
*ବୋଡ଼େନରେ ପାତାଳଗଙ୍ଗା ମହୋତ୍ସବ: ନୂଆପଡ଼ା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା*
ନୂଆପଡା, ୨୪ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲାର ବୋଡେନ ବ୍ଲକରେ ପ୍ରସିଦ୍ଧ ପାତାଳଗଙ୍ଗା ମହୋତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହେଉଛି। ମହୋତ୍ସବ ସ୍ଥଳରେ ଜନସାଧାରଣଙ୍କ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନୂଆପଡ଼ା ପୋଲିସ ପକ୍ଷରୁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଉଭୟ ସବଡିଭିଜନର ଅଫିସର ଏବଂ ସିଭିଲ ପୋଲିସ ଉତ୍ସଵ ସ୍ଥଳରେ ସୁରକ୍ଷା ଦାୟୀତ୍ୱରେ ଅଛନ୍ତି। ଏହା ସହିତ, ଯଥେଷ୍ଟ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି। ପୋଲିସ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ଜନସାଧାରଣ ନିଜର କୌଣସି ଅସୁବିଧା ସମ୍ପର୍କ ଜଣେଇ ପାରିବେ। ଚୋରି ଏବଂ ଛିନ୍ତାଇ ରୋକିବା ପାଇଁ ସ୍ଵତନ୍ତ୍ର ପୋଲିସ ଟିମ ମୁତୟନ କରାଯାଇଛି l ଉତ୍ସବ ସ୍ଥଳରେ ସିସିଟିଭି କ୍ୟାମେରା ଲଗାଯାଇ ସ୍ଥିତି ଉପରେ କଡ଼ା ନଜର ରଖାଯାଉଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଉତ୍ସବ ସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ସେ ଉତ୍ସବରେ ଆସୁଥିବା ଲୋକମାନେ ଯେପରି ଉତ୍ସବର ମଜା ନେଇ ପାରିବେ ଏବଂ ଏକ ଭଲ ଅନୁଭୂତି ନେଇ ଫେରିବେ, ସେଥି ପ୍ରତି ଧ୍ୟାନ ଦେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ