
ରାଂଚି, ୦୨ ନଭେମ୍ବର (ହି.ସ.)- ଝାଡ଼ଖଣ୍ଡ ହାଇକୋର୍ଟ ସୋମବାର ଅନୁସୂଚିତ ଜାତି-ଜନଜାତି (ଏସସି-ଏସଟି) ଆଇନ ଅନୁଯାୟୀ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ବିରୋଧରେ ଦାଖଲ ଏଫଆଇଆରକୁ ରଦ୍ଦ କରିବା ଦାବିରେ ହୋଇଥିବା ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ୮ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପାଇଁ ଅଧିକ ସମୟ ମଗାଯିବାରୁ ନ୍ୟାୟମୂର୍ତି ଅନିଲ କୁମାର ଚୌଧୁରୀଙ୍କ ଅଦାଲତ ଏହି ଜରିମାନା ଲଗାଇଛନ୍ତି। ଜରିମାନା ରାଶି ଝାଡ଼ଖଣ୍ଡ ଆଇନ ସେବା ପ୍ରାଧିକରଣ (ଝାଲସା)ରେ ଜମା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତୀ ଶୁଣାଣି ଡିସେମ୍ବର ୯ ତାରିଖରେ ହେବ।
ଏହି ମାମଲାର ପୂର୍ବ ଶୁଣାଣି ସମୟରେ ଅଦାଲତ ପ୍ରତିବାଦୀ ପକ୍ଷ ନମ୍ବର ୨ ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦାଖଲ କରିବା ପାଇଁ ଚାରି ସପ୍ତାହ ସମୟ ଦେଇଥିଲେ। ସେହି ସମୟରେ ମଧ୍ୟ ଅଧିକ ସମୟ ମଗାଯିବାରୁ ଅଦାଲତ ୧୦ ହଜାର ଟଙ୍କା ଜରିମାନା ଲଗାଇଥିଲେ। ଇଡି ପକ୍ଷରୁ ବରିଷ୍ଠ ଓକିଲ ଅମିତ କୁମାର ଦାସ ଏବଂ ଓକିଲ ସୌରଭ କୁମାର ଅଦାଲତରେ ପକ୍ଷ ରଖିଥିଲେ।
ପ୍ରକୃତରେ ଏହି ମାମଲା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ୱାରା ଦାଖଲ ଏଫଆଇଆର୍ ସହ ଜଡ଼ିତ। ମୁଖ୍ୟମନ୍ତ୍ରୀ ଇଡିର ତତ୍କାଳୀନ ଅଧିକାରୀ କପିଲ ରାଜ, ଦେବବ୍ରତ ଝା ଏବଂ ଅନ୍ୟମାନଙ୍କ ବିରୋଧରେ ପଚରାଉଚରା ଓ କାର୍ଯ୍ୟାନୁଷ୍ଠାନ ସମୟରେ କଥିତ ଭାବେ ନିର୍ଯାତନା ଦେବାର ଅଭିଯୋଗ କରିଥିଲେ। ସେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଉପରେ ଗଣମାଧ୍ୟମ ଜରିଆରେ ଭ୍ରମ ସୃଷ୍ଟି କରି ତାଙ୍କ ଛବି ଖରାପ କରିବାର ଅଭିଯୋଗ ମଧ୍ୟ ଆଣିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ଦାଖଲ ଏଫଆଇଆରକୁ ଚ୍ୟାଲେଞ୍ଜ କରି ଇଡି ଅଧିକାରୀମାନେ ହାଇକୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ଏଫଆଇଆର୍ ସହ ଏହା ଆଧାରରେ ଚାଲିଥିବା ତଦନ୍ତ ଏବଂ ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟାକୁ ରଦ୍ଦ କରିବାକୁ ଦାବି କରାଯାଇଛି। ମାମଲାର ପରବର୍ତୀ ଶୁଣାଣି ଏବେ ଡିସେମ୍ବର ୯ ତାରିଖରେ ହେବ।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ