
ମାଲକାନଗିରି , ୨୮ ଅକ୍ଟୋବର (ହି.ସ.) - ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ର ସଫଳ ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜେ କ୍ଷେତ୍ରସ୍ତରକୁ ଯାଇ ମୁଣ୍ଡାଗୁଡ଼ା ଓ ନୂଆଗୁଡ଼ା ବାତ୍ୟା ଆଶ୍ରୟସ୍ଥଳୀ ସମେତ ମାଥିଲି ବ୍ଲକର ଉଦୟଗିରି ଗ୍ରାମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କୁ ସିଧାସଳଖ ଭେଟି ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗର ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ଜିଲ୍ଲାର ବିଭିନ୍ନ ବିପଦସଙ୍କୁଳ ଖାଲୁଆ ଅଂଚଳରୁ ସମୁଦାୟ ୮,୯୦୨ ଜଣ ଲୋକଙ୍କୁ ୧୭୮ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୧୩,୮୩୨ ଜଣଙ୍କୁ ପ୍ରଶାସନ ପକ୍ଷରୁ ସଫଳତାର ସହ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ର ୦୫ଟି ଟିମ୍, ଏନଡିଆରଏଫ୍ ର ୦୧ଟି ଟିମ୍ ଏବଂ ୯ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି।
ଜନସ୍ୱାସ୍ଥ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଆଗାମୀ ୧୫ ଦିନ ମଧ୍ୟରେ ପ୍ରସବ ହେବାକୁ ଥିବା ୨୦୨ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ମା' ଗୃହ ଓ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୋରୁକୋଣ୍ଡା ଓ ପୋଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡିକାଲ ରାପିଡ୍ ରେସପନ୍ସ ଟିମ୍ ଏବଂ ଆରୋଗ୍ୟ ପ୍ଲସ ମୋବାଇଲ ହେଲଥ୍ ୟୁନିଟ୍ ଦ୍ୱାରା ଆଶ୍ରୟସ୍ଥଳୀ ଗୁଡ଼ିକରେ ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଅନ୍ତେବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ଓ ମାନସିକ ପରାମର୍ଶ ଯୋଗାଇ ଦିଆଯାଉଛି। ବାତ୍ୟା ପ୍ରଭାବିତ ଚାଷୀମାନଙ୍କ ଗୋ-ସମ୍ପଦ ସୁରକ୍ଷା ପାଇଁ କୁଡୁମୁଲୁଗୁମ୍ମା ବ୍ଲକରେ ସ୍ଥାନୀୟ ସରପଂଚ ଏବଂ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଜରୁରୀକାଳୀନ ଗୋ-ଖାଦ୍ୟ ବିତରଣ କରାଯାଇଛି। ଜିଲ୍ଲାର ପ୍ରମୁଖ ଷ୍ଟୋରେଜ୍ ପଏଂଟ ଗୁଡ଼ିକରେ ୧,୮୦୯ ପ୍ୟାକେଟ୍ ପଲିଥିନ ରୋଲ୍, ୨,୧୮,୫୭ ପ୍ୟାକେଟ୍ ଓ.ଆର.ଏସ ପାଉଡର, ୩,୮୬୦ ଭାଏଲ୍ସ ସର୍ପାଘାତ ପ୍ରତିଷେଧକ ଔଷଧ , ୨୭,୦୦୦ ହାଲାଜୋନ୍ ଜଳ ବିଶୋଧନ ବଟିକା ଏବଂ ୧୩୦ କ୍ୱିଂଟାଲ ଚୁଡ଼ା ଓ ୧୦୦ କ୍ୱିଂଟାଲ ଚିନି ଭଳି ଶୁଖିଲା ଖାଦ୍ୟ ସାମଗ୍ରୀ ବ୍ୟାପକ ପରିମାଣରେ ମହଜୁଦ ରଖାଯାଇଛି। ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ ୩୨୬ ସମେତ ପ୍ରମୁଖ ରାସ୍ତାରେ ଥିବା ୯ଟି ବ୍ରିଜ୍କୁ ଜଳମଗ୍ନ ପ୍ରବଣ ଭାବେ ଚିହ୍ନଟ କରାଯାଇ ଯାତାୟାତ ପାଇଁ ବିକଳ୍ପ ରୁଟ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଖଇରପୁଟର ବଣ୍ଡାଘାଟି ଏବଂ ଚିତ୍ରକୋଣ୍ଡାର ପାର୍ବତ୍ୟ ଅଂଚଳକୁ ଭୂସ୍ଖଳନ ପ୍ରବଣ ଜୋନ୍ ଭାବେ ସତର୍କ କରାଯାଇଛି। ଜନସାଧାରଣଙ୍କ ସହାୟତା ପାଇଁ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ନମ୍ବର ୦୬୮୬୧-୨୩୧୩୭୨ ଏବଂ ଟୋଲ୍ ଫ୍ରି ନମ୍ବର ୧୦୭୭ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି ବୋଲି ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ