ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ
District level forest meeting
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ


ହାଇ-ଲେଭଲ୍ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଜମି ବ୍ୟବହାରକୁ ମଞ୍ଜୁରୀ

ଝାରସୁଗୁଡ଼ା ଓ କିର୍ମିରାର ମୋଟ ୧୭ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟା ଅନୁମୋଦିତ

ଝାରସୁଗୁଡ଼ା, 11 ନଭେମ୍ବର (ହି.ସ.) ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜଙ୍ଗଲ ଜମି ଅଧିକାର ସମ୍ପର୍କିତ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା। ବୈଠକରେ ବିକାଶମୂଳକ ଭିତ୍ତିଭୂମିକୁ ପ୍ରାଥମିକତା ପ୍ରଦାନ ପୂର୍ବକ ଦୁମୁହାଁ ଯୋଡ଼ ନାଳ ଉପରେ ଏକ ହାଇ-ଲେଭଲ୍ ସେତୁ ନିର୍ମାଣ ନିମନ୍ତେ ୦.୧୮୨ ହେକ୍ଟର ଜଙ୍ଗଲ ଜମି ଅଣ-ଜଙ୍ଗଲ କାର୍ଯ୍ୟରେ ବ୍ୟବହାର ପ୍ରସ୍ତାବକୁ କମିଟି ଦ୍ୱାରା ଅନୁମୋଦନ କରାଯାଇଛି। ଏହା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଜଙ୍ଗଲ ଜମି ଅଧିକାର ପ୍ରଦାନ ଉଦ୍ଦେଶ୍ୟରେ ଝାରସୁଗୁଡ଼ାର ୫ଟି ଏବଂ କିର୍ମିରା ବ୍ଲକର ୧୨ଟି—ସର୍ବମୋଟ ୧୭ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ପଟ୍ଟାକୁ ବିଧିବଦ୍ଧ ଭାବେ ମଞ୍ଜୁରୀ ଦିଆଯାଇଛି। ଏହି ବୈଠକରେ ଝାରସୁଗୁଡ଼ା ବନଖଣ୍ଡ ଅଧିକାରୀ ମନୁ ଅଶୋକ ଭଟ୍ଟ, କିର୍ମିରା ଜିଲ୍ଲା ପରିଷଦ ସଦସ୍ୟା ରୀତା ବାଘ, ଝାରସୁଗୁଡ଼ା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ଦିଗମ୍ବର ଭୋଇ ଉପସ୍ଥିତ ଥିଲେ। ଏଥିସହ ସ୍ୱତନ୍ତ୍ର ନିମନ୍ତ୍ରିତ ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ ପ୍ରଧାନ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀ ଏବଂ ଜିଲ୍ଲାର ସମସ୍ତ ତହସିଲଦାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande