
• ସୁଧାଂଶୁ ତ୍ରିବେଦୀଙ୍କ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ
• ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ଅବିଶ୍ୱାସ ସୃଷ୍ଟି କରୁଥିବା ଅଭିଯୋଗ
• କହିଲେ, ଜଙ୍ଗଲରୁ ସଂକୁଚିତ ହେଉଛି ନକ୍ସଲବାଦ, ଏବେ ଦିଲ୍ଲୀରେ ବିଚାରଧାରାକୁ ନୂଆ ରୂପ ଦେବାକୁ ଉଦ୍ୟମ
ଭୁବନେଶ୍ୱର, 02 ନଭେମ୍ବର (ହି.ସ.) ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ଡ. ସୁଧାଂଶୁ ତ୍ରିବେଦୀ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ଅବିଶ୍ୱାସ ସୃଷ୍ଟି କରିବା, ରାଜନୈତିକ ବିଫଳତାକୁ ଲୁଚାଇବା ଏବଂ ଦେଶରେ ଅରାଜକତାର ପରିବେଶ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନକ୍ସଲବାଦ ଏବେ ଜଙ୍ଗଲରୁ ଶେଷ ହେବାକୁ ଯାଉଥିବା ବେଳେ ଏହାର ବିଚାରଧାରାକୁ ଦିଲ୍ଲୀରେ ନୂଆ ମଞ୍ଚ ଦେବାକୁ ପ୍ରୟାସ କରାଯାଉଛି।
ସୋମବାର ଭୁବନେଶ୍ୱରସ୍ଥିତ ପ୍ରଦେଶ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡ. ତ୍ରିବେଦୀ କଂଗ୍ରେସର କଥିତ ‘ମକ୍ ପାର୍ଲାମେଣ୍ଟ’ କାର୍ଯ୍ୟକ୍ରମ, ବିରୋଧୀ ଦଳର ରାଜନୀତି ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ନେଇ ଉଠାଯାଉଥିବା ପ୍ରଶ୍ନ ଉପରେ ନିଜର ମତ ରଖିଥିଲେ। ଏହି ଅବସରରେ ବିଜେପିର ପ୍ରଦେଶ ସଭାପତି ମନମୋହନ ସାମଲ ଏବଂ ପ୍ରଦେଶ ମହାମନ୍ତ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।
ମକ୍ ପାର୍ଲାମେଣ୍ଟକୁ ନକ୍ସଲୀଙ୍କ ‘ଜନତା ସରକାର’ ସହ ତୁଳନା
ଡ. ତ୍ରିବେଦୀ କହିଥିଲେ, କଂଗ୍ରେସର ମକ୍ ପାର୍ଲାମେଣ୍ଟ ଆୟୋଜନର ଶୈଳୀ ନକ୍ସଲୀଙ୍କ ପୁରୁଣା ବ୍ୟବସ୍ଥାକୁ ମନେ ପକାଇଦେଉଛି। ନକ୍ସଲୀମାନେ ନିଜ ପ୍ରଭାବ ଥିବା ଅଞ୍ଚଳରେ ଅଲଗା ସଂସଦ, ଅଦାଲତ ଏବଂ ତଥାକଥିତ ‘ଜନତା ସରକାର’ , ପ୍ରଜା କୋର୍ଟ ଚଳାଉଥିଲେ। କଂଗ୍ରେସ ଆଜି ସେହିଭଳି ରାଜନୈତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛି।
ଏହି ମକ୍ ପାର୍ଲାମେଣ୍ଟରେ ଦ୍ୱିତୀୟ ପକ୍ଷ ବା ବିପରୀତ ମତ ପାଇଁ ସ୍ଥାନ କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଥିଲେ। କେବଳ ନିଜ ପକ୍ଷର କଥା ଶୁଣିବାର ମାନସିକତାକୁ ସେ ଜରୁରୀକାଳୀନ ପରିସ୍ଥିତି ସମୟରେ ବିରୋଧୀ ନେତାମାନଙ୍କୁ ଜେଲରେ ରଖାଯିବା ଘଟଣା ସହ ତୁଳନା କରିଥିଲେ।
ରାହୁଲ ଗାନ୍ଧୀଙ୍କ ରାଜନୈତିକ କାର୍ଯ୍ୟଶୈଳୀକୁ ସମାଲୋଚନା
ବିଜେପି ମୁଖପାତ୍ର ରାହୁଲ ଗାନ୍ଧୀଙ୍କୁ ରାଜନୈତିକ ଦାୟିତ୍ୱରୁ ଦୂରେଇ ରହୁଥିବା ଅଭିଯୋଗ କରି କହିଥିଲେ, କଂଗ୍ରେସ ଦୀର୍ଘ ସମୟ ଧରି ବିରୋଧୀ ଦଳରେ ରହିଥିଲେ ମଧ୍ୟ ଏହାର ନେତାମାନେ ଜନସାଧାରଣଙ୍କ ମଧ୍ୟରେ ସକ୍ରିୟ ଭାବେ କାମ କରୁଥିବା ଦେଖାଯାଉନାହାନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଉଦାହରଣ ଦେଇ ସେ କହିଥିଲେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସେଠାରେ ୨୫ ଦିନ ରହିବାକୁ ଘୋଷଣା କରିଥିବା ବେଳେ ରାହୁଲ ଗାନ୍ଧୀ କୌଣସି ନିର୍ବାଚନରେ ଏଭଳି ଦୀର୍ଘ ସମୟ ଧରି ସକ୍ରିୟ ପ୍ରଚାର କରିଥିବା ନଜରକୁ ଆସୁନାହାନ୍ତି।
କଂଗ୍ରେସ ନେତାମାନେ ପରିଶ୍ରମ କରିବା ପରିବର୍ତ୍ତେ ସ୍ଲୋଗାନ ଓ ଅଭିଯୋଗ ରାଜନୀତି କରୁଥିବା ସେ ଅଭିଯୋଗ କରିଥିଲେ।
ରାମ, ଶିବ ଓ ଶକ୍ତି ସମ୍ପର୍କରେ ରାହୁଲଙ୍କ ବୟାନକୁ ନେଇ ଆକ୍ରମଣ
ଡ. ତ୍ରିବେଦୀ ରାମଲୀଳା ମୈଦାନରେ କଂଗ୍ରେସ ନେତାମାନଙ୍କ ଧାର୍ମିକ ଉଦାହରଣ ଏବଂ ରାହୁଲ ଗାନ୍ଧୀଙ୍କ ପୂର୍ବ ବୟାନକୁ ନେଇ ମଧ୍ୟ ଟିପ୍ପଣୀ କରିଥିଲେ। କଂଗ୍ରେସ ନେତାମାନେ କେବେ ନିଜକୁ ଶିବଙ୍କ ବରଯାତ୍ରୀ ସହ ତୁଳନା କରୁଛନ୍ତି ତ କେବେ ତାଣ୍ଡବର ଉଦାହରଣ ଦେଉଛନ୍ତି ବୋଲି ସେ କହିଥିଲେ। ବରଯାତ୍ରାରେ ତାଣ୍ଡବ ହୁଏ ନାହିଁ ବୋଲି ମଧ୍ୟ ସେ ମନ୍ତବ୍ୟ ଦେଇଥିଲେ।
ହିନ୍ଦୁ ଧର୍ମରେ ଥିବା ଶକ୍ତି ସହ ଲଢ଼ିବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀଙ୍କ ପୂର୍ବ ବୟାନର ଉଲ୍ଲେଖ କରି ସେ କହିଥିଲେ, ଶିବ ଓ ଶକ୍ତି ପରସ୍ପରଠାରୁ ଅଲଗା ନୁହନ୍ତି। ଶକ୍ତିଙ୍କ ଅଧିଷ୍ଠାନ ଯୋଗୁଁ ହିଁ ଶିବ ପରମେଶ୍ୱର ରୂପେ ପ୍ରତିଷ୍ଠିତ। ଏଭଳି ବୟାନ ଭାରତୀୟ ସଂସ୍କୃତି ଓ ଧାର୍ମିକ ପରମ୍ପରା ପ୍ରତି ରାହୁଲଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି ସେ ଅଭିଯୋଗ କରିଥିଲେ।
ଏଲଆଇସି, ଏସବିଆଇ ଓ ଏଚଏଏଲକୁ ନେଇ କଂଗ୍ରେସର ଅଭିଯୋଗର ଜବାବ
କଂଗ୍ରେସ ଗତ ୧୨ ବର୍ଷ ଧରି ଦେଶର ବିଭିନ୍ନ ସାମ୍ବିଧାନିକ ଓ ଆର୍ଥିକ ସଂସ୍ଥା ପ୍ରତି ଲୋକଙ୍କ ମନରେ ଭ୍ରମ ଓ ସଂଶୟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଡ. ତ୍ରିବେଦୀ ଅଭିଯୋଗ କରିଥିଲେ। ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି), ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏବଂ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ)ର ସ୍ଥିତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବା ସେ କହିଥିଲେ।
୨୦୧୮ରେ ଏଲଆଇସି ଦେବାଳିଆ ହୋଇଯିବ ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଥିଲା ବୋଲି ସେ ଦାବି କରିଥିଲେ। ସେହିପରି ଏସବିଆଇକୁ ନେଇ ମଧ୍ୟ ନକାରାତ୍ମକ ମନ୍ତବ୍ୟ ଦିଆଯାଇଥିଲା। ଏଚଏଏଲକୁ ସରକାର ଦୁର୍ବଳ କରିଦେଇଥିବା ଅଭିଯୋଗର ଜବାବରେ ଏହି କମ୍ପାନୀ ପାଖରେ ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ଅର୍ଡର ରହିଥିବା ସେ କହିଥିଲେ।
କୋଭିଡ୍ ମହାମାରୀ ସମୟରେ ଟିକା ରପ୍ତାନି ଓ ଯୋଗାଣକୁ ନେଇ କଂଗ୍ରେସ ଭ୍ରମ ସୃଷ୍ଟି କରିଥିବା ଏବଂ ଭାରତୀୟ ସେନା, ବାୟୁସେନା ଓ ପ୍ରତିରକ୍ଷା ଅଭିଯାନ ସମ୍ପର୍କରେ ପ୍ରଶ୍ନ ଉଠାଇ ଦେଶର ସୁରକ୍ଷା ବ୍ୟବସ୍ଥା ପ୍ରତି ଅବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଥିଲେ।
ବାଂଲାଦେଶ ଓ ବାମପନ୍ଥୀ ସଂଗଠନକୁ ନେଇ କଂଗ୍ରେସକୁ ଟାର୍ଗେଟ
କଂଗ୍ରେସର କିଛି ଯୁବ ନେତା ଓ ବାମପନ୍ଥୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିଙ୍କ ସହ ଦଳର ରାଜନୈତିକ ମଞ୍ଚ ସହଭାଗିତାକୁ ନେଇ ମଧ୍ୟ ଡ. ତ୍ରିବେଦୀ ପ୍ରଶ୍ନ ଉଠାଇଥିଲେ। ୧୯୭୧ରେ ବାଂଲାଦେଶ ଗଠନ ସମୟରେ କଂଗ୍ରେସ ଭାରତର ଭୂମିକାର କଥା କହୁଥିଲା, କିନ୍ତୁ ଆଜି ଦଳ ଏଭଳି ନେତାମାନଙ୍କୁ ନିଜ ପାଖରେ ଛିଡ଼ା କରୁଛି, ଯେଉଁମାନଙ୍କ ବୟାନରେ ବାଂଲାଦେଶରୁ ଭାରତକୁ ଶିଖିବାର ଆବଶ୍ୟକତା ରହିଛି ବୋଲି କହୁଛନ୍ତି ।
ରାହୁଲ ତାଙ୍କ ନିଜ ଦଳର ଛାତ୍ର କିମ୍ବା ଯୁବ କଂଗ୍ରେସ ପରିବର୍ତ୍ତେ ସଶସ୍ତ୍ର ସଂଘର୍ଷର ବିଚାରଧାରା ସହ ଜଡ଼ିତ ସଂଗଠନ ଓ ନେତାଙ୍କୁ କଂଗ୍ରେସ ରାଜନୈତିକ ଗୁରୁତ୍ୱ ଦେଉଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ)ର ଛାତ୍ର ଶାଖା ସହ ଜଡ଼ିତ କିଛି ନେତାଙ୍କ ଉଲ୍ଲେଖ କରି ସେ କଂଗ୍ରେସର ଆଦର୍ଶଗତ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ୱାନ ଦେଇଥିଲେ।
୧୯୯୯ର ବିଶ୍ୱାସ ଭୋଟ ଓ ୧୯୯୧ର ନିର୍ବାଚନର ଉଦାହରଣ
ଓଡ଼ିଶା ମାଟିରୁ ନିଜ ଅଭିଭାଷଣରେ ଡ. ତ୍ରିବେଦୀ ୧୯୯୯ରେ ଅଟଳ ବିହାରୀ ବାଜପେୟୀ ସରକାରର ବିଶ୍ୱାସ ଭୋଟର ପ୍ରସଙ୍ଗ ଉଠାଇଥିଲେ। ଏପ୍ରିଲ ୧୯୯୯ରେ ଲୋକସଭାରେ ଗୋଟିଏ ଭୋଟରେ ସରକାର ଭାଙ୍ଗିଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ଲୋକସଭା ସଦସ୍ୟ ଭାବେ ଭୋଟ ଦେଇଥିଲେ। ଏହା ପରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ନହୋଇ ସେପ୍ଟେମ୍ବର-ଅକ୍ଟୋବର ୧୯୯୯ରେ ନିର୍ବାଚନ ହୋଇଥିଲା ବୋଲି ସେ କହିଥିଲେ।
ଏହାପରେ ୧୯୯୧ ଲୋକସଭା ନିର୍ବାଚନର ଉଦାହରଣ ଦେଇ ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସମଗ୍ର ଦେଶରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଥିଲା। ନିୟମ ଅନୁସାରେ କୌଣସି ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ସାଧାରଣତଃ ସମ୍ପୃକ୍ତ ଲୋକସଭା ବା ବିଧାନସଭା କ୍ଷେତ୍ରର ନିର୍ବାଚନ ସ୍ଥଗିତ ରଖାଯାଏ। ଏହି ଘଟଣାରେ ନିର୍ବାଚନ ସ୍ଥଗିତ ହେବା ପରେ କଂଗ୍ରେସ ସହାନୁଭୂତିର ରାଜନୈତିକ ଲାଭ ଉଠାଇଥିଲା ବୋଲି ସେ ଅଭିଯୋଗ କରିଥିଲେ।
ନିର୍ବାଚନ ଆୟୁକ୍ତଙ୍କୁ ସଂସଦକୁ ଡାକିବା ପାଇଁ ନିୟମ ନାହିଁ: ତ୍ରିବେଦୀ
ବର୍ତ୍ତମାନର ନିର୍ବାଚନ ଆୟୁକ୍ତଙ୍କୁ ସଂସଦକୁ ଡାକିବା ପାଇଁ କୌଣସି ନିୟମ ନାହିଁ ବୋଲି ଏକ ପ୍ରଶ୍ନର ଉତ୍ତରରେ ଡ. ତ୍ରିବେଦୀ କହିଥିଲେ। ଏହାର ଅଧିକାର କେବଳ ରାଷ୍ଟ୍ରପତିଙ୍କ ପାଖରେ ରହିଛି ବୋଲି ସେ ମତ ଦେଇଥିଲେ। ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏନ୍. ଗୋପାଳସ୍ୱାମୀ ଓ ତତ୍କାଳୀନ ନିର୍ବାଚନ ଆୟୁକ୍ତ ନବୀନ ଚାୱଲାଙ୍କ ମଧ୍ୟରେ ହୋଇଥିବା ବିବାଦର ଉଲ୍ଲେଖ କରି ସେ କହିଥିଲେ, ଚାୱଲାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖାଯାଇଥିଲା। ଏହି ପ୍ରସଙ୍ଗରେ ୨୦୦ରୁ ଅଧିକ ସାଂସଦ ମଧ୍ୟ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ ବୋଲି ସେ କହିଥିଲେ।
ନିର୍ବାଚନ ଆୟୋଗକୁ ନେଇ କଂଗ୍ରେସର ଅଭିଯୋଗକୁ ରାଜନୈତିକ ଅପପ୍ରଚାର କହିଲେ
ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଭାବେ ପରିଚାଳିତ ହେଉଥିବା ସତ୍ତ୍ୱେ କଂଗ୍ରେସ ନିର୍ବାଚନ ଆୟୋଗ ଓ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକ ପ୍ରତି ଭ୍ରମ ସୃଷ୍ଟି କରୁଥିବା ଡ. ତ୍ରିବେଦୀ ଅଭିଯୋଗ କରିଥିଲେ। କୌଣସି ରାଜ୍ୟରେ ଗୋଟିଏ ଦଳର ସରକାର ଲଗାତାର ଦ୍ୱିତୀୟ ବା ତୃତୀୟ ଥର କ୍ଷମତାକୁ ଫେରିଲେ ତାହାକୁ ନେଇ ପ୍ରଶ୍ନ କାହିଁକି ଉଠାଯାଉଛି ବୋଲି ସେ ପଚାରିଥିଲେ।
ଦିଲ୍ଲୀ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, କେରଳ ଓ ପଞ୍ଜାବର ଉଦାହରଣ ଦେଇ ସେ କହିଥିଲେ, ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଲଗାତାର ନିର୍ବାଚନ ଜିତି ସରକାର ଗଠନ କରିଛନ୍ତି। ଗଣତନ୍ତ୍ରରେ ଜନସାଧାରଣଙ୍କ ରାୟ ହିଁ ସର୍ବୋପରି ବୋଲି ସେ କହିଥିଲେ।
ଡ. ତ୍ରିବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟର ଉଲ୍ଲେଖ କରି ବିରୋଧୀ ଦଳଗୁଡ଼ିକ ଉପରେ ପରିବାରବାଦର ରାଜନୀତି କରୁଥିବା ଅଭିଯୋଗ ଆଣିଥିଲେ। ପ୍ରଧାନମନ୍ତ୍ରୀ ଦେଶର ଭବିଷ୍ୟତ ଓ ବିକାଶର କଥା କହୁଥିବା ବେଳେ ବିରୋଧୀ ଦଳର ଅନେକ ନେତାଙ୍କ ରାଜନୈତିକ ଲକ୍ଷ୍ୟ ନିଜ ପରିବାରର ସଦସ୍ୟଙ୍କ ଭବିଷ୍ୟତ ଓ ରାଜନୈତିକ ଉତ୍ତରାଧିକାର ମଧ୍ୟରେ ସୀମିତ ରହିଛି ବୋଲି ସେ କହିଥିଲେ।
କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦେଶର ବିକାଶ, ଗଣତାନ୍ତ୍ରିକ ସଂସ୍ଥାର ମଜବୁତୀ ଏବଂ ଜାତୀୟ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଗମ୍ଭୀରତାର ସହ କାମ କରିବା ଉଚିତ। ରାଜନୈତିକ ବିରୋଧ ନାମରେ ଦେଶରେ ଅବ୍ୟବସ୍ଥା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରାଯିବା ଅନୁଚିତ ବୋଲି ଡ. ତ୍ରିବେଦୀ କହିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ