ଚମ୍ପୁଆରେ ବାହୁଡାଯାତ୍ରା
ଚମ୍ପୁଆ, , 5 ଜୁଲାଇ (ହି.ସ.) ଚମ୍ପୁଆ ସଦର ମହକୁମାରେ ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ଶ୍ରୀ ଦଧିବାମନ ଜୀଉଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ବୀର ଧନୁର୍ଜୟ ନାରାୟଣପୁର ସ୍ଥିତ ମାଉସୀ ମା ମନ୍ଦିରରେ ଆଜି ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତି ପୂଜା, ହୋ
ଚମ୍ପୁଆରେ ବାହୁଡାଯାତ୍ରା


ଚମ୍ପୁଆ, , 5 ଜୁଲାଇ (ହି.ସ.) ଚମ୍ପୁଆ ସଦର ମହକୁମାରେ ଦେବୋତ୍ତର ବିଭାଗ ତତ୍ତ୍ଵାବଧାନରେ ଶ୍ରୀ ଦଧିବାମନ ଜୀଉଙ୍କ ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ବୀର ଧନୁର୍ଜୟ ନାରାୟଣପୁର ସ୍ଥିତ ମାଉସୀ ମା ମନ୍ଦିରରେ ଆଜି ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତି ପୂଜା, ହୋମଯଜ୍ଞ ଶେଷ ହେବା ପରେ ଦିନ ତିନି ଘଟିକା ସମୟରେ ଶ୍ରୀ ଜୀଉ ମାନଙ୍କୁ ଗୋଟି ପହଣ୍ଡିରେ ସେବାୟତ ମାନେ ରଥାରୂଢ଼ କରିଥିଲେ। ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ରଥରେ ଛେରା ପହଁରା କରିଥିଲେ। ଅପରାହ୍ନ ପ୍ରାୟ ଚାରି ଘଟିକା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ଦେଇ ଭକ୍ତ ମାନେ ହର୍ଷୋଲ୍ଲାସର ସହ ରଥକୁ ଟାଣି ନେଇଥିଲେ। ପାଞ୍ଚଟା ବେଳକୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ଲାଗିଥିଲା। କୌଣସି ପ୍ରକାର ଅଘଟଣକୁ ଏଡାଇବା ପାଇଁ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଓ ଆଇଆଇସି ରମାକାନ୍ତ ମୁଦୁଲି ଉପସ୍ଥିତ ରହିଥିଲେ। ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତ ମାନେ ରଥ ଉପରକୁ ଯାଇ ପୂଜାର୍ଚ୍ଚନା ଓ ଭୋଗରାଗ କରିଛନ୍ତି। ଆସନ୍ତା ରବିବାର ବଡ଼ ଏକାଦଶୀ ଦିନ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବା ସହ ସୋମବାର ଦିନ ମହାପ୍ରଭୁ ରତ୍ନବେଦୀକୁ ବିଜେ କରିବେ। ପାଗ ଶୁଖିଲା ଥିବାରୁ ଆଖପାଖ ଅଞ୍ଚଳରୁ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଚମ୍ପୁଆ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରା ଯାଇଥିଲା। ଏନସିସି କ୍ୟାଡେଟ, ସ୍କାଉଟ, ଅଗ୍ନିଶମ ବାହିନୀ, ଜନସ୍ଵାସ୍ଥ୍ୟ ବିଭାଗ ଉପସ୍ଥିତ ରହି ସହଯୋଗ କରିଥିଲେ। ଚମ୍ପୁଆ ଦେବୋତ୍ତର ବିଭାଗ ଆନୁକୂଲ୍ୟରେ ପାଞ୍ଚ ହଜାର ଲୋକଙ୍କୁ ପ୍ରସାଦ ବିତରଣ କରା ଯାଇଥିଲା। ସେହିପରି ଚମ୍ପୁଆ ବ୍ଲକର ରିମୁଳି, ରାମତୀର୍ଥ, କରଞ୍ଜିଆ, ଭଣ୍ଡା, ସିଲିପୁଞ୍ଜି, କାଳିକାପ୍ରସାଦ, କାଟୁଳିକନା, ନିଉଣ୍ଡି, କୋଦୋଗାଡିଆ, ଅଡଙ୍ଗାପାଳ ଆଦି ସ୍ଥାନରେ ମହାପ୍ରଭୁଙ୍କ ବାହୁଡାଯାତ୍ରା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande