
ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ଆୟଠାରୁ ଅଧିକ ସମ୍ପତ୍ତି (ଡିଏ) ମାମଲାରେ
ଓଡ଼ିଶା ଭିଜିଲାନ୍ସ ବିଭାଗ ମଙ୍ଗଳବାର ବାରିପଦା ଆର୍ଆଣ୍ଡ୍ବି ଡିଭିଜନ ଅଧୀନ ବେତନଟୀ ଆର୍ଆଣ୍ଡ୍ବି
ସବ୍-ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଇଇ) ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି।
ତାଙ୍କୁ ମଙ୍ଗଳବାର ହିଁ ବାରିପଦାସ୍ଥିତ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଅଦାଲତରେ ହାଜର କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ମହାନ୍ତିଙ୍କ ସହ ସମ୍ପର୍କିତ ବିଭିନ୍ନ
ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ତଲାସି ସମୟରେ ତାଙ୍କ ଜଣାଶୁଣା ଆୟର ଉତ୍ସଠାରୁ ଅଧିକ
ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଏଥିରେ ଦୁଇଟି ବହୁତଳ କୋଠା, ୫ ଏକର ଜମିରେ ଥିବା ଏକ ଫାର୍ମ ହାଉସ୍, ୨୩ଟି ମୂଲ୍ୟବାନ ଜମି, ପ୍ରାୟ ୩୦୦ ଗ୍ରାମ ସୁନା, ୬୯.୬୯ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରିଚକିଆ ଗାଡ଼ି
ରହିଛି।
ତଲାସି ସମୟରେ ଏପର୍ଯ୍ୟନ୍ତ
ମୋଟ ୧୦,୫୭,୫୦୦
ଟଙ୍କା ନଗଦ ଜବତ କରାଯାଇଛି। ଏଥିରେ ମଙ୍ଗଳବାର ଭୁବନେଶ୍ୱରର ବାଲିଅନ୍ତାସ୍ଥିତ ତାଙ୍କ ବାସଭବନରୁ
ଜବତ ୨.୫୦ ଲକ୍ଷ ଟଙ୍କା ମଧ୍ୟ ସାମିଲ ଅଛି।
ଭିଜିଲାନ୍ସ ବିଭାଗ ଅନୁଯାୟୀ, ମହାନ୍ତି ଏହି ସମ୍ପତ୍ତିଗୁଡ଼ିକ ତାଙ୍କ ଜଣାଶୁଣା ଆୟର ଉତ୍ସ ସହ
ସମନ୍ୱିତ ବୋଲି ପ୍ରମାଣ କରିବା ପାଇଁ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିଲେ।
ଏହି ସମ୍ପର୍କରେ ବାଲେଶ୍ୱର ଭିଜିଲାନ୍ସ
ଥାନାରେ ମାମଲା ନମ୍ବର ୨୫/୨୦୨୬ ରୁଜୁ କରାଯାଇଛି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସମ୍ପୃକ୍ତ ଧାରା ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା