
କେନ୍ଦୁଝର, 10 ଅକ୍ଟୋବର (ହି.ସ.) ପୁଣି ବଢ଼ିଲା ରାଜା ଚକ୍ରଙ୍କ ଅଡ଼ୁଆ। ଗୋଟିଏ ପରେ ଗୋଟିଏ ମାମଲାକୁ ନେଇ ଚର୍ଚ୍ଚାରେ ରାଜା ଚକ୍ର। ପୂର୍ବରୁ ଶୁଆକାଟି ସ୍ଥିତ ଗନ୍ଧମାର୍ଦନ ଲୋଡିଂ ଏଜେନ୍ସିରେ ଅର୍ଥ କାରବାର ସମ୍ପର୍କିତ ମାମଲାରେ ଗତ ବର୍ଷ ମାର୍ଚ୍ଚ ମାସରେ ED ତାଙ୍କୁ ଗିରଫ କରିଥିବା ବେଳେ, ଏବେ ପୁଣି ଏକ କ୍ରସର କିଣାବିକା ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
କ୍ରସର ମାଲିକଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଆରମ୍ଭ କରିଛି EOW। ଆଜି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୁନଝରଣ ଗାଁରେ ପହଞ୍ଚି ସରଜମିନ ତଦନ୍ତ କରିଛି ତଦନ୍ତକାରୀ ଟିମ୍। ତେବେ ଏହି ମାମଲାରେ ଆଗକୁ କେଉଁ ଦିଗ ସାମ୍ନାକୁ ଆସୁଛି, ତାହା ଉପରେ ରହିଛି ନଜର ।
ସୂଚନା ଅନୁଯାୟୀ, କ୍ରସର କିଣାବିକାକୁ ନେଇ ଶୁଆକାଠୀ ସ୍ଥିତ ଜଣେ କ୍ରସର ମାଲିକ EOWର ଦ୍ୱାରସ୍ଥ ହେବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିଛି। ଏହି କ୍ରମରେ ଜଣେ ଡିଏସ୍ପିଙ୍କ ନେତୃତ୍ୱରେ EOWର ଏକ ଟିମ୍ ନୁନ ଝରଣ ଗାଁରେ ପହଞ୍ଚିଥିଲା। ସେଠାରେ ସଦର ଥାନା ପୋଲିସ ଟିମ୍ ଏବଂ ସଦର ତହସିଲଦାରଙ୍କ ସହ ତାଙ୍କ ଟିମ୍ ମିଳିତ ଭାବେ ସରଜମିନ ତଦନ୍ତ କରିଥିଲେ। ଏହା ସହ ସମ୍ପୃକ୍ତ ସ୍ଥାନର ମାପଚୁପ ମଧ୍ୟ କରାଯାଇଥିଲା । ଅନ୍ୟପଟେ, ପୂର୍ବ ମାମଲାରେ ଗତବର୍ଷ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ରାଜା ଚକ୍ର ବର୍ତ୍ତମାନ ବାଲେଶ୍ୱର ଜେଲରେ ଥିବା ଜଣାପଡ଼ିଛି।
ତେବେ କ୍ରସର କିଣାବିକା ମାମଲାରେ EOWର ଏହି ସରଜମିନ ତଦନ୍ତ ପରେ ଆଗକୁ କି ପଦକ୍ଷେପ ନିଆଯାଉଛି ଏବଂ ତଦନ୍ତରୁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA