
ଗ୍ୱୌହାଟୀ, ୧୧ ନଭେମ୍ବର (ହି.ସ.)।ଗ୍ୱୌହାଟୀ ନିକଟସ୍ଥ ଡିଗାରୁଠାରେ ଆଜି ସକାଳେ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ (ଏନ୍ଏଫ୍ଆର୍)ର ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆର୍ଓ) କପିଞ୍ଜଳ କିଶୋର ଶର୍ମା କହିଛନ୍ତି ଯେ, ବୁଧବାର ସକାଳ ପ୍ରାୟ ୬ଟା ୫୪ ମିନିଟ୍ରେ ଆସାମର ରାଜଧାନୀ ଗୁଆହାଟୀ ନିକଟସ୍ଥ ଡିଗାରୁ ରେଳ ଷ୍ଟେସନରେ ୧୩୧୨୫ ନମ୍ବର ବିଶିଷ୍ଟ କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍କୁ ଅନ୍ୟ ଏକ ଟ୍ରେନ୍କୁ ରାସ୍ତା ଦେବା ପାଇଁ ଅଟକାଯାଉଥିଲା। ଏହି ସମୟରେ ଲୋକୋ ପାଇଲଟ୍ ଟ୍ରେନ୍ର ଗତି ନିୟନ୍ତ୍ରଣ କରିପାରି ନଥିଲେ। ଫଳରେ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଇଞ୍ଜିନ୍ ସମେତ ୫ଟି ବଗି ରେଳଧାରଣାରୁ ଖସିଯାଇଛି।
ସେ କହିଛନ୍ତି ଯେ, ଟ୍ରେନ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କାହାରିକୁ ମଧ୍ୟ କୌଣସି ଗୁରୁତର ଆଘାତ ଲାଗିନାହିଁ। ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଅନ୍ୟ ଏକ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି। ଏଥିସହ ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର)ଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା