
କେନ୍ଦୁଝର, ୨୧ ଜାନୁଆରି (ହି.ସ.) - କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ୩ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କଲା କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ପୋଲିସ । ସେମାନଙ୍କ ନିକଟରୁ ୨ଗ୍ରାମ ଓଜନର ବ୍ରାଉନ୍ ସୁଗା,ର୍ ନଗଦ ୧୮,୧୦୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍ ଓ ଏକ କ୍ୟାମ୍ପର୍ ଗାଡ଼ି ଜବତ ହୋଇଛି। ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଡ଼ା ପୋଲିସ ଅଚାନକ ଚଢ଼ାଉ କରିଥିଲା । ବିଲେଇପଦା କଣ୍ଡ୍ରା ନିକଟରେ ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ, ମାଡ଼ି ବସିଥିଲା ପୋଲିସ । ସେଠାରୁ ବ୍ରାଉନ୍ ସୁଗାର୍ ଜବତ କରିବା ସହ, ଏହି କାରବାରରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଝାଡ଼ଖଣ୍ଡର ହୋଇଥିବା ବେଳେ, ଅନ୍ୟ ୨ଜଣ ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡ୍ରା ଅଂଚଳର ହୋଇଥିବା ନେଇ ଜଣାପଡ଼ିଛି । ଏମାନେ ଏହି ବ୍ୟବସାୟରେ ଲିପ୍ତ ରହି ଖଣି ଅଂଚଳର ଯୁବପୀଢ଼ୀଙ୍କୁ ପଥଭ୍ରଷ୍ଟ କରୁଥିବା ସୂଚନା ମିଳିଛି । ସେମାନଙ୍କୁ କୋର୍ଟ ଚାଲାଣ କରିବା ସହ ଏ ସମ୍ପର୍କରେ ଯୋଡ଼ା ପୋଲିସ୍ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA