
ସାମିଲ ହେଲେ ୭୭୫ ଜଣ ବରିଷ୍ଠ ନାଗରିକ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଚଳିତ ଆର୍ôଥକ ବର୍ଷର ଷଷ୍ଠ ବାରଣାସୀ-ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ ହୋଇଛି । ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି ସହଯୋଗରେ ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ ଠାରେ ବୁଧବାର ପୂର୍ବାହ୍ନ ସମୟରେ ଶୁଭାରମ୍ଭ ଏହି ଟ୍ରେନରେ ୭୭୫ ଜଣ ତୀର୍ଥଯାତ୍ରୀ ଓ ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ଯାତ୍ରା କରିଛନ୍ତି । ସେମାନେ ବାରଣାସୀ ଓ ଅଯୋଧ୍ୟାରେ ତୀର୍ଥାଟନ ଆସନ୍ତା ୨ ତାରିଖରେ ଓଡିଶା ଫେରିବେ ।
ଚଳିତ ଆର୍ôଥକ ବର୍ଷର ଷଷ୍ଠତମ ବରିଷ୍ଠ ନାଗରିକମାନଙ୍କର ବାରଣାସୀ-ଅଯୋଧ୍ୟା ଟ୍ରେନ୍ ର ଶୁଭାରମ୍ଭ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଲିଙ୍ଗରାଜଙ୍କ ପୀଠରୁ କାଶୀ ବିଶ୍ୱନାଥ ଓ ଅଯୋଧ୍ୟା ପୀଠ ରାମଲାଲାଙ୍କ କ୍ଷେତ୍ରକୁ ଏହି ଯାତ୍ରା ସଫଳ ହେଉ । ଏହି ଯାତ୍ରା ଦ୍ୱାରା ବରିଷ୍ଠ ନାଗରିକମାନେ ଗଙ୍ଗା ଆଳତି, କାଶୀ ବିଶ୍ୱନାଥ ଦର୍ଶନ ଓ ଶ୍ରୀରାମଲାଲାଙ୍କ ସାନିଦ୍ଧ ଲାଭ କରିପାରିବେ । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ତୀର୍ଥସ୍ଥାନ ଯାତ୍ରା କରିବାର ସୌଭାଗ୍ୟ ହାସଲ କରିବା ସହ ସେହି ସ୍ଥାନର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଗୁରୁତ୍ୱ ସମ୍ପର୍କରେ ଜାଣିପାରିବେ ବୋଲି ସେ ଉଲ୍ଲେଖ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିଥିବା ସେ କହିଛନ୍ତି ।
ଏହି ଷଷ୍ଠ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୧୬୯ ଜଣ, ଜଗତସିଂହପୁର ଜିଲ୍ଲାର ୮୫, କଟକ ଜିଲ୍ଲାର ୧୯୭, ପୁରୀରୁ ୧୨୭, କେନ୍ଦ୍ରାପଡ଼ାରୁ ୧୦୮ ଓ ଢେଙ୍କାନାଳ ଜିଲ୍ଲାର ୮୯ ଜଣଙ୍କୁ ମିଶାଇ ମୋଟ ୭୭୫ ଜଣ ବରିଷ୍ଠ ନାଗରିକ ଓ ସେମାନଙ୍କର ଭଲମନ୍ଦ ବୁଝିବା ପାଇଁ ୨୫ ଜଣ ଅଧିକାରୀ ସାମିଲ ହୋଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ତୀର୍ଥଯାତ୍ରୀମାନଙ୍କୁ ସଫଳ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ତୀର୍ଥଯାତ୍ରୀ ମାନଙ୍କୁ ପ୍ରତୀକାତ୍ମକ ଭାବେ ରେଲୱେ ଟିକେଟ୍ ଓ କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା ।
ପର୍ଯ୍ୟଟନ ବିଭାଗର ଭରପ୍ରାପ୍ତ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, ଖୋରଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଖୋର୍ଦ୍ଧା ରୋଡ୍ ଡିଭିଜନ୍ ର ବରିଷ୍ଠ ଡିସିଏମ ଶ୍ରୀ ଆର. ମନୋଜ ବାବୁ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ସୂଚନାଯୋଗ୍ୟଯେ, ୨୦୨୬-୨୭ ବର୍ଷରେ ମୋଟ ୧୦ ଟି ପର୍ଯ୍ୟାୟରେ ୮,୦୦୦ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ, ହରିଦ୍ୱାର, ଋଷିକେଶ, ରାମେଶ୍ୱରମ ଓ ମଦୁରାଇ ଭ୍ରମଣ କରିବାକୁ ଥିବା ବେଳେ ଏହି ଯୋଜନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ପ୍ରାୟ ୪ ହଜାର ବରିଷ୍ଠ ନାଗରିକ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ କରିସାରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା