
ନୂଆଦିଲ୍ଲୀ, ୦୨ ନଭେମ୍ବର (ହି.ସ.)- ସମାଜବାଦୀ ପାର୍ଟି (ସପା) ନେତା ଆଜମ ଖାନଙ୍କ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫଦାରିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ସୋମବାର ଆଜମ ଖାନଙ୍କ ପକ୍ଷରୁ ଉପସ୍ଥିତ ଓକିଲ ନିଜାମ ପାଶା ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଆବେଦନକୁ ଉପସ୍ଥାପନ କରି ତୁରନ୍ତ ଶୁଣାଣି ପାଇଁ ଦାବି କରିଥିଲେ। ଅଦାଲତ ତୁରନ୍ତ ଶୁଣାଣି କରିବାକୁ ମନା କରିବା ସହ ଏହି ସପ୍ତାହରେ ଶୁଣାଣି କରିବାକୁ ଆଦେଶ ଦେଇଛନ୍ତି।
ଆବେଦନ ଉପସ୍ଥାପନ ସମୟରେ ପ୍ରଥମେ ଅଦାଲତ ନିଜାମ ପାଶାଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ। ତେବେ ପରେ ଏହି ମାମଲାକୁ ଏହି ସପ୍ତାହରେ କୌଣସି ଏକ ଦିନ ତାଲିକାଭୁକ୍ତ କରିବାର ଆଶ୍ୱାସନା ଦେଇଥିଲେ।
ମନି ଲଣ୍ଡରିଂର ଏକ ନୂଆ ମାମଲାରେ ଇଡି ଆଜମ ଖାନଙ୍କୁ ଗିରଫ କରିଛି। ତାଙ୍କ ଆବେଦନରେ ଏହି ଗିରଫଦାରିକୁ ହିଁ ଚ୍ୟାଲେଞ୍ଜ କରାଯାଇଛି। ନିଜାମ ପାଶା ଅଦାଲତକୁ ଜଣାଇଥିଲେ ଯେ, ଅକ୍ଟୋବର ୨୯ ତାରିଖରେ ଦୁଇଟି ପାନ୍ କାର୍ଡ ସମ୍ପର୍କିତ ମାମଲାରେ ଜେଲ୍ରୁ ମୁକ୍ତ ହେବାର ମାତ୍ର ୪୦ ମିନିଟ୍ ପରେ ଆଜମ ଖାନଙ୍କୁ ଗିରଫ କରାଯାଇଥିଲା। ଆବେଦନରେ ନଭେମ୍ବର ୧ ତାରିଖର ଟ୍ରାଏଲ୍ କୋର୍ଟ ଆଦେଶକୁ ମଧ୍ୟ ରଦ୍ଦ କରିବାକୁ ଦାବି କରାଯାଇଛି, ଯେଉଁ ଆଦେଶ ଅନୁଯାୟୀ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଏହା ସହ ଆଜମ ଖାନଙ୍କୁ ବର୍ତମାନ ହାଜତରୁ ମୁକ୍ତ କରିବାକୁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି।
----------------------
ହିନ୍ଦୁସ୍ଥାନ ସମାଚାର / ଗଗନ