ବୁଲଗେରିଆ ରାଷ୍ଟ୍ରପତି ନିର୍ବାଚନରେ ଇଲିଆନା ଇଓଟୋଭାଙ୍କ ଚମତ୍କାର ବିଜୟ
ସୋଫିଆ/ମସ୍କୋ, ୦୨ ନଭେମ୍ବର (ହି.ସ.)- ବୁଲଗେରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ତଥା ବୁଲଗେରିଆ ସୋସିଆଲିଷ୍ଟ ପାର୍ଟି (ବିଏସପି)ର ବରିଷ୍ଠ ନେତ୍ରୀ ଇଲିଆନା ଇଓଟୋଭା ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ହାସଲ କରିଛନ୍ତି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ସିଇସି) ସୋମବାର ୧୦୦ ପ୍ରତିଶତ ନ
बुल्गारिया की राष्ट्रपति इलियाना इओटोवा (फाइल फाेटाे)


ସୋଫିଆ/ମସ୍କୋ, ୦୨ ନଭେମ୍ବର (ହି.ସ.)- ବୁଲଗେରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ତଥା ବୁଲଗେରିଆ ସୋସିଆଲିଷ୍ଟ ପାର୍ଟି (ବିଏସପି)ର ବରିଷ୍ଠ ନେତ୍ରୀ ଇଲିଆନା ଇଓଟୋଭା ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ବିଜୟ ହାସଲ କରିଛନ୍ତି। କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ସିଇସି) ସୋମବାର ୧୦୦ ପ୍ରତିଶତ ନିର୍ବାଚନୀ ପ୍ରୋଟୋକଲ୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଆଧିକାରିକ ଫଳାଫଳ ଘୋଷଣା କରିଛି। ଇଓଟୋଭା ମୋଟ ୫୭.୫୭ ପ୍ରତିଶତ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଆନ୍ଦ୍ରେଇ ଗ୍ୟୁରୋଭ ୩୯.୪୮ ପ୍ରତିଶତ ଭୋଟ ପାଇଛନ୍ତି।

ରୁଷୀୟ ସମ୍ବାଦ ଏଜେନ୍ସି ରିଆ ନୋଭୋସ୍ତି ଏବଂ ତୁର୍କିଏର ସରକାରୀ ସମ୍ବାଦ ଏଜେନ୍ସି ଆନାଡୋଲୁ ରିପୋର୍ଟ କରିଛନ୍ତି ଯେ, ନିର୍ବାଚନ ପୂର୍ବରୁ ପ୍ରକାଶିତ ଏକ୍ଜିଟ୍ ପୋଲ୍ରେ ମଧ୍ୟ ଇଓଟୋଭାଙ୍କ ସ୍ପଷ୍ଟ ବିଜୟର ଆକଳନ କରାଯାଇଥିଲା। ପାଂଚଟି ପ୍ରମୁଖ ପୋଲିଂ ଏଜେନ୍ସିର ଆକଳନ ଅନୁଯାୟୀ, ସେ ୫୬.୬ରୁ ୫୮.୨ ପ୍ରତିଶତ ମଧ୍ୟରେ ଭୋଟ ପାଇବାର ସମ୍ଭାବନା ଥିଲା। ଅନ୍ୟପକ୍ଷରେ ଗ୍ୟୁରୋଭ ୩୮.୬ରୁ ୪୦.୬ ପ୍ରତିଶତ ଭୋଟ ପାଇବେ ବୋଲି ଆକଳନ କରାଯାଇଥିଲା।

ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଧାରା ପ୍ରକାଶ ପାଇବା ପରେ ଗ୍ୟୁରୋଭ ନିଜର ପରାଜୟ ସ୍ୱୀକାର କରିଥିଲେ। ସୋଫିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, “ଫଳାଫଳ ଯେତେ ଆଶ୍ଚର୍ଯ୍ୟଜନକ ହେଉ ନା କାହିଁକି, ଆମେ ଏହାକୁ ଗ୍ରହଣ କରୁଛୁ।” ସେ କହିଥିଲେ ଯେ ନିର୍ବାଚନ ପ୍ରଚାର ଶେଷ ହେଉଥିଲେ ମଧ୍ୟ ଦେଶ ପ୍ରତି ଦାୟିତ୍ୱ ଶେଷ ହୋଇନାହିଁ।

ଇଓଟୋଭା ନିଜ ନିର୍ବାଚନ ପ୍ରଚାରରେ ୟୁକ୍ରେନ ଯୁଦ୍ଧକୁ ନେଇ କୂଟନୈତିକ ସମାଧାନ ଉପରେ ଜୋର ଦେଇଥିଲେ। ସେ ୟୁକ୍ରେନକୁ ଅଧିକ ଅସ୍ତ୍ର ଯୋଗାଣକୁ ବିରୋଧ କରିବା ସହ ଶାନ୍ତି ଆଲୋଚନା ମାଧ୍ୟମରେ ସଂଘର୍ଷର ଅନ୍ତ ଘଟାଇବାକୁ ସମର୍ଥନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଇଓଟୋଭା ୩୪.୭୬ ପ୍ରତିଶତ ଭୋଟ ପାଇଥିବା ବେଳେ ଗ୍ୟୁରୋଭ ୩୧.୯୫ ପ୍ରତିଶତ ଭୋଟ ପାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସେ ନିଜର ଅଗ୍ରଣୀକୁ ନିର୍ଣ୍ଣାୟକ ବିଜୟରେ ପରିଣତ କରିଥିଲେ। ଏହାର ବିପରୀତରେ ଗ୍ୟୁରୋଭ ୟୁରୋପୀୟ ସଂଘ ଏବଂ ନାଟୋ ସହ ଦୃଢ଼ ସହଯୋଗ ତଥା ୟୁକ୍ରେନକୁ ସମର୍ଥନ ଦେବା ନୀତିକୁ ସମର୍ଥନ କରିଥିଲେ। ଇଓଟୋଭାଙ୍କ ଆଭିମୁଖ୍ୟକୁ ନେଇ ସେ ସୁରକ୍ଷା ଏବଂ ବୈଦେଶିକ ନୀତି ସମ୍ପର୍କିତ ଚିନ୍ତା ମଧ୍ୟ ପ୍ରକାଶ କରିଥିଲେ।

ଇଓଟୋଭା ପୂର୍ବତନ ରାଷ୍ଟ୍ରପତି ରୁମେନ ରାଦେଭଙ୍କ କାର୍ଯ୍ୟକାଳରେ ଉପରାଷ୍ଟ୍ରପତି ମଧ୍ୟ ରହିଥିଲେ। ଜାନୁଆରୀରେ ରାଦେଭଙ୍କ ଇସ୍ତଫା ପରେ ଇଓଟୋଭା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ। ଏପ୍ରିଲରେ ହୋଇଥିବା ସଂସଦୀୟ ନିର୍ବାଚନରେ ରାଦେଭଙ୍କ ନେତୃତ୍ୱାଧୀନ ଦଳ ‘ପ୍ରୋଗ୍ରେସିଭ୍ ବୁଲଗେରିଆ’ ୨୪୦ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍ ଆସେମ୍ବଲିରେ ୧୩୧ଟି ଆସନ ଜିତି ସ୍ପଷ୍ଟ ବହୁମତ ହାସଲ କରିଥିଲା। ଦଳ ଇଓଟୋଭାଙ୍କ ରାଷ୍ଟ୍ରପତି ପଦ ପ୍ରାର୍ôଥତ୍ୱକୁ ସମର୍ଥନ କରିଥିଲା।

ନିର୍ବାଚନ ପ୍ରଚାର ସମୟରେ ୟୁରୋପୀୟ ସଂଘ, ନାଟୋ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ନୀତିଗତ ମତଭେଦ ପ୍ରମୁଖ ପ୍ରସଙ୍ଗ ରହିଥିଲା। ଗ୍ୟୁରୋଭ ଅଭିଯୋଗ କରିଥିଲେ ଯେ ଇଓଟୋଭା ଏବଂ ତାଙ୍କ ସମର୍ଥକ ରାଜନୈତିକ ଶକ୍ତିଗୁଡ଼ିକର ବିଜୟ ଦେଶର କ୍ଷମତାରେ ସନ୍ତୁଳନକୁ ଦୁର୍ବଳ କରିପାରେ। ୟୁକ୍ରେନକୁ ସୀମିତ ସମର୍ଥନ ଦେବା ଏବଂ ନାଟୋ ଓ ୟୁରୋପୀୟ ସଂଘର ସହଯୋଗୀଙ୍କ ସହ ଧୀର ତାଳମେଳକୁ ସେ ସମାଲୋଚନା କରିଥିଲେ। ଅନ୍ୟପକ୍ଷରେ ଇଓଟୋଭା କୂଟନୀତି ଏବଂ ଶାନ୍ତିର ପଥକୁ ପ୍ରାଥମିକତା ଦେବା କଥା କହିଥିଲେ।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande