ସିଂହଦ୍ଵାରରେ ଲାଗିଲା ତିନିରଥ, ଆସନ୍ତାକାଲି ସୁନାବେଶ
ପୁରୀ, ୫ ଜୁଲାଇ (ହି.ସ.)- ଆଷାଢ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡ଼ା ଯାତ୍ରା । ଏହାକୁ ମଧ୍ୟ ଦକ୍ଷିଣାଭିମୁଖୀ ଯାତ୍ରା କୁହନ୍ତି । ଚତୁର୍ଦ୍ଧାମୂର୍ତିଙ୍କ ତିନିରଥ ସିଂହଦ୍ୱାର ଲାଗିଛି । ଆସନ୍ତାକାଲି ରବିବାର ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ନବମୀ ଦିନ ରାତିରେ ବଡସିଂହାର ବେ
ସିଂହଦ୍ଵାରରେ ଲାଗିଲା ତିନିରଥ, ଆସନ୍ତାକାଲି ସୁନାବେଶ


ପୁରୀ, ୫ ଜୁଲାଇ (ହି.ସ.)- ଆଷାଢ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡ଼ା ଯାତ୍ରା । ଏହାକୁ ମଧ୍ୟ ଦକ୍ଷିଣାଭିମୁଖୀ ଯାତ୍ରା କୁହନ୍ତି । ଚତୁର୍ଦ୍ଧାମୂର୍ତିଙ୍କ ତିନିରଥ ସିଂହଦ୍ୱାର ଲାଗିଛି । ଆସନ୍ତାକାଲି ରବିବାର ରଥାରୁଢ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ନବମୀ ଦିନ ରାତିରେ ବଡସିଂହାର ବେଶ, ପହୁଡ଼ଆଳତି ସରିବା ପରେ ଶ୍ରୀଜୀଉଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକ ମାନେ ଗମ୍ଭୀରାରୁ ବାହାରି ଆସିଥିଲେ । ପରେ ପରେ କୋଠସୁଆଁସିଆ ମାନେ ଚାରମାଳ ବାନ୍ଧିଥିଲେ । ଆଜି ସକାଳୁ ମଙ୍ଗଳଆଳତି, ଅବକାଶ, ସକାଳ ୮ଟା ୩୦ରେ ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ହୋଇଥିଲା । ପରେ ଦଇତାପତି ମାନେ ସେନାପଟା ଲାଗି କରିଥିଲେ । ବିଜେ କାହାଳି ବାଜିବା ପରେ ପୂର୍ବାହ୍ନ ୯ଟା ୫୫ରେ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ରେ ଶେଷ ହୋଇଥିଲା । ଜଗମୋହନ ପାଖରେ ଟାହିଆ ଲାଗି କରାଯାଇଥିଲା । ପରେ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ ପରେ ଶ୍ରୀବଳଭଦ୍ର, ଦେବୀ ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ରଥାରୁଢ ହୋଇଥିଲେ । ମଦନମୋହନ ନନ୍ଦିଘୋଷରେ ଓ ରାମକୃଷ୍ଣ ଦର୍ପଦଳନ ରଥରେ ବିଜେ ହୋଇଥିଲେ । ଘଂଟ ଘଂଟା, କାହାଳି ଓ ମୃଦଙ୍ଗର ତାଳେ ତାଳେ ପହଣ୍ଡ ପହଣ୍ଡ ପକାଇ ପହଣ୍ଡି ବିଜେ ହୋଇଥିଲେ । ଝୁଲି ଝୁଲି ହଲି ହଲି ଟାହିଆ ହଲାଇ ଆସିବାର ଦୃଶ୍ୟ ବେଶ୍ ମନମୁଗ୍ଧକର ହୋଇଥିଲା । ବିଗ୍ରହ ମାନଙ୍କୁ ରଥରେ ରୁନ୍ଧା ଯାଇଥିଲା । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାମଜାନରେ ଆସି ରଥ ପାଖରେ ପହଂଚିବା ପରେ ତିନିରଥରେ ଛେରାପହଁରା କରିଥିଲେ । ଅପରାହ୍ନ ୨ଟା ୪୦ରେ ଛେରାପହଁରା ଶେଷ ହୋଇଥିଲା । ପରେ ଅପରାହ୍ନ ୨ଟା ୫୦ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ୩ଟା ୩୦ରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଅପରାହ୍ନ ୪ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ହରିବୋଲ, ହୁଳୁହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ଶରଧାବାଲି ଓ ବଡଦାଣ୍ଡ । ବଡଦାଣ୍ଡରେ ଘରଘର୍ ନାଦ କରି ଶ୍ରୀମନ୍ଦିର ଅଭିମୁଖେ ଗଡିଥିଲା ତିନି ରଥ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରାତି ୮ଟା ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିଥିବା ବେଳେ ରାତି ୯ଟା ଖବର ଲେଖାଯିବା ସୁଦ୍ଧା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଂଚିଛି । ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଛି । ଏହାପରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଛି । ରବିବାର ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ମହଣ ମହଣ ସୁନାରେ ଝଲସିବେ ମହାପ୍ରଭୁ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande