
ନୂଆଦିଲ୍ଲୀ, ୧୩ ନଭେମ୍ବର (ହି.ସ.)- କର୍କଟ ରୋଗୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର ୧୩୭ଟି କର୍କଟ ଔଷଧର ମୂଲ୍ୟ ଉପରେ ନଜର ରଖିବା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିଛନ୍ତି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍ପିପିଏ) ସମସ୍ତ ରାଜ୍ୟର ଔଷଧ ନିୟନ୍ତ୍ରକମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ଔଷଧ ନିର୍ମାତା କମ୍ପାନୀ, ମେଡିକାଲ ଷ୍ଟୋର ଏବଂ ହସ୍ପିଟାଲଗୁଡ଼ିକରେ ନୂଆ ମୂଲ୍ୟ ଲାଗୁ ହେବା ସୁନିଶ୍ଚିତ କରାଯାଉ।
ଏହି ଔଷଧଗୁଡ଼ିକର ନୂଆ ମୂଲ୍ୟ ନଭେମ୍ବର ୯ ତାରିଖରୁ ଲାଗୁ ହୋଇସାରିଛି। ଏବେ ଔଷଧ ନିର୍ମାତା କମ୍ପାନୀ, ବିକ୍ରେତା ଏବଂ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଧାରିତ ମୂଲ୍ୟରେ ହିଁ ଔଷଧ ବିକ୍ରି କରିବାକୁ ପଡ଼ିବ। ଏଥିସହିତ ନିଜ ଦୋକାନ ଏବଂ ୱେବସାଇଟ୍ରେ ନୂଆ ମୂଲ୍ୟ ତାଲିକା ମଧ୍ୟ ପ୍ରଦର୍ଶିତ କରିବାକୁ ପଡ଼ିବ।
ପ୍ରାଧିକରଣ ସ୍ପଷ୍ଟ କରିଛି ଯେ, ଯଦି କୌଣସି ଦୋକାନୀ କିମ୍ବା କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ଆଦାୟ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। କର୍କଟ ରୋଗୀଙ୍କୁ ଉଚିତ ଓ କମ୍ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଔଷଧର ଅଧିକ ମୂଲ୍ୟ ଆଦାୟ, ଔଷଧର ଅଭାବ କିମ୍ବା ଉପଲବ୍ଧ ନହେବା ସମ୍ପର୍କରେ ରୋଗୀମାନେ ‘ଫାର୍ମା ସହି ଦାମ୍’ ଆପ୍ କିମ୍ବା ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ। ଏହା ବ୍ୟତୀତ ୧୮୦୦-୧୧୧-୨୫୫ ହେଲ୍ପଲାଇନ୍ ନମ୍ବର ଏବଂ ୱେବସାଇଟ୍ ମାଧ୍ୟମରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇପାରିବ। ପ୍ରାଧିକରଣ ସମସ୍ତ ରାଜ୍ୟର ଔଷଧ ନିୟନ୍ତ୍ରକମାନଙ୍କୁ ନଭେମ୍ବର ୧୬, ୨୦୨୬ ସୁଦ୍ଧା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛି।
-----------------
ହିନ୍ଦୁସ୍ଥାନ ସମାଚାର / ଗଗନ