

ବଲାଙ୍ଗିର, 07 ଜାନୁଆରି (ହି.ସ.)
କାଠ ଚୋରାଚାଲାଣ ରୋକିବା ଏବଂ କାଠ ଚୋରାଚାଲାଣକାରୀ ଅଭିଯୁକ୍ତଙ୍କୁ ପାନେ ଦେବା ଲକ୍ଷ୍ୟ ନେଇ ସହରରେ ବଲାଙ୍ଗୀର ବନବିଭାଗ ପକ୍ଷରୁ ମଙ୍ଗଳଵାର ଏକ ଚଢ଼ାଉ କରାଯାଇଥିଲା । ତୁଳସୀ ନଗର ଦୁର୍ଗା ମଣ୍ଡପ ରୁ ଶାଗୁଆନ ଗଣ୍ଡୀ ଜବତ କରିବା ସହ ଏହି ସଂକ୍ରାନ୍ତରେ ବଲାଙ୍ଗିର ରେଞ୍ଜରେ ଏକ ମାମଲା (ଇଉ ଡି କେସ ନଂ ୧୩/୨୫-୨୬) ରୁଜୁ କରାଯାଇଥିଲା । ଆଜିର ଏହି ଚଢ଼ାଉ ଅଭିଯାନରେ ବଲାଙ୍ଗିର ବନବିଭାଗ ଟିମ୍ ସାମିଲ୍ ଥିଲା l ତୁଳସୀ ନଗର ଦୁର୍ଗା ମଣ୍ଡପରୁ ପ୍ରାୟ ୫୦ ହଜାର ଟଙ୍କାର ମୂଲ୍ୟବାନ୍ ଶାଗୁଆନ କାଠ ସାମଗ୍ରୀ ଜବତ କରିଥିବା ଜଣାପଡିଛି । ବଲାଙ୍ଗୀର ଡିଏଫ୍ଓ ଅଜିତ ବିଶିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ବଲାଙ୍ଗୀର ରେଞ୍ଜ କର୍ମଚାରୀମାନେ ଦୁର୍ଗା ମଣ୍ଡପରେ ଚଢ଼ାଉ କରିଥିଲେ । ସେଠାରୁ ମୂଲ୍ୟବାନ୍ ଶାଗୁଆନ୍ ୪ଖଣ୍ଡ ଗଣ୍ଡୀ ପ୍ରାୟ ଏକ କ୍ୟୁଣ୍ଟlଲ, ୧୫ସିଏଫ୍ଟି ଜବତ କରିଥିଲେ । ସୂଚନା ଅନୁଯାଇ ବଲାଙ୍ଗିର ସହର ର ସର୍ବ ବୃହତ୍ ମହାରାଣୀ ସାଗର ଆଡ଼ିବନ୍ଧ ନିକଟରେ ବିଭିନ୍ନ ପ୍ରକାର ବଡ଼ ବଡ଼ ପୁରୁଣା ଗଛ ଥିବାବେଳେ ସେଥି ମଧ୍ୟରୁ ବହୁ ବର୍ଷର ଏକ ପୁରୁଣା ଶାଗୁଆନ ଗଛକୁ କାଟି ଦେଇ ତାର ଗଣ୍ଡି ଗୁଡିକକୁ ତୁଳସୀ ନଗର ଦୁର୍ଗା ମଣ୍ଡପ ଠାରେ ଲୁଚେଇ ରଖିଥିବା ବନ ବିଭାଗକୁ ଏକ ବିଶ୍ଵସ୍ତ ସୁତ୍ରରୁ ଖବର ମିଳିଥିଲା l ବଲାଙ୍ଗିର ଡିଏଫ୍ଓଙ୍କ ନିର୍ଦ୍ଦେଶ ପରେ ବନବିଭାଗ ପକ୍ଷରୁ ଚଢାଉ କରି ଶାଗୁଆନ କାଠ ଜବତ କରାଯାଇଥିଲା l ବଲାଙ୍ଗୀର ଜିଲାରେ କାଠ ମାଫିଆ ଏବଂ କାଠ ଚୋରଙ୍କୁ ସାବାଡ୍ କରିବା ପାଇଁ ବଲାଙ୍ଗୀର ବନବିଭାଗ ପକ୍ଷରୁ ଆଗକୁ ମଧ୍ୟ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବନବିଭାଗର ମୋ ସବୁଜ ବଲାଙ୍ଗୀର ଆଫ୍ ଇନ୍ଷ୍ଟଲ କରି ବନ ବିଭାଗକୁ ଗୋପନୀୟ ସୂଚନା ଦେବା ସହ ଗଛର ସୁରକ୍ଷା ଦିଗରେ ଭାଗିଦାରୀ ହେବାକୁ ଡିଏଫ୍ଓ ବିଶି ଆହ୍ୱାନ ଜଣାଇଛନ୍ତି । ମହାରାଣୀ ସାଗର ଆଡିବନ୍ଧ ନିକଟରୁ କଟାଯାଇଥିବା ଶାଗୁଆନ ଗଛ ନେ଼ଇ ତଦନ୍ତ ଚାଲିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି l ଶାଗୁଆନ ଗଛ କଟାଳି ମାନଙ୍କୁ ଧରିବାକୁ ବନବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରଯାଇଥିବା ଜଣାପଡିଛି l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ