

ସମ୍ବଲପୁର, ୨୮, ଅକ୍ଟୋବର (ହି.ସ.) - ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ, ସମ୍ବଲପୁର ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା-୨୦୨୭'ର ଦ୍ୱିତୀୟ ପର୍ଯ୍ୟାୟ ଜନସଂଖ୍ୟା ଗଣନା ପାଇଁ ଏକ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ ହୋଇଛି। ସମ୍ବଲପୁର ମହାନଗର ନିଗମ ସମ୍ମିଳନୀ କକ୍ଷ ପରୀସରରେ ଅନୁଷ୍ଠିତ ଏହି କର୍ମଶାଳା ୨୮ ଓ ୨୯ ଅକ୍ଟୋବର ଦୁଇ ଦିନ ଧରି ଚାଲିବ ବୋଲି ଜଣାପଡିଛି।
ଆଗାମୀ ଜନଗଣନାକୁ ସଠିକ୍, ସୁବ୍ୟବସ୍ଥିତ ତଥା ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟତଃ ଜନସଂଖ୍ୟା ଗଣନାର ମୌଳିକ ଧାରଣା ଓ ପରିଭାଷା: ଜନଗଣନା ନିୟମାବଳୀ ଓ ବିଭିନ୍ନ ପରିଭାଷାର ସଠିକ୍ ଅନୁପାଳନ, ତଥ୍ୟ ସଂଗ୍ରହ ବେଳେ ପଚରାଯିବାକୁ ଥିବା ପ୍ରଶ୍ନ ଏବଂ ତାହାର ସଠିକ୍ ଲିପିବଦ୍ଧ ପ୍ରଣାଳୀ,ଗଣନା ବ୍ଲକ୍ ଗଠନ, ପ୍ରତ୍ୟେକ ଅଂଚଳକୁ ତ୍ରୁଟିଶୂନ୍ୟ ଭାବେ ବ୍ଲକରେ ବିଭକ୍ତ କରିବା ଓ ପରିସୀମା ନିର୍ଦ୍ଧାରଣ, ସିଏମ୍ଏମ୍ଏସ୍ ବ୍ୟବସ୍ଥାର ବ୍ୟବହାର: ତଦାରଖ ଏବଂ ତଥ୍ୟ ପରିଚାଳନା ପାଇଁ ମେନ୍ସ ମ୍ୟାନେଜମେଂଟ ଆଣ୍ଡ ମନିଟରିଙ୍ଗ ସିଷ୍ଟମର ପ୍ରୟୋଗ, କ୍ଷେତ୍ର ସ୍ତରରେ ଜନଗଣନାକୁ ଶାନ୍ତିଶୃଙ୍ଖଳା ଓ ସଫଳତାର ସହ ପରିଚାଳନା କରିବା ପାଇଁ ପ୍ରଶାସନିକ ସଜବାଜ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଉଛି।
ଜନସାଧାରଣଙ୍କ ସାମାଜିକ ଓ ଆର୍ôଥକ ବିକାଶ ତଥା ଭବିଷ୍ୟତ ଯୋଜନା ପ୍ରସ୍ତୁତି ପାଇଁ ଜନଗଣନା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଏଣୁ ଏହି ମହତ୍ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ଗଣନାକାରୀ କର୍ମଚାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ସହକାରୀ ନିର୍ଦ୍ଦେଶକ, ଜନଗଣନା ପରିଚାଳନା ନିର୍ଦ୍ଦେଶାଳୟ ଶ୍ରୀ ଲକ୍ଷ୍ମଣ ମୁଖୀ, ପରିସଂଖ୍ୟାନ ଅନୁସନ୍ଧାନକାରୀ ଅଭିଷେକ ମିଶ୍ର ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, କୁଚିଣ୍ଡା ଉପଜିଲ୍ଲାପାଳ ସି. ସର୍ବାନନ ଓ ସମ୍ବଲପୁର ସଦର ଉପଜିଲ୍ଲାପାଳ ଡ ପୁଷ୍ପାଞ୍ଜଳି ପଣ୍ଡା, ଜିଲ୍ଲା ଯୋଜନା ଓ ସମନ୍ୱୟ ଏକକର ଉପ ନିର୍ଦ୍ଦେଶକ, ରେଙ୍ଗାଲି ଓ ବାମରା ବ୍ଲକ ଉନ୍ନୟନ ଅଧିକାରୀ, ସମସ୍ତ ବିଜ୍ଞାପିତ ଅଂଚଳ ପରିଷଦ ଅଧିକାରୀଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଡେପୁଟି କଲେକ୍ଟର ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ