ପବିତ୍ର ଅଁଳା ନବମୀରେ ଶ୍ରୀରାଧାଙ୍କ ପାଦଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ସାକ୍ଷୀଗୋପାଳ, ୧୮ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଓ ପବିତ୍ର ଅଁଳା ନବମୀରେ ଆଜି ଶ୍ରୀରାଧାଙ୍କ ପାଦ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତମୟ ହୋଇ ଉଠିଛି ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଏହି ବିଶେଷ ତିଥିରେ ଶ୍ରୀକୃଷ୍
ସାକ୍ଷୀଗୋପୀନାଥ ମନ୍ଦିର


ସାକ୍ଷୀଗୋପୀନାଥ ମନ୍ଦିର


ଭକ୍ତ ମାନେ ବ୍ୟାରିକେଡ୍ ରେ ଦର୍ଶନ ପାଇଁ ଯାଉଛନ୍ତି।


ଭକ୍ତ ମାନେ ବ୍ୟାରିକେଡ୍ ରେ ଦର୍ଶନ ପାଇଁ ଯାଉଛନ୍ତି।


ମୀନା ବଜାର


ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଷ୍ଟଲ୍ ଏବଂ ପଲ୍ଲିଶ୍ରୀ ମେଳା


ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଷ୍ଟଲ୍ ଏବଂ ପଲ୍ଲିଶ୍ରୀ ମେଳା


ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଜଳସେବା


ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଜଳସେବା


ସାକ୍ଷୀଗୋପାଳ, ୧୮ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ଓ ପବିତ୍ର ଅଁଳା ନବମୀରେ ଆଜି ଶ୍ରୀରାଧାଙ୍କ ପାଦ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭକ୍ତମୟ ହୋଇ ଉଠିଛି ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଏହି ବିଶେଷ ତିଥିରେ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ମା’ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ଶ୍ରୀରାଧାଙ୍କ ପାଦଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସମ୍ଭାବ୍ୟ ବାତ୍ୟାଜନିତ କୋହଲା ପାଗ ଓ ଦିନତମାମ ରହି ରହି ଝିପି ଝିପି ବର୍ଷା ସତ୍ଵେ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ମନରେ ଉତ୍ସାହ ସ୍ପଷ୍ଟ ବାରି ହୋଇପଡୁଛି ।

ସାଧାରଣ ଭକ୍ତ ମାନେ ବ୍ୟାରିକେଡ୍ ଦେଇ ଯାଇ ସିଂହଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ଭିଆଇପି ପାସ୍ ଧାରୀ ମାନେ ଦକ୍ଷିଣ ଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢ଼ା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଏହା ବ୍ୟତୀତ ସେବାୟତ ପରିବାର ମନ୍ଦିରର ପଶ୍ଚିମ ଦ୍ୱାରରେ ପ୍ରବେଶ ପୂର୍ବକ ଦର୍ଶନ ଓ ବେଢା ପରିକ୍ରମା କରି ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ଆଜିର ଦିନରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା, ଶ୍ରୀ ରାଧାଙ୍କ ପାଦ ଦର୍ଶନ ଓ ମନ୍ଦିର ବେଢ଼ାରେ ଥିବା ଅଁଳା ବୃକ୍ଷ ମୂଳେ ପୂଜାର୍ଚ୍ଚନା କଲେ ଅଶେଷ ପୂର୍ଣ୍ଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେହି ଆସ୍ଥା ଓ ବିଶ୍ୱାସକୁ ଆଧାର କରି ଶ୍ରଦ୍ଧାଳୁମାନେ ମନ୍ଦିର ବେଢାରେ ଥିବା ଅଁଳା ବୃକ୍ଷ ମୂଳେ ପୂଜାର୍ଚ୍ଚନା କରିଛନ୍ତି । ଅଁଳା ବୃକ୍ଷର ଚାରିପାଖେ ସାତ ଘେରା ବୁଲିଛନ୍ତି । ନିଜର ମନବାଞ୍ଛା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରିଛନ୍ତି ।

ଏହି ଅବସରରେ ସାକ୍ଷୀଗୋପୀନାଥଙ୍କୁ ନଟବର ବେଶରେ ଓ ଶ୍ରୀ ରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶରେ ଶ୍ରୀକୃଷ୍ଣଙ୍କୁ ସୁବର୍ଣ୍ଣ ମୁକୁଟ, ସୁବର୍ଣ୍ଣ ବଂଶୀ, କୁଣ୍ଡଳ, ହୀରା ମୁଦି ଆଦି ଆଭୂଷଣ ଲାଗି ହୋଇଛି । ସେହିପରି ଶ୍ରୀରାଧାଙ୍କୁ ସୁବର୍ଣ୍ଣ କିରଟୀ, ପାଉଁଜି, ଗୁଣା, ଚନ୍ଦ୍ରହାର, ଶିକୁଳି, ଖଡ଼ୁ, ନୋଥ ଏବଂ ଅଁଳା ମାଳ, ପୋହଳା ମାଳ ଆଦି ଆଭୂଷଣ ଲାଗି ହୋଇଛି । ଭକ୍ତଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ବେଢା ପ୍ରକମ୍ପିତ ହୋଇଉଠିଛି । ଜୟ ସାକ୍ଷୀଗୋପାଳଙ୍କ ଜୟ, ଜୟ ମା’ ରାଧାରାଣୀଙ୍କ ଜୟ ଧ୍ୱନୀ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି । ଶ୍ରୀରାଧାଙ୍କ ପାଦପଦ୍ମକୁ ଥରେ ମାତ୍ର ଚର୍ମଚକ୍ଷୁରେ ଦେଖିବା ପାଇଁ ଭକ୍ତ ମନ ବ୍ୟାକୁଳ ହୋଇଉଠିଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ମା’ଙ୍କ ପାଦପଦ୍ମ ବର୍ଷସାରା ଆବୃତ ରହିଥାଏ । ଆଜିର ଏହି ବିଶେଷ ତିଥିରେ ମା’ଙ୍କ ଓଡ଼ିଆଣୀ ବେଶ ଦର୍ଶନ ସାଙ୍ଗକୁ ଭକ୍ତଙ୍କୁ ପାଦ ଦର୍ଶନର ସୌଭାଗ୍ୟ ମିଳିଥାଏ । ଆଜିର ଏହି ବିଶେଷ ନୀତିକାନ୍ତି ପାଇଁ ଗତକାଲି ମଧ୍ୟରାତ୍ରରେ ମନ୍ଦିର ଦ୍ୱାରଫିଟା, ମଙ୍ଗଳଆଳତୀ, ବେଶ, ମଇଲମ, ମର୍ଦ୍ଦନ, ଅବକାଶ ଏବଂ ଶ୍ରୀକୃଷ୍ଣଙ୍କ ନଟବର ବେଶ ଓ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶ ସମ୍ପନ୍ନ ହୋଇଥିଲା । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ଦେବ ନୀତି ସମ୍ପନ୍ନ ହୋଇଥିଲା । ଚୂଡ଼ାନ୍ତ ନୀତି ନିର୍ଘଂଟର ୩ ଘଂଟା ପୂର୍ବରୁ ଅର୍ଥାତ୍ ରାତି ୨ଟାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ଠାରୁ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ବୁଧବାର ରାତି ୧୨ଟା ପରେ ପରବର୍ତି ଦେବନୀତି ଆରମ୍ଭ ହୋଇଥିଲା ଏବଂ ପହୁଡ଼ ପଡିଥିବା ଶ୍ରୀ ଶ୍ରୀ ସାକ୍ଷୀଗୋପାଳଙ୍କ ସେବାୟତଙ୍କ ସୂତ୍ରରୁ ପ୍ରକାଶ । ତେବେ ଚଳିତ ବର୍ଷ ସେବାୟତମାନଙ୍କ ନିଷ୍ଠା, ସହଯୋଗ ଓ ଉଦ୍ୟମ ଫଳରେ ନୀତିକାନ୍ତି ସଅଳ ହୋଇଛି । ଚଳିତ ବର୍ଷ ଦର୍ଶନ ବ୍ୟବସ୍ଥା ମଧ୍ୟ ବିଗତ ବର୍ଷ ମାନଙ୍କ ଅପେକ୍ଷା ବେଶ୍ ଶୃଙ୍ଖଳିତ ରହିଛି ।

ପଂଚସଖା ପଡିଆରେ ବିଭିନ୍ନ ପ୍ରକାର ଷ୍ଟଲ୍ ଏବଂ ପଲ୍ଲିଶ୍ରୀ ମେଳାରୁ ଘରକରଣା ସାମଗ୍ରୀ କିଣିବା ପାଇଁ ଯୁବତୀ ଓ ମହିଳା ମାନଙ୍କ ଭିଡ଼ ଲାଗିଛି । ବକୁଳବନ ପ୍ରାଚୀରକୁ ଲାଗି ରହିଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଭଳିକି ଭଳି ଖାଦ୍ୟର ମଜା ନେଉଛନ୍ତି ଲୋକେ । ଏହା ବ୍ୟତୀତ ଧର୍ମଶାଳା ଠାରେ ପଡିଥିବା ମୀନା ବଜାର କୁନି କୁନି ପିଲାଙ୍କୁ ବେଶ୍ ଆକୃଷ୍ଟ କରିଛି । ଏହି ଅବସରରେ ପଚଂସଖା ମୁକ୍ତାକାଶ ରଙ୍ଗମଂଚରେ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଶ୍ରୀ ଶ୍ରୀ ସତ୍ୟବାଦୀ ଗୋପିନାଥଜୀଉ ମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ଶ୍ରୀରାଧା ଉତ୍ସବ - ୨୦୨୬ ସାଂସ୍କୃତିକ କାର୍ଯ୍ୟକ୍ରମ ଝିପି ଝିପି ବର୍ଷା ଯୋଗୁଁ ଚଳିତ ବର୍ଷ ଫିକା ପଡିଛି ।

ଏନେଇ ସୂଚନା ଦେଇ ସତ୍ୟବାଦୀ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ମହାଳିକ କହିଛନ୍ତି ଯେ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ମନ୍ଦିର ଭିତରେ ଓ ବାହାରେ ୨୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅତିରିକ୍ତ ଏସପି ୩ ଜଣ, ୧୧ ଜଣ ଡିଏସପି, ୨୧ ଜଣ ଇନ୍ସପେକ୍ଟର, ୮୦ ଜଣ ଏସଆଇ ଓ ଏଏସଆଇ, ୨୮ ଜଣ ହାବିଲଦାର, ୭୦ ଜଣ କନେଷ୍ଟବଳ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଅଛନ୍ତି । ମନ୍ଦିର ଚର୍ତୁପାଶ୍ୱର୍, ରେଳ ଫାଟକ, ବଜାର, ବସଷ୍ଟାଣ୍ଡ, କଲେଜ ଛକ ଆଦି ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି ।

ଏହି ଅବସରରେ ବିଭିନ୍ନ ସ୍କୁଲ କଲେଜ, ଏନସିସି, ସ୍କାଉଟ୍ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଜଳସେବା, ଟଙ୍କ ତୋରାଣି ଯୋଗାଇ ଦିଆଯାଇଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ସାତ୍ୱିକ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଷ୍ଟ ଏଡ୍ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତା ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande