
ମାଲକାନଗିରି , ୨୭ ଅକ୍ଟୋବର (ହି.ସ.) ଆସନ୍ତା ଅକ୍ଟୋବର ୩୧ ତାରିଖରେ ଗୁଜରାଟର କେଭାଡିଆ (ଏକତା ନଗର) ଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବା ପାଇଁ ଆଜି ମାଲକାନଗିରି ଜିଲ୍ଲାରୁ ଏକ ୫୨ ଜଣିଆ ବିଶେଷ ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରିଛନ୍ତି। ସ୍ଥାନୀୟ ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶା ପୋଲିସର ଆଣ୍ଟି-ନକ୍ସଲ ଅପରେସନ୍ସ ଉଇଙ୍ଗର ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଏହି ଦିବସର ମୁଖ୍ୟ ସଙ୍କଳ୍ପ ବା ବିଷୟବସ୍ତୁ ନକ୍ସଲ-ମୁକ୍ତ ଭାରତ ରଖାଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆସିଥିବା ବ୍ୟାପକ ପରିବର୍ତ୍ତନ ଓ ପ୍ରଗତିକୁ ଜାତୀୟ ସ୍ତରରେ ପ୍ରଦର୍ଶିତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକତା ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।ଏହି ସ୍ୱତନ୍ତ୍ର ଦଳରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ମନୋନୀତ ୫୦ ଜଣ ଜନସାଧାରଣ (ଯେଉଁଥିରେ ମହିଳା ପ୍ରତିନିଧି, ଅଙ୍ଗନବାଡ଼ି, ମିଶନ ଶକ୍ତି ମହିଳା, ଏନସିସି କ୍ୟାଡେଟ୍ ଓ ସାମାଜିକ କର୍ମୀ ସାମିଲ ଅଛନ୍ତି) ଏବଂ ସେମାନଙ୍କ ସମନ୍ୱୟ ପାଇଁ ପ୍ରଶାସନ ଓ ପୋଲିସ ବିଭାଗରୁ ଦୁଇ ଜଣ ନୋଡାଲ ଅଫିସର ଗସ୍ତ କରିଛନ୍ତି। ସହାୟକ ଜିଲ୍ଲାପାଳ ହରପ୍ରସାଦ ମହାପାତ୍ର ଏବଂ ଡିଆଇବି ଇନ୍ସପେକ୍ଟର ସନ୍ତୋଷ ନାୟକ ଅଧିକାରୀ ଭାବେ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଛନ୍ତି।ଯାତ୍ରାର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି । ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ମାଲକାନଗିରିରୁ ଏହି ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରୁଛନ୍ତି। ଆମ ଜିଲ୍ଲାର ଯୁବପିଢ଼ି ଓ ପ୍ରତିନିଧିମାନେ ସେଠାରେ ପହଞ୍ଚି ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ନକ୍ସଲ-ମୁକ୍ତ ଭାରତର ସଫଳ ଚିତ୍ର ଏବଂ ଦେଶ ଗଠନରେ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିବେ। ଏହି ଗସ୍ତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ମଧ୍ୟରେ ଭାତୃଭାବ ଓ ଏକତାକୁ ଆହୁରି ମଜବୁତ କରିବ। ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖ ଦୁଇଦିନ ଧରି କେଭାଡିଆଠାରେ ହେବାକୁ ଥିବା ଏହି ଭବ୍ୟ ଜାତୀୟ ସମାରୋହରେ ଓଡ଼ିଶାର ପ୍ରତିନିଧି ଭାବେ ଏହି ଦଳ ମାଲକାନଗିରି ଜିଲ୍ଲାର ଗୌରବ ବଢ଼ାଇବେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ