ଅନ୍ତର୍ଜାତୀୟ ବାଳିକା ଦିବସରେ ସାଇକେଲ ରାଲି ମାଧ୍ୟମରେ ସଚେତନତା
ଜୟପୁର, ୧୨ ଅକ୍ଟୋବର (ହି.ସ.)- ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜୟପୁର ସିଟି ହାଇସ୍କୁଲର ଛାତ୍ରୀମାନେ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସିୱା ମିଳିତ ଭାବେ ବାଳିକା ଶିକ୍ଷା, ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଉପରେ ଏକ ସାଇକେଲ ସଚେତନତା ରାଲି ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ନେତୃତ୍ୱ ସି
ଅନ୍ତର୍ଜାତୀୟ ବାଳିକା ଦିବସରେ ସାଇକେଲ ରାଲି ମାଧ୍ୟମରେ ସଚେତନତା ସୃଷ୍ଟି


ଜୟପୁର, ୧୨ ଅକ୍ଟୋବର (ହି.ସ.)- ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ଜୟପୁର ସିଟି ହାଇସ୍କୁଲର ଛାତ୍ରୀମାନେ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସିୱା ମିଳିତ ଭାବେ ବାଳିକା ଶିକ୍ଷା, ମହିଳା ସଶକ୍ତିକରଣ ଓ ଲିଙ୍ଗଗତ ସମାନତା ଉପରେ ଏକ ସାଇକେଲ ସଚେତନତା ରାଲି ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମର ନେତୃତ୍ୱ ସିୱା ର ଉପସଭାପତି ଜି. ଭେଙ୍କଟ ରେଡ୍ଡୀ ନେଇଥିଲେ। ଏହି ରାଲି ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇ ନେହେରୁନଗର, ଏମ୍.ଜି. ରୋଡ୍, ମେନ୍ ରୋଡ୍, ଏନ୍.କେ.ଟି. ରୋଡ୍, ପି.ଆର୍. ପେଟା ଓ କୁମ୍ଭାର ସାହି ଦେଇ ହରିଶ୍ଚନ୍ଦ୍ରଗୁଡ଼ା ଗ୍ରାମରେ ପହଞ୍ଚିଥିଲା। ଛାତ୍ରୀମାନେ “ବେଟି ବଚାଓ, ବେଟି ପଢ଼ାଓ” ଆଦି ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ଝିଅମାନଙ୍କୁ ଶିକ୍ଷାଦାନ କରିବା, ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ସୁଯୋଗ ଦେବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ ହେବାକୁ ପ୍ରୋତ୍ସାହିତ କରିବା ପାଇଁ ଅଭିଭାବକମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଝିଅ ଓ ପୁଅଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ସିୱା ର ସଭାପତି ଅଜୟ କୁମାର ମିଶ୍ର ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ। ଏହା ପରେ ପ୍ରଶିକ୍ଷକ ସୁନୀଲ ପରଜା ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ନିଜକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ କୌଶଳ ଶିଖାଇବା।ଏହି ସଚେତନତା ରାଲିରେ ସିୱା ର ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକଙ୍କ ସହିତ ପ୍ରଦୀପ୍ତ କୁମାର ସାହୁ, କେ. ମୋହନ ରାଓ, ଏସ୍. ରାଜଶେଖର, ଶିବ ପ୍ରସାଦ, ଧନପତି ପରଜା ଓ ଶ୍ରୀମତୀ କାବ୍ୟାଞ୍ଜଳି ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାଳିକାମାନଙ୍କୁ ଶିକ୍ଷିତ, ସଶକ୍ତ ଓ ସୁରକ୍ଷିତ କରିବା ଏକ ସମାନତାଭିତ୍ତିକ, ସୁରକ୍ଷିତ ଓ ପ୍ରଗତିଶୀଳ ସମାଜ ଗଠନର ମୁଖ୍ୟ ଆଧାର ବୋଲି ବାର୍ତ୍ତା ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande