା କମିଟି ସୁରକ୍ଷା ମଂଚ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଓ ରାଜ୍ୟ କମିଟିର ସଦସ୍ୟ ଯୋଗଦେଇ ବର୍ଦ୍ଧିତ ଦରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଯାତ୍ରା କମିଟିର ରାଜ୍ୟ ସଭାପତି ରଘୁନାଥ ମହାନ୍ତିଙ୍କ ସଭାପତିତ୍ୱରେ ରାଜ୍ୟ ଉପସଭାପତି ବୈକୁଣ୍ଠ ନାଥ ପାକଳ ଯୋଗଦେଇ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏଥିପାଇଁ ଜିଲା ସ୍ତରରେ ଯାତ୍ରା କମିଟି ମାନଙ୍କର ଏକ ସୁଦୃଢ ସଂଗଠନ କରିବାର ଆବଶ୍ୟକତା ରହିଛି ବୋଲି ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ । ଯାତ୍ରାରେ ଅଶ୍ଳିଳତା ଓ ଦ୍ୱିବୋଧକ ସଂଳାପକୁ ବନ୍ଦ କରିବା ପାଇଁ ମଧ୍ୟ ଦାବି ହୋଇଥିଲା । ସର୍ବୋପରି ଯାତ୍ରାର ଭବିଷ୍ୟତ ଦୃଷ୍ଟିରୁ ଯାତ୍ରା ପାଟି ମାନଙ୍କର ଭିଜିଟିଂ କମାଇବା ସହିତ ଯାତ୍ରା ଟିକେଟ୍ ମୂଲ୍ୟ କମ୍ କରିବା ଉପରେ ଗୁରୁତ୍ୱ ଦିଆଇଥିଲା । ଏଥିପାଇଁ ଆଗାମୀ ଜିଲା କମିଟି ଗଠନ କରାଯାଇ ଯାତ୍ରା ପାର୍ଟି ମାଲିକମାନଙ୍କ ସହିତ ବୈଠକ କରିବାକୁ ନିସ୍ପତି ଗ୍ରହଣ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ନୃସିଂହ ପ୍ରସାଦ ସୁନ୍ଦରାୟ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଜେନା, ରାଜ୍ୟ କମିଟି ସଦସ୍ୟ ମହେଶ୍ୱର ଦାସ, ସରୋଜ କୁମାର ସ୍ୱାଇଁ, ବାନାମ୍ବର ବାବୁ, ନରସିଂହପୁର ସରପଂଚ ପ୍ରଶାନ୍ତ କୁମାର ଦାସ ଓ ଆୟୋଜକ କମିଟିର ସଭାପତି ପିତାମ୍ବର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ମିଶ୍ର ମଂଚ ପରିଚାଳନା କରିଥିଲେ । ଅମୂଲ୍ୟ ବରାଳ ଅତିଥି ପରିଚୟ ଓ ପରମାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲାରୁ ୬୦ରୁ ଉର୍ଧ୍ୱ ଯାତ୍ରା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande