ଭଦ୍ରକ, ୫ ଜୁଲାଇ (ହି.ସ.) - ଧାମନଗର ବ୍ଲକ୍ ଝାଟିଆ ସାହିଠାରୁ ମଙ୍ଗଳପୁର ଯାଏ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତା। ଦୀର୍ଘଦିନ ଧରି ଏହି ରାସ୍ତା ବିପଦସଂକୁଳ ଅବସ୍ଥାରେ ଥିବା ବେଳେ ଏନେଇ କାହାରି ନଜର ପଡ଼ୁ ନଥିବା ପରିଲକ୍ଷିତ ହେଉଛି। ସୂଚନା ଅନୁସାରେ, ୭.୩୫କିମି ରାସ୍ତାର ନିର୍ମାଣ କାର୍ଯ୍ୟ ୨ ବର୍ଷ ହେଲା ଆରମ୍ଭ ହେଲାଣି କିନ୍ତୁ ୪କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ରାସ୍ତାଟି ଖାଲ, ଢିପରେ ପରିପୂର୍ଣ୍ଣ ହୋଇ ଗଲାଣି। କାର୍ଯ୍ୟ ଶେଷ ର ଅବଧି ଅକ୍ଟୋବର ୨୦୨୭ ଥିଲେ ମଧ୍ୟ ଏତେ ଯାଏଁ ନିର୍ମାଣ ହୋଇ ଥିବା ରାସ୍ତା ର ଅବସ୍ଥା କହିଲେ ନ ସରେ। ଲଗାଣ ବର୍ଷା ହେଲେ ରାସ୍ତାରୁ ପିଚୁ ଉଠି କେବଳ ବାଲି ଗୋଡ଼ି ଦେଖାଯାଉଛି। ରାସ୍ତା ରେ ବହୁ ଜାଗା କେବଳ ଖାଲ ଖମା ପୁଣି ମଙ୍ଗଳପୁରରେ ବଡ଼ ଗର୍ତ ସହ ରେବ ନଦୀର ପୋଲର ଦୁଇ ପାର୍ଶ୍ୱ, ଦୁଇ ଫୁଟ୍ ଲେଖାଏ ଦବିଗଲାଣି। ସେହିପରି ରାସ୍ତା ଓ କୋରୁଆ କେନାଲ ବି ଦବି ଯାଇଛି। ରାସ୍ତାର ଦୁରାବସ୍ଥା ନ କହିବା ଭଲ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁକମ୍ପା ମହିଳା ସଂଗଠନ ର ସଦସ୍ୟ ଗଣ ତଥା ସଭାପତି କବିତା ସାହୁ,ସମ୍ପାଦିକା ଅଞ୍ଜନା ମହାକୁଡ, ଉପ ସଭାପତି ବିମଳା ନାଥ, ନମିତା ପଣ୍ଡା, ସହ ସଂପାଦିକା ସସ୍ମିତା ଦାସ ପ୍ରମୁଖ ଦାବି ଜଣାଇଛନ୍ତି। ବିଭାଗୀୟ ଉପଖଣ୍ଡ ଅଧିକାରୀ ରଞ୍ଜନ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଲେ, ଖୁବ୍ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ