
ଅରୁଣ ଭାସ୍କର ଦେବରସ
୨୦୧୫ ମସିହା ପୂର୍ବରୁ ଭାରତରେ ଅଧିକାଂଶ ଅଣ-କୋଇଲା ଖଣି ଲିଜ୍ ସରକାରୀ ନିଷ୍ପତ୍ତି ଏବଂ ଅଧିକାରୀମାନଙ୍କ ବିବେଚନା ଆଧାରରେ ପ୍ରଦାନ କରାଯାଉଥିଲା। ଏହି ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ଥିବା ସହ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପଦ୍ଧତି ଅନୁସରଣ କରାଯାଉଥିଲା। ଏହାର ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର ୨୦୧୫ ମସିହାରେ ଖଣିଜ (ନିଲାମ) ନିୟମ ଲାଗୁ କରିଥିଲେ। ଏହା ଅନୁଯାୟୀ, ଖଣି ଅଞ୍ଚଳର ଆବଣ୍ଟନ ଖୋଲା ଏବଂ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ଆରମ୍ଭ ହୋଇଥିଲା।
ଦେଖିବାକୁ ଗଲେ ଏହି ବ୍ୟବସ୍ଥା ବେଶ୍ ସଫଳ ହୋଇଛି। ୨୦୨୬ ମସିହା ସୁଦ୍ଧା ଦେଶରେ ୭୨୦ରୁ ଅଧିକ ପ୍ରମୁଖ ଖଣିଜ ବ୍ଲକ୍ର ନିଲାମ ହୋଇସାରିଛି। କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ୨୧୨ଟି ବ୍ଲକ୍ ଆବଣ୍ଟନ କରାଯାଇଛି। ଏଥିରେ ୨୨ଟି ଗୁରୁତ୍ୱପୂର୍ଣ୍ଣ ଓ ରଣନୈତିକ ଖଣିଜ ବ୍ଲକ୍ ମଧ୍ୟ ସାମିଲ ରହିଛି। ଏହାଦ୍ୱାରା ରାଜ୍ୟଗୁଡ଼ିକର ଖଣିଜ ରାଜସ୍ୱ ମଧ୍ୟ ପୂର୍ବ ତୁଳନାରେ ପ୍ରାୟ ପାଞ୍ଚଗୁଣ ବୃଦ୍ଧି ପାଇଛି।
କିନ୍ତୁ ଏହି ସଫଳତା ପଛରେ ଏକ ଗମ୍ଭୀର ସମସ୍ୟା ଲୁଚି ରହିଛି। ନିଲାମ ହୋଇଥିବା ୭୨୦ରୁ ଅଧିକ ବ୍ଲକ୍ ମଧ୍ୟରୁ ମାତ୍ର ପ୍ରାୟ ୧୦୧ରୁ ୧୦୫ଟି ଖଣିରେ ବାସ୍ତବରେ ଉତ୍ପାଦନ ଆରମ୍ଭ ହୋଇପାରିଛି। ଅର୍ଥାତ୍ ପ୍ରତି ୧୦୦ଟି ନିଲାମ ହୋଇଥିବା ବ୍ଲକ୍ରୁ ମାତ୍ର ୧୪ରୁ ୧୫ଟି ଖଣି କାର୍ଯ୍ୟକ୍ଷମ ହୋଇପାରିଛି। ଏହା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି। ଭାରତର ଖଣିଜ ନିଲାମ ବ୍ୟବସ୍ଥା ପ୍ରକୃତରେ ସଫଳ ହୋଇଛି ନା ପ୍ରଶାସନିକ ଓ ଆଇନଗତ ପ୍ରତିବନ୍ଧକ ଯୋଗୁଁ ଭୂମିସ୍ତରରେ ଏହାର ସଫଳତା ବାଧାପ୍ରାପ୍ତ ହେଉଛି?
ଖଣି କାର୍ଯ୍ୟ ଆରମ୍ଭ ହେବାରେ ମୁଖ୍ୟ ପ୍ରତିବନ୍ଧକ
୧. ଅତି କମ୍ ଲିଜ୍ ଅଞ୍ଚଳ ଏବଂ ଆବଶ୍ୟକ ଭିତ୍ତିଭୂମି ପାଇଁ ଜାଗାର ଅଭାବ
ଅନେକ ଖଣିଜ ବ୍ଲକ୍ ଏଭଳି ଅଞ୍ଚଳରେ ନିଲାମ କରାଯାଉଛି, ଯାହାର ଆକାର ଆଧୁନିକ ଖଣି କାର୍ଯ୍ୟକଳାପ ପାଇଁ ଯଥେଷ୍ଟ ନୁହେଁ। ଲିଜ୍ର ସୀମା କେବଳ ଖଣିଜ ଭଣ୍ଡାର ମଧ୍ୟରେ ସୀମିତ ରଖାଯାଉଛି। ଯେତେବେଳେ କି ଖଣି ଚଳାଇବା ପାଇଁ ଅତିରିକ୍ତ ଜମିର ମଧ୍ୟ ଆବଶ୍ୟକତା ରହିଛି।
ଉଦାହରଣ ସ୍ୱରୂପ, ମଧ୍ୟପ୍ରଦେଶର କଟନୀସ୍ଥିତ ଇମାଲିଆ ସ୍ୱର୍ଣ୍ଣ ଓ ମୌଳିକ ଧାତୁ ପ୍ରକଳ୍ପକୁ ମାତ୍ର ୬.୫୧ ହେକ୍ଟର ଅଞ୍ଚଳରେ ନିଲାମ କରାଯାଇଥିଲା। ଏଠାରେ ୧୬ଟି ଭୂପୃଷ୍ଠ ଖଣିଜ ସଙ୍କେତ ଏବଂ ୭ଟି ଆଭ୍ୟନ୍ତରୀଣ ଖଣିଜ ଅଞ୍ଚଳ ରହିଛି। କିନ୍ତୁ ଖୋଲା ଖଣି ଚଳାଇବା ପାଇଁ ଉତ୍ତୋଳନ କରାଯାଉଥିବା ଅଦରକାରୀ ମାଟି ଓ ପଥର ରଖିବା ପାଇଁ ହିଁ ପ୍ରାୟ ଅଧା ଜମି ଆବଶ୍ୟକ ହେଉଛି।
ଏଭଳି ସ୍ଥିତିରେ ଖଣିଜ ପ୍ରକ୍ରିୟାକରଣ କାରଖାନା, ସୁନା ଓ ରୂପା ନିଷ୍କାସନ ୟୁନିଟ୍, ଖଣିଜ ବର୍ଜ୍ୟବସ୍ତୁ ସଂରକ୍ଷଣ ଅଞ୍ଚଳ ଏବଂ ଯନ୍ତ୍ରପାତି ମରାମତି ଭଳି ଆବଶ୍ୟକ ସୁବିଧା ପାଇଁ ପର୍ଯ୍ୟାପ୍ତ ଜାଗା ଉପଲବ୍ଧ ହେଉନାହିଁ। ଲିଜ୍ ସୀମା ବାହାରେ ମଧ୍ୟ ଉତ୍ତମ ଖଣିଜ ସଙ୍କେତ ମିଳୁଥିଲେ ମଧ୍ୟ ତାହାର ଉପଯୋଗ କରିବା ସମ୍ଭବ ହେଉନାହିଁ।
୨. ଜମି ରେକର୍ଡରେ ଅସଙ୍ଗତି ଏବଂ ବନ ବିଭାଗର ଦାବି
ନିଲାମ ପରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଜମି ରେକର୍ଡରେ ଥିବା ଅସଙ୍ଗତି। ନିଲାମ ଦସ୍ତାବିଜରେ ଦିଆଯାଇଥିବା ତଥ୍ୟ ଏବଂ ରାଜସ୍ୱ, ଜଳସେଚନ କିମ୍ବା ବନ ବିଭାଗର ରେକର୍ଡ ମଧ୍ୟରେ ଅନେକ ସମୟରେ ତାଳମେଳ ରହୁନାହିଁ।
ନିବେଶକମାନେ ଜମିର ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ଥିବା ଭାବି ନିଲାମରେ ଅଂଶଗ୍ରହଣ କରନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼େ ଯେ ଉକ୍ତ ଜମି ଉପରେ ବନ ବିଭାଗର ଦାବି ରହିଛି କିମ୍ବା ଅତିରିକ୍ତ ଆଇନଗତ ଦାୟିତ୍ୱ ରହିଛି।
ଉଦାହରଣ ସ୍ୱରୂପ, ହିବ୍ରା ମାଙ୍ଗାନିଜ୍ ବ୍ଲକ୍ର ନିଲାମ ଦସ୍ତାବିଜରେ ୬.୯୦ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ରାଜସ୍ୱ ଜମି ବୋଲି ଦର୍ଶାଯାଇଥିଲା ଏବଂ ବନ ଜମିର ପରିମାଣ ଶୂନ ବୋଲି ଉଲ୍ଲେଖ ଥିଲା। କିନ୍ତୁ ବନ ବିଭାଗର ଅନୁମତି ପ୍ରକ୍ରିୟା ଆରମ୍ଭ ହେବା ପରେ ରେକର୍ଡରେ ୬.୬୫ ହେକ୍ଟର ବନ ଜମି ଥିବା ଜଣାପଡ଼ିଥିଲା। ଏହା ସହିତ ଲିଜ୍ଧାରୀଙ୍କ ଉପରେ ପ୍ରାୟ ୧୧.୨୦ ହେକ୍ଟର ଅଞ୍ଚଳରେ କ୍ଷତିପୂରକ ବନୀକରଣ କରିବାର ଅତିରିକ୍ତ ଦାୟିତ୍ୱ ମଧ୍ୟ ଆସିଥିଲା, ଯାହାର କୌଣସି ଉଲ୍ଲେଖ ନିଲାମ ଦସ୍ତାବିଜରେ ନଥିଲା।
ଅନେକ ସ୍ଥାନରେ ଗ୍ରାମ ପଞ୍ଚାୟତ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଅନାପତ୍ତି ପ୍ରମାଣପତ୍ର ଦିଆଯାଇଥିବା ଜମିକୁ ମଧ୍ୟ ପରବର୍ତ୍ତୀ ସମୟରେ ବନ ବିଭାଗ ପୁରୁଣା ରେକର୍ଡ ଆଧାରରେ ନିଜ ଅଧିକାର କ୍ଷେତ୍ର ବୋଲି ଦାବି କରୁଛି। ଫଳରେ ପ୍ରକଳ୍ପଗୁଡ଼ିକ ବର୍ଷ ବର୍ଷ ଧରି ଅଟକି ରହୁଛି।
୩. ପରିବେଶ ନିୟମ ଏବଂ ଭୂତାତ୍ତ୍ୱିକ ବାସ୍ତବତା ମଧ୍ୟରେ ବିରୋଧାଭାସ
ପରିବେଶ ସୁରକ୍ଷା ଅତ୍ୟନ୍ତ ଜରୁରୀ। କିନ୍ତୁ ଖଣି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞମାନଙ୍କ ମତରେ, ଅନେକ ସମୟରେ ପରିବେଶ ସମ୍ବନ୍ଧୀୟ ନିୟମ ଏବଂ ବାସ୍ତବ ପରିସ୍ଥିତି ମଧ୍ୟରେ ସମନ୍ୱୟ ରହୁନାହିଁ।
ଜଙ୍ଗଲର ପୁନଃସୃଷ୍ଟି କରାଯାଇପାରିବ ଏବଂ ବନ୍ୟଜନ୍ତୁଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇପାରିବ। କିନ୍ତୁ ଖଣିଜ ଭଣ୍ଡାରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ। ପ୍ରକୃତି ଯେଉଁଠାରେ ଏହାକୁ ସୃଷ୍ଟି କରିଛି, ତାହା ସେହି ସ୍ଥାନରେ ହିଁ ରହିଥାଏ।
ଉଦାହରଣ ସ୍ୱରୂପ, ମହାରାଷ୍ଟ୍ରର ପେଞ୍ଚ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳର ଦକ୍ଷିଣ ଭାଗରେ କେତେକ ଖଣିଜ ବ୍ଲକ୍ ନିକଟରେ ବନ୍ୟଜନ୍ତୁ କରିଡରର ସୀମା ଏପରି ତଥ୍ୟ ଆଧାରରେ ନିର୍ଦ୍ଧାରଣ କରାଯାଇଛି, ଯାହା କେବଳ କିଛି ବାଘଙ୍କ ଗତିବିଧିକୁ ଦର୍ଶାଉଛି। ଶିଳ୍ପ ସହ ଜଡ଼ିତ ଲୋକଙ୍କ ମତରେ, ଏହି ସୀମା ଯୋଗୁଁ ଅନେକ ସମୟରେ ବୃହତ୍ ଖଣିଜ ଅଞ୍ଚଳ ଖଣି କାର୍ଯ୍ୟରୁ ବାଦ୍ ପଡ଼ୁଛି। ଫଳରେ ପରିବେଶ ମଞ୍ଜୁରି ପ୍ରକ୍ରିୟା ବର୍ଷ ବର୍ଷ ଧରି ଚାଲୁଛି ଏବଂ ଖଣି କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ।
୪. ଅତ୍ୟଧିକ ଉଚ୍ଚ ନିଲାମ ଦର ଏବଂ ଆର୍ଥିକ ଚାପ
ବର୍ତ୍ତମାନର ନିଲାମ ବ୍ୟବସ୍ଥାରେ କମ୍ପାନିଗୁଡ଼ିକ ଖଣିଜର ବିକ୍ରୟ ମୂଲ୍ୟର ଶତକଡ଼ା ହିସାବରେ ନିଲାମ ଦର ଦେଇଥାନ୍ତି। ବଢ଼ୁଥିବା ପ୍ରତିଯୋଗିତା ଯୋଗୁଁ ଅନେକ ସମୟରେ ନିଲାମ ଦର ଏତେ ଅଧିକ ହୋଇଯାଉଛି ଯେ ପ୍ରକଳ୍ପର ଆର୍ଥିକ ଲାଭଦାୟକତା ହ୍ରାସ ପାଉଛି।
ଉଦାହରଣ ସ୍ୱରୂପ, ମଧ୍ୟପ୍ରଦେଶର ପାଣ୍ଢୁର୍ଣ୍ଣାସ୍ଥିତ ଭିଲାପାର ମାଙ୍ଗାନିଜ୍ ଓ ଡୋଲୋମାଇଟ୍ ବ୍ଲକ୍ ପାଇଁ ୨୦୨୫ ମେ ମାସରେ ବିଜୟୀ କମ୍ପାନି ୪୫,୨୯୫ ପ୍ରତିଶତର ଅନ୍ତିମ ମୂଲ୍ୟ ପ୍ରସ୍ତାବ ଦେଇଥିଲା। ଏହି ହାର ଏତେ ଅଧିକ ଯେ ଉତ୍ପାଦନ ଆରମ୍ଭ ହେବା ପରେ ମଧ୍ୟ ପ୍ରକଳ୍ପର ଖର୍ଚ୍ଚ ଏବଂ ଦେୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର ହୋଇପାରେ।
ବିଶେଷଜ୍ଞଙ୍କ ମତରେ, ଏଭଳି ଅବାସ୍ତବ ନିଲାମ ଦର ପରବର୍ତ୍ତୀ ସମୟରେ ପ୍ରକଳ୍ପ ପରିତ୍ୟାଗ କିମ୍ବା ଆର୍ଥିକ ସଙ୍କଟର କାରଣ ହୋଇପାରେ। ୨୦୨୬ ମସିହାରେ ସରକାର ଏହି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି।
- ଅଣ-ବ୍ୟବହାରଯୋଗ୍ୟ ଅଞ୍ଚଳକୁ ବାଦ୍ ଦେବାର ଅନୁମତି: ଯଦି କୌଣସି ବ୍ଲକ୍ର କିଛି ଅଂଶ ଜଙ୍ଗଲ, ନଦୀ, ବନ୍ୟଜନ୍ତୁ କରିଡର କିମ୍ବା ଜନବସତି କାରଣରୁ ଖଣି କାର୍ଯ୍ୟ ପାଇଁ ଅନୁପଯୁକ୍ତ ହୁଏ, ତେବେ ସେହି ଅଂଶକୁ ଲିଜ୍ରୁ ଅଲଗା କରାଯାଇପାରିବ।
- ଅନଲାଇନ୍ ବ୍ୟବସ୍ଥା ଏବଂ ସମୟବଦ୍ଧ ଫେରସ୍ତ: ନୂତନ ଅନଲାଇନ୍ ବ୍ୟବସ୍ଥା ଅନୁଯାୟୀ, ପର୍ଫର୍ମାନ୍ସ ସିକ୍ୟୁରିଟି ଜମା ହେବା ମାତ୍ରେ ସ୍ୱୟଂଚାଳିତ ଭାବେ ଉଦ୍ଦେଶ୍ୟ ପତ୍ର (ଲେଟର ଅଫ୍ ଇଣ୍ଟେଣ୍ଟ) ଜାରି କରାଯାଇପାରିବ। ଏଥିସହ କେତେକ କ୍ଷେତ୍ରରେ ସୁରକ୍ଷା ଜମା ରାଶି ଫେରସ୍ତ କରିବାର ସମୟସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି।
- ମଞ୍ଜୁରି ପାଇଁ ଅତିରିକ୍ତ ସମୟ: ଯେଉଁ ପ୍ରକଳ୍ପଗୁଡ଼ିକୁ ବନ ମଞ୍ଜୁରି ପାଇବାରେ ଅଧିକ ସମୟ ଲାଗୁଛି, ସେଗୁଡ଼ିକୁ ଅତିରିକ୍ତ ସମୟ ପ୍ରଦାନ କରିବାର ବ୍ୟବସ୍ଥା ଜାରି ରଖାଯାଇଛି।
ଆଗକୁ କ'ଣ କରାଯିବା ଉଚିତ?
୧. ନିଲାମ ପୂର୍ବରୁ ସମସ୍ତ ଜମି ରେକର୍ଡର ଯାଞ୍ଚ
ରାଜ୍ୟ ସରକାରଗୁଡ଼ିକ ନିଲାମ ପୂର୍ବରୁ ରାଜସ୍ୱ, ବନ, ଜଳସେଚନ ଏବଂ ପଞ୍ଚାୟତ ରେକର୍ଡର ମିଳାମିଶା କରି ଯାଞ୍ଚ କରିବା ଉଚିତ। ଜମିର ପ୍ରକୃତ ସ୍ଥିତି ଏବଂ ସମ୍ଭାବ୍ୟ ଦାୟିତ୍ୱ ସମ୍ପର୍କରେ ସମସ୍ତ ତଥ୍ୟ ପୂର୍ବରୁ ଉପଲବ୍ଧ କରାଯିବା ଆବଶ୍ୟକ।
୨. ବ୍ୟବହାରିକ ଲିଜ୍ ସୀମା ନିର୍ଦ୍ଧାରଣ
ଖଣିଜ ବ୍ଲକ୍ର ସୀମା ନିର୍ଦ୍ଧାରଣ ସମୟରେ କେବଳ ଖଣିଜ ଭଣ୍ଡାରକୁ ଦୃଷ୍ଟିରେ ନ ରଖି ବର୍ଜ୍ୟବସ୍ତୁ ସଂରକ୍ଷଣ, ପ୍ରକ୍ରିୟାକରଣ କାରଖାନା, କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଜମି ସାମିଲ କରାଯିବା ଉଚିତ।
୩. ନିଲାମ ବ୍ୟବସ୍ଥାକୁ ଅଧିକ ବାସ୍ତବବାଦୀ କରିବା ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରାଯିବା ଆବଶ୍ୟକ, ଯାହାଦ୍ୱାରା ଅତ୍ୟଧିକ ଉଚ୍ଚ ନିଲାମ ଦରକୁ ନିରୁତ୍ସାହିତ କରାଯାଇପାରିବ ଏବଂ ପ୍ରକଳ୍ପର ଆର୍ଥିକ ଲାଭଦାୟକତା ବଜାୟ ରହିପାରିବ।
୪. ବୈଜ୍ଞାନିକ ଆଧାରରେ ବନ୍ୟଜନ୍ତୁ କରିଡର ନିର୍ଦ୍ଧାରଣ
ବନ୍ୟଜନ୍ତୁ କରିଡରର ସୀମା ଦୀର୍ଘକାଳୀନ ଏବଂ ବ୍ୟାପକ ବୈଜ୍ଞାନିକ ଅଧ୍ୟୟନ ଆଧାରରେ ନିର୍ଦ୍ଧାରଣ କରାଯିବା ଉଚିତ। ଏହାଦ୍ୱାରା ପରିବେଶ ସଂରକ୍ଷଣ ଏବଂ ଖଣି କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇପାରିବ।
ନିଷ୍କର୍ଷ
ଭାରତ ପୁରୁଣା ଖଣିଜ ଆବଣ୍ଟନ ବ୍ୟବସ୍ଥାରୁ ବାହାରି ଏକ ସ୍ୱଚ୍ଛ ଏବଂ ପ୍ରତିଯୋଗିତାମୂଳକ ନିଲାମ ବ୍ୟବସ୍ଥା ଆପଣାଇ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିପାରିଛି। ଏହାଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧି ପାଇବା ସହ ଆବଣ୍ଟନ ପ୍ରକ୍ରିୟା ଅଧିକ ନିରପେକ୍ଷ ହୋଇପାରିଛି। କିନ୍ତୁ କେବଳ ନିଲାମ କରିଦେବା ଯଥେଷ୍ଟ ନୁହେଁ।
ଯଦି ଜମି ବିବାଦ, ବନ ମଞ୍ଜୁରି, ଅବାସ୍ତବ ଲିଜ୍ ସୀମା ଏବଂ ଅତ୍ୟଧିକ ନିଲାମ ଦର ଭଳି ସମସ୍ୟା ଲାଗି ରହେ, ତେବେ ବହୁ ସଂଖ୍ୟକ ନିଲାମ ହୋଇଥିବା ଖଣି ବ୍ଲକ୍ କେବଳ କାଗଜପତ୍ରରେ ସୀମିତ ରହିଯିବ।
ଭାରତ ପାଇଁ ପ୍ରକୃତ ସଫଳତା ସେତେବେଳେ ଆସିବ, ଯେତେବେଳେ ନିଲାମ ହୋଇଥିବା ଖଣିଗୁଡ଼ିକ ଶୀଘ୍ର ଉତ୍ପାଦନ ଆରମ୍ଭ କରିବେ, ନିବେଶକଙ୍କୁ ଆକର୍ଷିତ କରିବେ ଏବଂ ଦେଶର ଖଣିଜ ଆବଶ୍ୟକତା ପୂରଣ କରିବେ। ଆଜି ସବୁଠାରୁ ବଡ଼ ଆହ୍ୱାନ ହେଉଛି ନିଲାମ ଏବଂ ବାସ୍ତବ ଉତ୍ପାଦନ ମଧ୍ୟରେ ରହିଥିବା ବ୍ୟବଧାନକୁ କିପରି ହ୍ରାସ କରାଯାଇପାରିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା