ଧର୍ମଶାଳା,୧୭ ସେପ୍ଟେମ୍ବର(ହି.ସ.) - ରାଜ୍ୟରେ ଦିନକୁ ଦିନ ସାପ କାମୁଡାରେ ବହୁ ଜନସାଧାରଣ ମୂଲ୍ୟବାନ ଜୀବନ ଯାଉଛି । ଫଳରେ ଅନେକ ପରିବାରକୁ ବହୁ ମୂଲ୍ୟ ଦେବାକୁ ପଡୁଛି । ସାପ କାମୁଡାରୁ କିପରି ଅଧିକରୁ ଅଧିକ ଜୀବନ ବଂଚା ଯାଇ ପାରିବ ଏନେଇ ଜନସାଧାରଣ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଉଛି । ଏହି ଅବସରରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାସ୍ଥିତ ହାଜି ରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳଙ୍କ ସଭାପତିତ୍ୱରେ ସାପ କାମୁଡା ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମବରଦା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ମୁଖ୍ୟ ଡାକ୍ତର ପି.ସୂର୍ଯ୍ୟକାନ୍ତ,ୟୁନାନୀ ଡାକ୍ତର ହୁସେନ ବେଗ୍,ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରଦୀପ ଦାସ,ଆଂଚଳିକ ସାଧନକେନ୍ଦ୍ର ସଂଯୋଜକ ବିଜୟ ଦାସ ଓ ଶିଶୁ ସୁରକ୍ଷା ଅଧିକାର କର୍ମୀ ମଂଟୁ ଦାସ ପ୍ରମୁଖ ଯୋଗ ଦେଇ ସାପ କାମୁଡା ଓ ନିରାକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ବିଶେଷ କରି ଅନ୍ଧ ବିଶ୍ୱାସକୁ ବିଶ୍ୱାସ ନ କରି ଆକ୍ରାନ୍ତଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେବାକୁ ପରାମର୍ଶ ଦିଆ ଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ସତ୍ୟ ପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ