
ଝାରସୁଗୁଡ଼ା, ୨୬ ଅକ୍ଟୋବର (ହି.ସ.)- ଦୁର୍ଗାପୂଜା ଶୋଭାଯାତ୍ରା ସମୟରେ ଡିଜେ ବ୍ୟବହାର ଉପରେ ଲାଗୁ କରାଯାଇଥିବା କଟକଣାକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପୂଜା ଉତ୍ସବ ପାଳନରେ ସହଯୋଗ କରିଥିବାରୁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଦୁର୍ଗାପୂଜା କମିଟି, ଆୟୋଜକ ଓ ସଦସ୍ୟମାନଙ୍କୁ ଜିଲ୍ଲା ପୁଲିସ ପକ୍ଷରୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି।
ଜିଲ୍ଲା ପୁଲିସ ପକ୍ଷରୁ କରାଯାଇଥିବା ଅନୁରୋଧକୁ ପୂଜା କମିଟିଗୁଡ଼ିକ ସକାରାତ୍ମକ ଭାବେ ଗ୍ରହଣ କରିବା ସହ ଡିଜେମୁକ୍ତ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହା ଫଳରେ ଦୁର୍ଗାପୂଜା ଉତ୍ସବକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାରେ ବିଶେଷ ସହାୟତା ମିଳିଥିଲା। ପର୍ବପର୍ବାଣିର ପ୍ରକୃତ ମହତ୍ତ୍ୱ ହେଉଛି ଭକ୍ତି, ଏକତା, ପରସ୍ପର ପ୍ରତି ସମ୍ମାନ ଓ ସାମାଜିକ ଦାୟିତ୍ୱବୋଧ। ପୂଜା କମିଟି ଗୁଡ଼ିକର ଏହି ସହଯୋଗ ଓ ଦାୟିତ୍ୱପୂର୍ଣ୍ଣ ଆଚରଣ ଏହି ମୂଲ୍ୟବୋଧକୁ ପ୍ରତିଫଳିତ କରିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଜନସାଧାରଣଙ୍କ ସୁରକ୍ଷା ଓ ସାମାଜିକ ସଦ୍ଭାବକୁ ପ୍ରାଥମିକତା ଦେଇଥିବା ସମସ୍ତ ପୂଜା କମିଟିର ସଦସ୍ୟ, ଆୟୋଜକ ଓ ସ୍ୱେଚ୍ଛାସେବୀଙ୍କୁ ଝାରସୁଗୁଡ଼ା ପୁଲିସ ଧନ୍ୟବାଦ ଜଣାଇଛି। ଆଗାମୀ ଦିନରେ ମଧ୍ୟ ଏହିଭଳି ସହଯୋଗ ଓ ସମନ୍ୱୟ ବଜାୟ ରହିଲେ ଝାରସୁଗୁଡ଼ାକୁ ଅଧିକ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ କରାଯାଇପାରିବ ବୋଲି ପୁଲିସ ଆଶା ପ୍ରକାଶ କରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ