ଚିନ୍ମୟ ପ୍ରଭୁଙ୍କ ମୁକ୍ତି ପାଇଁ ସ୍ୱର ଉଠାଇଲେ ଶମିକ ଭଟ୍ଟାଚାର୍ଯ୍ୟ
କୋଲକାତା, ୧୮ ନଭେମ୍ବର (ହି.ସ.)- ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସ୍ଥିତି ଏବଂ ଜେଲରେ ବନ୍ଦୀ ଥିବା ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସ ଓରଫ ଚିନ୍ମୟ ପ୍ରଭୁଙ୍କ ମୁକ୍ତି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ପଶ୍ଚିମବଙ୍ଗ ପ୍ରଦେଶ ସଭାପତି ଶମିକ ଭଟ୍ଟା
चिन्मय प्रभु एवं भाजपा के प्रदेश अध्यक्ष शमिक भट्टाचार्य


କୋଲକାତା, ୧୮ ନଭେମ୍ବର (ହି.ସ.)- ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସ୍ଥିତି ଏବଂ ଜେଲରେ ବନ୍ଦୀ ଥିବା ହିନ୍ଦୁ ସନ୍ନ୍ୟାସୀ ଚିନ୍ମୟ କୃଷ୍ଣ ଦାସ ଓରଫ ଚିନ୍ମୟ ପ୍ରଭୁଙ୍କ ମୁକ୍ତି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ପଶ୍ଚିମବଙ୍ଗ ପ୍ରଦେଶ ସଭାପତି ଶମିକ ଭଟ୍ଟାଚାର୍ଯ୍ୟ ଚିନ୍ମୟ ପ୍ରଭୁଙ୍କ ମୁକ୍ତି ଦାବି କରିବା ସହ ତାଙ୍କର ଧାର୍ମିକ ଓ ସାମାଜିକ କାର୍ଯ୍ୟକୁ ଶ୍ରୀ ଚୈତନ୍ୟ ଦେବଙ୍କ କାର୍ଯ୍ୟ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ଚିନ୍ମୟ ପ୍ରଭୁଙ୍କୁ ଦୀର୍ଘ ସମୟ ଧରି ଜେଲରେ ରଖିବା ଏବଂ ତାଙ୍କ କାର୍ଯ୍ୟକୁ ଅସ୍ୱୀକାର କରିବା ପ୍ରକୃତରେ ଶ୍ରୀ ଚୈତନ୍ୟ ଦେବଙ୍କ ବିଚାରଧାରାକୁ ଅସ୍ୱୀକାର କରିବା ସହ ସମାନ।

ଶମିକ ଭଟ୍ଟାଚାର୍ଯ୍ୟ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ସେଠାରେ ରହୁଥିବା ଘୋଷ, ବୋଷ, ମିତ୍ର, ଚକମା ଏବଂ ମତୁଆ ସମ୍ପ୍ରଦାୟର ଲୋକମାନେ ଆମର ନିଜ ଲୋକ ଏବଂ ଏବେ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ଧାର୍ମିକ ଆଚରଣରେ ବାଧା ସୃଷ୍ଟି କରାଯାଉଛି ଏବଂ ମନ୍ଦିରଗୁଡ଼ିକରେ ଭଙ୍ଗାରୁଜା ଘଟଣା ଘଟୁଛି। ଏଭଳି ଘଟଣା ଉପରେ ରୋକ୍ ଲଗାଇବା ସହ ଚିନ୍ମୟ ପ୍ରଭୁଙ୍କୁ ଶୀଘ୍ର ମୁକ୍ତ କରିବାକୁ ସେ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଷୋଡ଼ଶ ଶତାବ୍ଦୀରେ ନବଦ୍ୱୀପର ଶ୍ରୀ ଚୈତନ୍ୟ ଦେବ ଓରଫ ନିମାଇଙ୍କ ନେତୃତ୍ୱରେ ଅବିଭକ୍ତ ବଙ୍ଗଳାରେ ଭକ୍ତି ଆନ୍ଦୋଳନର ବ୍ୟାପକ ପ୍ରସାର ହୋଇଥିଲା। ତାଙ୍କର କୃଷ୍ଣପ୍ରେମର ବାର୍ତା ପରବର୍ତୀ ସମୟରେ ମାନବପ୍ରେମ, ଅହିଂସା ଓ ଧାର୍ମିକ ସଦ୍ଭାବ ସହ ଯୋଡ଼ି ହୋଇଥିଲା। ଶ୍ରୀ ଚୈତନ୍ୟ ଦେବ ନିଜ ବିଚାରଧାରା ମାଧ୍ୟମରେ ହିନ୍ଦୁ ଧର୍ମର ଉଦାର ପରମ୍ପରାକୁ ସାମ୍ନାକୁ ଆଣିଥିଲେ ଏବଂ ଲୋକଙ୍କୁ ପ୍ରେମ ଓ ଅହିଂସାର ମାର୍ଗରେ ଚାଲିବାକୁ ବାର୍ତା ଦେଇଥିଲେ।

ଏହି ବିଚାରଧାରାର ପରମ୍ପରାରୁ ପ୍ରେରିତ ହୋଇ ଇସ୍କନର ସନ୍ନ୍ୟାସୀମାନେ ସାରା ବିଶ୍ୱରେ ଧାର୍ମିକ ସଦ୍ଭାବ ଏବଂ ଚୈତନ୍ୟ ମହାପ୍ରଭୁଙ୍କ ବାର୍ତାର ପ୍ରଚାର କରିଆସୁଛନ୍ତି। ଚିନ୍ମୟ କୃଷ୍ଣ ଦାସ ମଧ୍ୟ ବାଂଲାଦେଶରେ ସନାତନ ଧର୍ମ ସହ ଜଡ଼ିତ ସଂଗଠନ ଏବଂ ଧାର୍ମିକ କାର୍ଯ୍ୟକଳାପ ମାଧ୍ୟମରେ ଏଭଳି କାର୍ଯ୍ୟ କରୁଥିଲେ। ତେବେ, ୨୦୨୪ରେ ଶେଖ ହସିନା ସରକାରର ପତନ ପରେ ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇ ଜେଲକୁ ପଠାଯାଇଥିଲା। ତାଙ୍କର ଆଇନଗତ ପ୍ରକ୍ରିୟାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଯାଉଛି। ନିକଟରେ ତାଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ସାମ୍ନାକୁ ଆସିଛି।

ବାଂଲାଦେଶର ବର୍ତମାନର ରାଜନୈତିକ ପରିସ୍ଥିତି ଉପରେ ପ୍ରତିକ୍ରିୟା ଦେଇ ଶମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଏହା ନିଶ୍ଚିତ ଭାବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ, କିନ୍ତୁ ସେଠାରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ସହ ଭାରତର ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ରହିଛି। ସେ କହିଛନ୍ତି ଯେ, ସେଠାକାର ଲୋକମାନେ ଏବେ ଅସୁରକ୍ଷା ଓ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ଚିନ୍ମୟ ପ୍ରଭୁଙ୍କ ମୁକ୍ତି ଦାବିକୁ ଦୋହରାଇ ସେ କହିଛନ୍ତି ଯେ, ଜଣେ ହିନ୍ଦୁ ସନ୍ନ୍ୟାସୀ ଭାବେ ସେ ଶ୍ରୀ ଚୈତନ୍ୟ ଦେବଙ୍କ କାର୍ଯ୍ୟ ଓ ବାର୍ତାକୁ ଆଗକୁ ବଢ଼ାଉଛନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଧରି ଜେଲରେ ରଖିବା ଏବଂ ନିର୍ଯାତନା ଦେବା ଉଚିତ ନୁହେଁ।

----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande