
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- ଭାରତ ପୁଣିଥରେ ଦୋହରାଇଛି ଯେ, ସେ ବାଂଲାଦେଶ ସହ ସକାରାତ୍ମକ ଓ ରଚନାତ୍ମକ ସମ୍ପର୍କ ଚାହୁଁଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ପ୍ରସଙ୍ଗରେ ବାଣିଜ୍ୟ, ରେଳବାଇ, ଜଳସମ୍ପଦ ଏବଂ ସୀମା ପରିଚାଳନା ସମ୍ପର୍କରେ ହୋଇଥିବା ବୈଠକଗୁଡ଼ିକର ଉଲ୍ଲେଖ କରି କହିଛନ୍ତି ଯେ, ପରବର୍ତୀ କନସୁଲାର ଆଲୋଚନା ଉଭୟ ପକ୍ଷର ପାରସ୍ପରିକ ସହମତିରେ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ।
ନଭେମ୍ବର ୧୭ ଓ ୧୮ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ କନସୁଲାର ଆଲୋଚନାକୁ ନିକଟରେ ସ୍ଥଗିତ ରଖାଯିବା ପ୍ରସଙ୍ଗରେ ମୁଖପାତ୍ର ଏହି ବୟାନ ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହି ଆଲୋଚନା ସ୍ଥଗିତ ହୋଇଛି। ଭାରତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଅବସ୍ଥିତି ଏବଂ ବାଂଲାଦେଶ ପକ୍ଷରୁ ତାଙ୍କ ପ୍ରତ୍ୟର୍ପଣ ପାଇଁ କରାଯାଇଥିବା ଅନୁରୋଧକୁ ନେଇ ଉଭୟ ଦେଶ ମଧ୍ୟରେ ରହିଥିବା ଉତେଜନା ସହ ଏହି ପ୍ରସଙ୍ଗ ଜଡ଼ିତ ଥିବା କୁହାଯାଉଛି।
ଶୁକ୍ରବାର ନିୟମିତ ସାମ୍ବାଦିକ ସମ୍ମିଳନୀରେ ଜୟସ୍ୱାଲ କହିଥିଲେ ଯେ, ଭାରତ ଓ ବାଂଲାଦେଶ ମଧ୍ୟରେ ପରବର୍ତୀ ପର୍ଯ୍ୟାୟ କନସୁଲାର ଆଲୋଚନା ପାରସ୍ପରିକ ସହମତିରେ ସ୍ଥିର ହୋଇଥିବା ତାରିଖରେ ଆୟୋଜିତ ହେବ। ଏହି ଆଲୋଚନାରେ ସଂଶୋଧିତ ଯାତ୍ରା ରାଜିନାମା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ମଧ୍ୟ ସ୍ଥାନ ପାଇବ। ଭାରତ ବାଂଲାଦେଶ ସହ ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ବର୍ତମାନର ବ୍ୟବସ୍ଥା ଅନୁଯାୟୀ, ବୈଷୟିକ ସ୍ତର ସମେତ ବିଭିନ୍ନ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ