
ନବୀନ ପଟ୍ଟନାୟକଙ୍କୁ ଚିଠିର ଉତ୍ତର ଦେଇ ଜଣାଇଲେ ମୋହନ ଚରଣ ମାଝୀ; ଆଇନଗତ ସମାଧାନ ସହ କୋଟିଆର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ.) : କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଆନ୍ତଃରାଜ୍ୟ ସୀମା ବିବାଦ ପ୍ରସଙ୍ଗରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ଓ ରାଜ୍ୟର ସ୍ୱାର୍ଥ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ବିବାଦର ସମାଧାନ ପାଇଁ ଆଇନଗତ ଓ ସାମ୍ବିଧାନିକ ଉପାୟ ଅବଲମ୍ବନ କରାଯିବା ସହ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ଉତ୍ତରରେ ମୋହନ ମାଝୀ କହିଛନ୍ତି ଯେ, ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି। ସୀମା ବିବାଦ ସମ୍ପର୍କରେ ନବୀନ ପଟ୍ଟନାୟକ ଅକ୍ଟୋବର ୧୯ ତାରିଖରେ ଲେଖିଥିବା ଚିଠିର ଜବାବରେ ମୁଖ୍ୟମନ୍ତ୍ରୀ ଏହି ପତ୍ର ଲେଖିଛନ୍ତି।
ରାଜନୈତିକ ଦୃଷ୍ଟିକୋଣ ନୁହେଁ, ଆଇନଗତ ସମାଧାନ ଉପରେ ଗୁରୁତ୍ୱ
ନବୀନ ପଟ୍ଟନାୟକଙ୍କ ଚିଠିରେ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଇଥିବା ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଏହା ପରିବର୍ତ୍ତେ ବିବାଦର ସମାଧାନ ପାଇଁ ଗଠନମୂଳକ ଓ ଆଇନସମ୍ମତ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଛନ୍ତି।
ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ଆଇନସମ୍ମତ ସ୍ୱାର୍ଥର ସୁରକ୍ଷା ପାଇଁ ଓଡ଼ିଶା ସରକାର ଆଇନ ଓ ସମ୍ବିଧାନ ଅନୁଯାୟୀ ପଦକ୍ଷେପ ନେଇ ଚାଲିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
କୋଟିଆର ସାମଗ୍ରିକ ବିକାଶ ପାଇଁ କମିଟି ଗଠନ
କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ସ୍ଥାନୀୟ ଲୋକଙ୍କ ସମାବେଶୀ ଅଭିବୃଦ୍ଧି, ସରକାରୀ ସେବାର ଉନ୍ନତ ପ୍ରଦାନ ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କୋଟିଆ ଗ୍ରାମପଞ୍ଚାୟତ ଅଞ୍ଚଳର ସମନ୍ୱିତ ବିକାଶ ତଦାରଖ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଅଞ୍ଚଳର ବିକାଶମୂଳକ ଆବଶ୍ୟକତା ଉପରେ ନଜର ରଖିବା ସହ ବିଭିନ୍ନ କାର୍ଯ୍ୟରେ ସମନ୍ୱୟ ସ୍ଥାପନ କରୁଛି।
ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଗସ୍ତ
କୋଟିଆ ଅଞ୍ଚଳର ବିକାଶମୂଳକ ଆବଶ୍ୟକତାର ସମୀକ୍ଷା ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଞ୍ଚଳକୁ ଗସ୍ତ କରୁଛନ୍ତି। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କୋଟିଆର ସାମଗ୍ରିକ ବିକାଶକୁ ଆଗେଇ ନେବା ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ସଂଯମ ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ପାଇଁ ଆହ୍ୱାନ
ଦୀର୍ଘଦିନର ଏହି ସୀମା ବିବାଦର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସମସ୍ତ ସମ୍ପୃକ୍ତ ପକ୍ଷ ସଂଯମ ଓ ଦାୟିତ୍ୱବୋଧର ସହ କାର୍ଯ୍ୟ କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା କରିବା ସହ କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ସେ ପୁନର୍ବାର ସ୍ପଷ୍ଟ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା