ଇନ୍ଧନ ତାଲିକାର ନୂଆ କରି ସମୀକ୍ଷା କରିବ ସିଏକ୍ୟୁଏମ୍, ଗଠନ କଲା ବିଶେଷଜ୍ଞ ଉପସମିତି
ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବେ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଇନ୍ଧନଗୁଡ଼ିକର ନୂଆ କରି ସମୀକ୍ଷା କରିବ। ଏନ୍ସିଆରରେ ପୂର୍ବରୁ ଅନୁମୋଦିତ ଇନ୍ଧନଗୁଡ଼ିକର ମାନକ ତାଲିକାର
सीएक्यूएम


ନୂଆଦିଲ୍ଲୀ, ୧୮ ନଭେମ୍ବର (ହି.ସ.)- ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଏବେ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଇନ୍ଧନଗୁଡ଼ିକର ନୂଆ କରି ସମୀକ୍ଷା କରିବ। ଏନ୍ସିଆରରେ ପୂର୍ବରୁ ଅନୁମୋଦିତ ଇନ୍ଧନଗୁଡ଼ିକର ମାନକ ତାଲିକାର ସମୀକ୍ଷା କରିବା ଏବଂ ଆବଶ୍ୟକତା ଅନୁଯାୟୀ ସେଥିରେ ପରିବର୍ତନ ପାଇଁ ପରାମର୍ଶ ଦେବା ନିମନ୍ତେ ଆୟୋଗ ୧୫ ଜଣିଆ ବିଶେଷଜ୍ଞ ଉପସମିତି ଗଠନ କରିଛି। ବର୍ତମାନର ତାଲିକାରେ କେଉଁ ଇନ୍ଧନକୁ ରଖିବା, ନୂଆ କରି ସାମିଲ କରିବା କିମ୍ବା ବାଦ୍ ଦେବା ଆବଶ୍ୟକ, ତାହା ଏହି ସମିତି ନିର୍ଦ୍ଧାରଣ କରିବ। ଏହା ସହିତ ଏନ୍ସିଆର ସଂଲଗ୍ନ ଅଂଚଳଗୁଡ଼ିକରେ ବ୍ୟବହୃତ ଇନ୍ଧନର ପ୍ରଦୂଷଣ କ୍ଷମତା ମଧ୍ୟ ଯାଂଚ କରାଯିବ।

ସିଏକ୍ୟୁଏମ୍ ଅନୁଯାୟୀ, ଉପସମିତି ବିଭିନ୍ନ କ୍ଷେତ୍ର ଏବଂ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଇନ୍ଧନଗୁଡ଼ିକର ମୂଲ୍ୟାଙ୍କନ କରିବ। ଏଥିରେ କେଉଁ ଇନ୍ଧନ ପ୍ରଦୂଷଣ ଦୃଷ୍ଟିରୁ ଅଧିକ କ୍ଷତିକାରକ ଏବଂ କେଉଁ ଇନ୍ଧନର ବ୍ୟବହାର ନିୟନ୍ତ୍ରଣ କରିବା ଆବଶ୍ୟକ, ତାହା ଯାଂଚ କରାଯିବ। ସମିତି ଏଭଳି ଇନ୍ଧନଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ନିୟନ୍ତ୍ରଣ ପାଇଁ ଉପଯୁକ୍ତ ପଦକ୍ଷେପ ସୁପାରିସ କରିବ।

ଏହି ସମୀକ୍ଷାର ପ୍ରଭାବ ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟବହୃତ ଇନ୍ଧନ ଉପରେ ପଡ଼ିପାରେ। ଯଦି ସମିତି କୌଣସି ଇନ୍ଧନକୁ ଅଧିକ ପ୍ରଦୂଷଣକାରୀ ବୋଲି ବିବେଚନା କରେ, ତେବେ ତାହାର ବ୍ୟବହାର ଉପରେ ନିୟନ୍ତ୍ରଣ ଲଗାଇବା, ଅନୁମୋଦିତ ତାଲିକାରୁ ହଟାଇବା କିମ୍ବା ବିକଳ୍ପ ସ୍ୱଚ୍ଛ ଇନ୍ଧନ ଆପଣାଇବାକୁ ସୁପାରିସ କରାଯାଇପାରେ। ସେହିପରି ଆବଶ୍ୟକତା ଅନୁଯାୟୀ କିଛି ନୂଆ ଇନ୍ଧନକୁ ମଧ୍ୟ ଅନୁମୋଦିତ ତାଲିକାରେ ସାମିଲ କରିବାକୁ ପରାମର୍ଶ ଦିଆଯାଇପାରେ।

ବିଶେଷ କଥା ହେଉଛି, ଆୟୋଗ ଏହି ସମୀକ୍ଷାର ପରିସରକୁ କେବଳ ଏନ୍ସିଆର୍ ମଧ୍ୟରେ ସୀମିତ ରଖିନାହିଁ। ଏହା ସଂଲଗ୍ନ ଅଂଚଳଗୁଡ଼ିକରେ ବ୍ୟବହୃତ ଇନ୍ଧନକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହାଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଇନ୍ଧନ ସମ୍ବନ୍ଧୀୟ ନିୟମକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ଦିଗରେ ପଦକ୍ଷେପ ନିଆଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande