ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍ଯାପିତ, ଯୋଗଦେଲେ ନୀତି ଆୟୋଗ ସଦସ୍ୟ ଶ୍ରୀ ରାଜୀବ ଗୌବା
“ରାଜ୍ୟ ରାଜଧାନୀରୁ ସହର ପରିଚାଳନା ସମ୍ଭବ ନୁହେଁ”: ଶ୍ରୀ ଗୌବା ଭାରତର ବିକାଶ ସମ୍ଭାବନା ଉନ୍ମୋଚନ ପାଇଁ ସଶକ୍ତ ନଗର ପ୍ରଶାସନ ଆବଶ୍ୟକ ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.) ନୀତି ଆୟୋଗ ସଦସ୍ୟ ଶ୍ରୀ ରାଜୀବ ଗୌବା ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେଇ ନିଜ ବକ୍ତ
ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍ଯାପିତ, ଯୋଗଦେଲେ ନୀତି ଆୟୋଗ ସଦସ୍ୟ ଶ୍ରୀ ରାଜୀବ ଗୌବା


“ରାଜ୍ୟ ରାଜଧାନୀରୁ ସହର ପରିଚାଳନା ସମ୍ଭବ ନୁହେଁ”: ଶ୍ରୀ ଗୌବା

ଭାରତର ବିକାଶ ସମ୍ଭାବନା ଉନ୍ମୋଚନ ପାଇଁ ସଶକ୍ତ ନଗର ପ୍ରଶାସନ ଆବଶ୍ୟକ

ନୂଆଦିଲ୍ଲୀ, 25 ଅକ୍ଟୋବର (ହି.ସ.) ନୀତି ଆୟୋଗ ସଦସ୍ୟ ଶ୍ରୀ ରାଜୀବ ଗୌବା ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ‘ବିକଶିତ ଭାରତ @ ୨୦୪୭’ର ସ୍ୱପ୍ନକୁ ସାକାର କରିବା ପାଇଁ ସହରୀ ପ୍ରଶାସନ, ଯୋଜନା ଏବଂ ଆର୍ଥିକ ପରିଚାଳନାରେ ସାମଗ୍ରିକ ସଂସ୍କାରର ଜରୁରୀ ଆବଶ୍ୟକତା ରହିଛି।

ଭାରତର ଜନସଂଖ୍ୟା ଏବଂ ସହରୀକରଣ ରୂପାନ୍ତରଣ ପ୍ରକ୍ରିୟାର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ଗୌବା ଉଲ୍ଲେଖ କରିଛନ୍ତି, ଭାରତର ଜନସଂଖ୍ୟା ଆଗାମୀ କିଛି ଦଶନ୍ଧି ଧରି ବୃଦ୍ଧି ପାଇବ ଏବଂ ୨୦୬୦ ମସିହା ଆଡ଼କୁ ପ୍ରାୟ ୧୬୫ କୋଟିରେ ପହଞ୍ଚିବା ସମ୍ଭାବନା ରହିଛି। ୨୦୫୦ ମସିହା ସୁଦ୍ଧା ଭାରତର ପ୍ରାୟ ଅଧା ଜନସଂଖ୍ୟା ସହରାଞ୍ଚଳରେ ବାସ କରିବାର ସମ୍ଭାବନା ଥିବାରୁ, ସହରୀ ଜନସଂଖ୍ୟା ବର୍ତ୍ତମାନର ପ୍ରାୟ ୫୦ କୋଟିରୁ ବୃଦ୍ଧି ପାଇ ୮୫ କୋଟି ହେବ ବୋଲି ଆକଳନ କରାଯାଇଛି। ସହରୀ ଜନସଂଖ୍ୟା ପାଇଁ ଭିତ୍ତିଭୂମି, ବାସଗୃହ ଏବଂ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ସହରଗୁଡ଼ିକର ଯୋଜନା, ଶାସନ ଏବଂ ଆର୍ଥିକ ପ୍ରବନ୍ଧନ ପ୍ରଣାଳୀରେ ମୌଳିକ ପରିବର୍ତ୍ତନର ଆବଶ୍ୟକତା ରହିଛି।

ସହରଗୁଡ଼ିକୁ ଆର୍ଥିକ ବିକାଶର କେନ୍ଦ୍ର ବିନ୍ଦୁ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି, ଏଠାରେ ଦକ୍ଷତା, ପୁଞ୍ଜି ଏବଂ ବିଚାରର ସମ୍ମିଳନ ଘଟେ। ଯୋଜନାବଦ୍ଧ ସହରାଞ୍ଚଳ ବସତିକୁ ନେଇ ଭାରତ ପାଖରେ ସମୃଦ୍ଧ ଇତିହାସ ରହିଥିବା ସତ୍ତ୍ୱେ, ସ୍ୱାଧୀନତା ପରବର୍ତ୍ତୀ

ସମୟରେ ସହରଗୁଡ଼ିକ ଆପେକ୍ଷିକ ଅବହେଳାର ଶିକାର ହୋଇଥିଲେ। ୨୦୧୪ ମସିହା ପରଠାରୁ, ସ୍ମାର୍ଟ ସିଟି, ଅମୃତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଏବଂ ସହରୀ ଜୀବିକା ମିଶନ ଭଳି କେତେକ ବୃହତ୍ ମିଶନ ଜରିଆରେ ମିଳିତ ଉଦ୍ୟମ କରାଯାଇଛି। ସହରାଞ୍ଚଳ କ୍ଷେତ୍ର ପାଇଁ ବଜେଟ୍ ଆବଣ୍ଟନ ୧୦ ଗୁଣ ବୃଦ୍ଧି ପାଇଛି। ମେଟ୍ରୋ ରେଲ୍ ଏବଂ ବସ୍ ବ୍ୟବସ୍ଥାରେ ପ୍ରାୟ ୩.୭ ଲକ୍ଷ କୋଟି ଟଙ୍କାର ବୃହତ୍ ନିବେଶ କରାଯାଇଛି।

ଏହି ଅବସରରେ ସେ ନିତି ଆୟୋଗର 'ଗ୍ରୋଥ୍ ହବ୍' ବା ବିକାଶ କେନ୍ଦ୍ର ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ସହରଗୁଡ଼ିକୁ ବିକାଶର କେନ୍ଦ୍ର ଭାବରେ ଗଢ଼ିତୋଳିବା ପାଇଁ ୨୦୨୫-୨୬ ବଜେଟରେ ଘୋଷଣା କରାଯାଇଥିବା ୧ ଲକ୍ଷ କୋଟି ଟଙ୍କାର 'ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ' ଏବଂ ପାଞ୍ଚ ବର୍ଷ ମଧ୍ୟରେ ୭ଟି ସହରୀ ଆର୍ଥିକ ଅଞ୍ଚଳ ପାଇଁ ପ୍ରତ୍ୟେକକୁ ୫,୦୦୦ କୋଟି ଟଙ୍କାର ଚଳିତ ବର୍ଷର ବଜେଟ୍ ଆବଣ୍ଟନ ସମ୍ପର୍କରେ ସୂଚନା ଦେଇଥିଲେ।

ଶ୍ରୀ ଗୌବା ଉଲ୍ଲେଖ କରିଥିଲେ ଯେ, ପ୍ରକୃତ ଅର୍ଥରେ ସଶକ୍ତ ନଗର ସରକାର ଗଠନ ହେଲେ ହିଁ ସେବା ଯୋଗାଣରେ ସୁଧାର ଆସିପାରିବ ଏବଂ ନାଗରିକଙ୍କ ପ୍ରଭାବଶାଳୀ ଅଂଶଗ୍ରହଣ ସୁନିଶ୍ଚିତ ହୋଇପାରିବ। ନୀତି ଆୟୋଗ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟଦ୍ୱାରା ମିଳିତ ଭାବେ ପ୍ରସ୍ତୁତ ମୁଭିଂ ଟୁୱାର୍ଡ଼ସ ଇଫେକ୍ଟିଭ୍ ସିଟି ଗଭର୍ଣ୍ଣାନ୍ସ ରିପୋର୍ଟ ଆଧାରରେ, ସେ ସହରଗୁଡ଼ିକରେ ୫ ବର୍ଷିଆ କାର୍ଯ୍ୟକାଳ ବିଶିଷ୍ଟ ପ୍ରତ୍ୟକ୍ଷ ନିର୍ବାଚିତ ମେୟର ବ୍ୟବସ୍ଥା, 'ମେୟର-ଇନ୍-କାଉନସିଲ୍' ବ୍ୟବସ୍ଥା ଲାଗୁ କରିବା ଏବଂ ସମୟସୀମା ମଧ୍ୟରେ ପୌର ନିର୍ବାଚନ ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଥିଲେ। ୭୪ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ରାଜ୍ୟଗୁଡ଼ିକ ମାଷ୍ଟର ପ୍ଲାନିଂ, ଜଳ ଯୋଗାଣ, ଅଗ୍ନିଶମ ସେବା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ସମେତ ସମସ୍ତ ୧୮ଟି କାର୍ଯ୍ୟକୁ ସହରୀ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରିବା ଆବଶ୍ୟକ ବୋଲି ସେ ଜୋର ଦେଇ କହିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ରାଜ୍ୟ ରାଜଧାନୀଗୁଡ଼ିକରୁ ସହରଗୁଡ଼ିକର କାର୍ଯ୍ୟକ୍ଷମ ଶାସନ ସମ୍ଭବ ନୁହେଁ ଏବଂ ସ୍ଥାନୀୟ ଆବଶ୍ୟକତାର ଉଚିତ ସମାଧାନ ପାଇଁ ସହରାଞ୍ଚଳ ସରକାରଗୁଡ଼ିକ ନିକଟରେ ଯଥେଷ୍ଟ କ୍ଷମତା ଓ ସାଂସ୍ଥାନିକ ଦକ୍ଷତା ରହିବା ଉଚିତ। ଏହାଦ୍ୱାରା ହିଁ ଅର୍ଥପୂର୍ଣ୍ଣ ନାଗରିକ ଭାଗିଦାରୀ ସୁନିଶ୍ଚିତ ହୋଇପାରିବ।

ପୌର ରାଜସ୍ୱ କମ୍ ରହୁଥିବା ଲକ୍ଷ୍ୟ କରି ଶ୍ରୀ ଗୌବା ସମ୍ପତ୍ତି କର ଏବଂ ବ୍ୟବହାରକାରୀ ଶୁଳ୍କ ଆଦାୟରେ ସୁଧାର ଆଣିବାକୁ ଆହ୍ୱାନ କରିଥିଲେ। ସେ ଦର୍ଶାଇଥିଲେ ଯେ ସହରୀ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପ୍ରତି କେନ୍ଦ୍ରୀୟ ଅର୍ଥ ଆୟୋଗର ଅନୁଦାନ ପୂର୍ବ ବରାଦ ତୁଳନାରେ ଦୁଇଗୁଣରୁ ଅଧିକ ହୋଇଛି ଏବଂ ସେମାନଙ୍କର ଭାଗ ୩୬% ରୁ ୪୫% କୁ ବୃଦ୍ଧି ପାଇଛି, ତଥାପି ରାଜ୍ୟଗୁଡ଼ିକରୁ ସହରଗୁଡ଼ିକୁ ଆବଣ୍ଟନ ହେଉଥିବା ପାଣ୍ଠି ହାର କମ୍ ରହିଛି। ସେ କହିଥିଲେ ଯେ ରାଜ୍ୟ ଅର୍ଥ ଆୟୋଗଗୁଡ଼ିକୁ ନିୟମିତ ଭାବେ ଗଠନ କରାଯିବା ଉଚିତ ଏବଂ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ପର୍ଯ୍ୟାପ୍ତ ଆର୍ଥିକ ହସ୍ତାନ୍ତର ସୁନିଶ୍ଚିତ କରାଯିବା ଆବଶ୍ୟକ।

ସହରୀ ଯୋଜନା ଏବଂ ଆବାସ ସମ୍ପର୍କରେ କହିବାକୁ ଯାଇ ଶ୍ରୀ ଗୌବା ବର୍ତ୍ତମାନର ଯୋଜନା ପ୍ରଣାଳୀରେ ସମ୍ପୂର୍ଣ୍ଣ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ସେ ପ୍ରତିବନ୍ଧକପୂର୍ଣ୍ଣ ଏଫ୍ଏଆର୍ ଏବଂ ନିର୍ମାଣ ନିୟମାବଳୀକୁ ହଟାଇବା ପାଇଁ ସଂସ୍କାର ଆଣିବାକୁ ଆହ୍ୱାନ ଦେଇଥିଲେ, ଯାହା ଜମି ଯୋଗାଣକୁ ସୀମିତ କରେ ଏବଂ ଆବାସିକ ତଥା ବ୍ୟବସାୟିକ ବ୍ୟବହାରକାରୀଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରେ। ଜମି ଯୋଗାଣ ବୃଦ୍ଧି କରିବା ସହ ରହିବା ଏବଂ ଆର୍ଥିକ କାର୍ଯ୍ୟକଳାପ ପାଇଁ ଖର୍ଚ୍ଚ କମାଇବା ଉଦ୍ଦେଶ୍ୟରେ ସେ ମିଶ୍ରିତ-ବ୍ୟବହାର ମାନଚିତ୍ର ଏବଂ ଜମି ଏକତ୍ରୀକରଣ ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରବାସୀ ଶ୍ରମିକ, ଶିଳ୍ପ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଯୁବ ପେଷାଦାରମାନଙ୍କ ପାଇଁ ସୁଲଭ ଭଡ଼ା ଘରର ଗୁରୁତ୍ୱ ଦର୍ଶାଇ ସେ ରାଜ୍ୟଗୁଡ଼ିକୁ 'ମଡେଲ ଟେନାନ୍ସି ଆକ୍ଟ' ଆପଣାଇବାକୁ ଅନୁରୋଧ କରିଥିଲେ, ଯାହାଦ୍ୱାରା ଭଡ଼ା ଘରର ଯୋଗାଣ ବୃଦ୍ଧି ପାଇପାରିବ।

ନିଜ ବକ୍ତବ୍ୟର ସମାପ୍ତି କରି ଶ୍ରୀ ଗୌବା କହିଥିଲେ ଯେ ରାଜ୍ୟଗୁଡ଼ିକ ନୂତନ ପୌର ଆଇନ ଆଣି ଏହି ସମସ୍ତ ସଂସ୍କାର କାର୍ଯ୍ୟକାରୀ କରିପାରିବେ ଏବଂ ସେ ସହରୀ ମିଶନଗୁଡ଼ିକ ଅଧୀନରେ ମିଳୁଥିବା ସହାୟତା ସହିତ ଯୋଡ଼ି ଏହି ସଂସ୍କାରଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟକୁ ନିବେଦନ କରିଥିଲେ। ସେ ଦୋହରାଇଥିଲେ ଯେ ଭାରତର ସହରୀ ବିକାଶ ସମ୍ଭାବନାକୁ ଉନ୍ମୋଚିତ କରିବା ଏବଂ ‘ବିକଶିତ ରାଜ୍ୟ’ ତଥା ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ସଶକ୍ତ ନଗର ସରକାର ଅତ୍ୟନ୍ତ ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande