ଜୟପୁର, 17 ସେପ୍ଟେମ୍ବର (ହି.ସ.) - ବୁଧବାର ବିକ୍ରମଦେଵ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ସେମିନାର କକ୍ଷଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅନ୍ତର୍ଗତ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ଅଧ୍ୟକ୍ଷତା କରିଥିଲେ । କୁଳପତି ଦେବୀ ପ୍ରସାଦ ମିଶ୍ର ଜୟପୁରର ସଫଳ ଉଦ୍ୟୋଗୀ ତଥା ସମାଜସେବୀ ଏବଂ ବିକ୍ରମଦେଵ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସୁବାଷ ରାଉତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ସୁବାଷ ରାଉତ ଛାତ୍ରଛାତ୍ରୀଙ୍କୁ ତାଙ୍କ ସଫଳତାର କାହାଣୀ କହିବାବେଳେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ସ୍କୁଲ ବେଳୁ କଠିନ ପରିଶ୍ରମ କରି ଚାହା ଦୋକାନରୁ କାମ ଆରମ୍ଭକରି ଉଦ୍ୟୋଗପତି ହୋଇଥିବା ସୁବାଷ ରାଉତ ଏବେ ପ୍ରତ୍ୟକ୍ଷ ଭାବେ ଚାରିଶହରୁ ଅଧିକା ଲୋକଙ୍କୁ ରୋଜଗାର ଦେଇଥିବା କହିଥିଲେ ।
ମୁଖ୍ୟବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚର ପୂର୍ବ, ପୂର୍ବୋତ୍ତର, ଦକ୍ଷିଣ ମଧ୍ୟ ଭାରତ କ୍ଷେତ୍ରର ସଂଗଠକ ଅନ୍ନଦା ଶଙ୍କର ପାଣିଗ୍ରାହୀ ଯୋଗଦେଇ ଦେଶରୁ ବେରୋଜଗାରି ସମାପ୍ତ କରିବାକୁ ହେଲେ ଉଦ୍ୟମିତା ମାଧ୍ୟମରେ ସ୍ଵ ରୋଜଗାର ସ୍ଥାପନ କରି ଦେଶକୁ ସମୃଦ୍ଧ କରାଯାଇପାରିବ ବୋଲି କହିଥିଲେ । ରୋଜଗାର କହିଲେ ଯେ ଚାକିରୀ ମାନସିକତାକୁ ବଦଳାଇ ସ୍ଵରୋଜଗାର ଆଡକୁ ଅଗ୍ରସର ହେବାପାଇଁ ଆହ୍ୱାନ ଦେଇଥିଲେ । dont be a job seeker, be a job provider ବୋଲି କହିଥିଲେ ।
ସ୍ବଦେଶୀ ଜାଗରଣ ମଞ୍ଚର ରାଜ୍ୟ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ ଛାତ୍ରଛାତ୍ରୀଙ୍କୁ ସ୍ବଦେଶୀ ବ୍ରତୀ ହେବାପାଇଁ ଶପଥ ପାଠ କରାଇଥିଲେ । ବିଶ୍ୱବିଦ୍ୟାଳୟ ପ୍ରବନ୍ଧକ ମହେଶ୍ୱର ନାୟକଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଶିକ୍ଷା ବିଭାଗର ସହକାରୀ ପ୍ରଫେସର ମନୋରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି