
ଖୋର୍ଦ୍ଧା, 03 ଅକ୍ଟୋବର (ହି.ସ.)
ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ, କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ଜେଲ୍ ଜୀବନ ଚାଳିଶି ଦଶକରେ ପ୍ରଥମ ଥର ପାଇଁ ଖୋର୍ଦ୍ଧାରୁ ହିଁ ଆରମ୍ଭ ହୋଇଥିଲା ହୋଇଥିଲା ବୋଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ରାଜୀବକୁମାର ଦାସ ମତବ୍ୟକ୍ତ କରିଛନ୍ତି। ଜେଲ୍ ସଂସ୍କାର ଯୋଜନା ପରିପ୍ରେକ୍ଷୀରେ ୮୬ ବର୍ଷ ପୂର୍ବେ ଅର୍ଥାତ୍ ୧୯୪୨ ମସିହାରେ ଖୋର୍ଦ୍ଧା କାରାଗାରରେ ଜେଲ୍ ଜୀବନ ବିତାଇଥିବା ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ରଙ୍କ ତୈଳଚିତ୍ର ଏହି କାରାଗାର ପରିସରରେ ଶନିବାର ଅନାବରଣ କରାଯାଇଛି। ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମହାନ୍ତି ପଣ୍ଡିତ ମିଶ୍ରଙ୍କ ତ୍ୟାଗ ଏବଂ ତିତୀକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମେଜର ମହାନ୍ତି ପଣ୍ଡିତ ମିଶ୍ରଙ୍କ ଭଳି ବରପୁତ୍ରଙ୍କ ଆଦର୍ଶ ଓ ତ୍ୟାଗ ସମ୍ପର୍କରେ ଉତ୍ତର ପୀଢ଼ିଙ୍କୁ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ରୂପେ ଖୋର୍ଦ୍ଧା ବାର୍ ଆସୋସିଏସନର ତତ୍କାଳୀନ ସଭାପତି ନୃସିଂହପ୍ରସାଦ ମିଶ୍ର ଯୋଗେଦଇ ବିଳମ୍ବରେ ହେଉ ପଛେ କାରାଗାର କର୍ତ୍ତୃପକ୍ଷ ପଣ୍ଡିତ ମିଶ୍ରଙ୍କ ଜେଲ୍ ଜୀବନ ସ୍ମୃତିକୁ ଜନମାନସରେ ଉଦ୍ଭାସିତ କରାଇଛନ୍ତି ବୋଲି କହିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତିର ମହାନ୍ ପ୍ରବକ୍ତା ଶକ୍ତିଶଙ୍କର ମିଶ୍ର ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ ପ୍ରତିଷ୍ଠା କରିବା ଯୋଗୁଁ ପଣ୍ଡିତ ମିଶ୍ର ଗୋରା ସରକାରଙ୍କ ଆକ୍ରୋଶର ଶିକାର ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ଗିରଫ ହୋଇ ଏହି କାରାଗାରରେ ବନ୍ଦୀ ଜୀବନ ବିତାଇଥିଲେ ବୋଲି କହିଥିଲେ । ବରିଷ୍ଠ ସମାଜସେବୀ ତଥା ମା’ ମଙ୍ଗଳା ଆଦିବାସୀ ମହିଳା ସମିତି ସମ୍ପାଦିକା ସୁକାନ୍ତି ପଟ୍ଟନାୟକ ଏଥିରେ ଯୋଗଦେଇ ଅଖ୍ୟାତପଲ୍ଲୀ ବାଜପୁରରେ ଜନ୍ମିତ ପଣ୍ଡିତ ମିଶ୍ର ବାସ୍ତବରେ ଜଣେ ସଚ୍ଚା ସଂଗ୍ରାମୀ ଥିବାବେଳେ ବ୍ରିଟିଶ ସରକାରଙ୍କ ନଜର ଏଡ଼ାଇବା ପାଇଁ ଚିନ୍ତାମଣି ମିଶ୍ର, ବାନାମ୍ବର ପଟ୍ଟନାୟକ, ପଦ୍ମନାଭ ମିଶ୍ର ଓ ନାରାୟଣ ସେଠୀ ପ୍ରମୁଖଙ୍କ ସହ ମିଶି ବରୁଣେଇରେ ଆତ୍ମଗୋପନ କରିଥିଲେ ବୋଲି କହିଥିଲେ। ପଣ୍ଡିତ ମିଶ୍ରଙ୍କ ଦ୍ବାରା ଲିଖିତ ‘ଚିଲିକା ଦର୍ଶନ’, ‘ପୁଣ୍ୟଶ୍ଲୋକ’, ‘ଭୋଟରଭାବନା’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ନବ ଦିଗନ୍ତ ସୃଷ୍ଟି କରିଛି ବୋଲି ତାଙ୍କ ପୁତ୍ରବଧୂ ତଥା ବରିଷ୍ଠ ଶିକ୍ଷୟିତ୍ରୀ ମନୋରମା ନନ୍ଦ (ମିଶ୍ର) କହିଥିଲେ। । ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଡ଼. ଧୀରେନ୍ଦ୍ର ନନ୍ଦ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ମିଶ୍ର ପାଇକ କୂଳରେ ଜନ୍ମ ନହୋଇ ମଧ୍ୟ ଜନ୍ମମାଟି ପାଇଁ ଲଢ଼େଇ କରିଥିବା ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ରାଜୀବଲୋଚନ ଷଡ଼ଙ୍ଗୀ, ପୂର୍ବତନ ପ୍ରଧାନ ଶିକ୍ଷକ ଡ଼.ପ୍ରଫୁଲ୍ଲକୁମାର ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ପ୍ରଦୀପକୁମାର ଲେଙ୍କା, ଆମରି ସତ୍ୟର ପ୍ରତିଷ୍ଠାତା ଡ଼.ପ୍ରମୋଦଚନ୍ଦ୍ର ଦାଶ, ଶକ୍ତିପ୍ରସନ୍ନ ପଟ୍ଟନାୟକ, ସୁବାସଚନ୍ଦ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ପଣ୍ଡିତ ମିଶ୍ରଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ