ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.)- ସୋମବାର ବିହାରକୁ ରେଲୱେ ପକ୍ଷରୁ ବଡ ଉପହାର ମିଳିଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତିନୋଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଏବଂ ଚାରୋଟି ନୂତନ ପାସେଞ୍ଜର ଟ୍ରେନ୍ କୁ ସବୁଜ ପତକା ଦେଖାଇଛନ୍ତି । ଏହି ନୂତନ ଟ୍ରେନ୍ ର ଶୁଭାରମ୍ଭ କେବଳ ଉତର ଭାରତ ସହିତ ନୁହେଁ ବରଂ ଦକ୍ଷିଣ ଭାରତ ସହିତ ମଧ୍ୟ ବିହାରର ସଂଯୋଗକୁ ଆହୁରି ମଜବୁତ କରିବ ।
ରେଳମନ୍ତ୍ରୀ ବୈଷ୍ଣବ ଦରଭଙ୍ଗା-ଆଜମେର (ମଦାର), ମୁଜାଫରପୁର-ହାଇଦ୍ରାବାଦ (ଚର୍ଲପଲ୍ଲୀ) ଏବଂ ଛପରା-ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିମଧ୍ୟରୁ, ମୁଜାଫରପୁର-ଚର୍ଲପଲ୍ଲୀ ଏକ୍ସପ୍ରେସ ହେଉଛି ଦକ୍ଷିଣ ଭାରତକୁ ଯାତ୍ରା କରୁଥିବା ପ୍ରଥମ ଅମୃତ ଭାରତ ଟ୍ରେନ । ସେହିପରି ଛପରା-ଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ ବିହାରର ଷଷ୍ଠ ଟ୍ରେନ ହେବ ଯାହା ସିଧାସଳଖ ଦିଲ୍ଲୀକୁ ସଂଯୋଗ କରିବ । ଏହି ଟ୍ରେନଗୁଡ଼ିକ ଯାତ୍ରୀମାନଙ୍କୁ ଏକ ଦ୍ରୁତ, ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବ ।
ଅମୃତ ଭାରତ ଏକ୍ସପ୍ରେସକୁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଭାରତୀୟ ରେଳବାଇ ଦ୍ୱାରା ବିକଶିତ କରାଯାଇଛି । ଏଥିରେ ଅର୍ଦ୍ଧ-ସ୍ୱୟଂଚାଳିତ କପଲର, ଅଗ୍ନି ଚିହ୍ନଟ ପ୍ରଣାଳୀ, ସିଲ୍ ହୋଇଥିବା ଗ୍ୟାଙ୍ଗୱେ ଏବଂ ଟକ୍-ବ୍ୟାକ୍ ୟୁନିଟ୍ ଭଳି ଆଧୁନିକ ବୈଶିଷ୍ଟ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଥମ ଥର ପାଇଁ, ନନ୍-ଏସି କୋଚରେ ମଧ୍ୟ ଉନ୍ନତ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ସ୍ଥାପନ କରାଯାଇଛି । ବୈଷ୍ଣବ କହିଛନ୍ତି ଯେ, ଏହି ଟ୍ରେନ କେବଳ ଏକ ମିତବ୍ୟୟୀ ଏବଂ ଦ୍ରୁତ ଯାତ୍ରା ନୁହେଁ ବରଂ ଏହା ରେଳବାଇ ଆଧୁନିକୀକରଣର ପ୍ରତୀକ ମଧ୍ୟ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ