
ନୂଆପଡ଼ା, ୮ ଜାନୁଆରୀ ( ହି.ସ. )- ନୂଆପଡା ଜିଲ୍ଲାର ଖଡିଆଳ ସହରରେ ଦିନକୁ ଦିନ ପାର୍କିଂ ସମସ୍ୟା ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ସୂଚନା ମତେ ଖଡିଆଳ ହେଉଛି ନୂଆପଡା ଜିଲ୍ଲାର ବୃହତମ ସହର । ଏହି ସହର ଉପରେ ନୂଆପଡା ଜିଲ୍ଲାର ଲୋକେ ନିର୍ଭର କରୁଥିବା ବେଳେ ଜନସଂଖ୍ୟା ଏବଂ ଯାନବାହାନ ସଂଖ୍ୟା ହୁହୁ ଭାବରେ ବୃଦ୍ଧି ପାଉଛି । ହେଲେ ପାର୍କିଂର କୌଣସି ସୁବିଧା ନଥିବାରୁ ଯାନବାହାନ ଚାଳକ ମାନେ ଜାତୀୟ ରାଜପଥର ମଧ୍ୟ ଭାଗରେ ଗାଡି ସବୁ ପାର୍କିଂ କରୁଛନ୍ତି । ବିଶେଷକରି ୪ ଚକିଆ ଯାନ ସବୁ ପାର୍କିଂ ହେଉଥିବାରୁ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି । ଗୋଟିଏ ପାର୍ଶ୍ବରୁ ଗାଡି କ୍ରସ କଲା ବେଳେ ଅନ୍ୟପଟ ଗାଡି ସହିତ ଧକ୍କା ଖାଇବାର ଯଥେଷ୍ଟ ସମ୍ଭାବନା ରହିଛି ।
ସେହିପରି ରାଣିପୁର ପେଟ୍ରୋଲ ବ୍ୟାଙ୍କର ଉଭୟ ପାର୍ଶ୍ବରେ ଭାରୀଯାନ ସବୁ ରହୁଥିବାରୁ ପେଟ୍ରୋଲ ଭରି ମୁଖ୍ୟ ରାସ୍ତାକୁ ଆସିବା ସମୟରେ ଦୁର୍ଘଟଣା ଘଟୁଛି । ଏନେଇ ପେଟ୍ରୋଲ ପମ୍ପର କର୍ମକର୍ତାଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନାହିଁ । ପୋଲିସ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଲେ ଯାତ୍ରୀଙ୍କ ଜୀବନ ନିରାପଦ ହୋଇପାରିବ ବୋଲି ଅଂଚଳବାସୀ ମତବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ