
ସମ୍ବଲପୁର, ୨୧, ଜାନୁଆରୀ (ହି.ସ.) - ହିଣ୍ଡାଲକୋ ପାରିପାର୍ଶ୍ୱିକ ଉନ୍ନୟନ ବିଭାଗ ତରଫରୁ ହୀରାକୁଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ନବୀକରଣ କରାଯାଇଛି । ଦୁର୍ଗାମନ୍ଦିର ଛକ ନିକଟରେ ଥିବା ହୀରାକୁଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହର ପୁନରୁଦ୍ଧାରର ଆବଶ୍ୟକତାକୁ ଆଖି ଆଗରେ ରଖି ସରକାରଙ୍କ ସହ ମିଶି ସହଭାଗୀତାରେ ସମସ୍ତ ଶ୍ରେଣୀ ଗୃହର ନବୀକରଣ ଓ ପୁନରୁଦ୍ଧାର କରାଯାଇଛି । ଛାତ୍ରଛାତ୍ରୀ ମାନେ ଯେପରି ନିରାପତାରେ ଶ୍ରେଣୀ କକ୍ଷରେ ବସି ପଢିପାରିବେ ସେହିପରି ଉପଯୋଗୀ କରାଯାଇଛି । ଏହାକୁ ହୀରାକୁଦ କମ୍ପେ୍ଲକ୍ସର ମାନବ ସମ୍ବଳ ମୁଖ୍ୟ ବିଶ୍ୱାସ ସିନ୍ଦେ, ହୀରାକୁଦ କ୍ଲସ୍ଟରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦାନିଆଲ ବାରିକ ମିଳିତ ଭାବରେ ନବୀକରଣ ଶ୍ରେଣୀଗୃହ ଗୁଡିକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିଣ୍ଡାଲକୋ ସିଏସଆର୍ ବିଭାଗର ମୁଖ୍ୟ ଆନନ୍ଦ ଚକ୍ରବର୍ତୀ, ଉପଦେଷ୍ଟା ସୁକାନ୍ତ କୁମାର ମହାପାତ୍ର, ଜୟଶ୍ରୀ ରାଓ, ସରୋଜ କୁମାର ଆଚାର୍ଯ୍ୟ, ମିଲନ କୁମାର ସାହୁ ଓ ସନ୍ତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜିର ଏହି ବିଦ୍ୟାଳୟର ଶ୍ରେଣୀଗୃହ ନବୀକରଣ କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଧ୍ୟ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ତଥା ହିଣ୍ଡାଲକୋ ମାନବ ସମ୍ବଳ ମୁଖ୍ୟ ବିଶ୍ୱାସ ସିନ୍ଦେ କହିଥିଲେ ଯେ ହୀରାକୁଦ ଅଂଚଳର ସାମଗ୍ରିକ ବିକାଶ ପାଇଁ ହିଣ୍ଡାଲକୋ ସଦା ସର୍ବଦା କାର୍ଯ୍ୟ କରିଆସୁଛି । ବିଶେଷକରି ଶିକ୍ଷା କ୍ଷେତ୍ରରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପଂଚସଖା ସେତୁର ସଭାପତି ବିରେନ୍ଦ୍ର କୁମାର ଜେନା, ଉପସଭାପତି କାର୍ତିକ କଲେତ, ପ୍ରଧାନ ଶିକ୍ଷୟିତ୍ରୀ ସୁଦେଶ୍ନା ସାହୁ, ପୂର୍ବତନ ସିଆରସିସି ନମିତା ଧଳ, ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ମହନ୍ତ, ବବନ ସିଂଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ,ଅଭିଭାବିକା ଓ ସାଧାରଣ ବହୁସଂଖ୍ୟାରେ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦେଶ୍ନା ସାହୁ, ହିଣ୍ଡାଲକୋ ଏହି ମହତ୍ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ହିଣ୍ଡାଲକୋ ଦ୍ୱାରା ତାଙ୍କରି ବିଦ୍ୟାଳୟର କରାଯାଉଥିବା ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ହିଣ୍ଡାଲକୋ'କୁ ଅନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ