
ଭୋପାଳ/ଉଜ୍ଜୟିନୀ, ୨୪ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ କଣ୍ଠାଲରୁ ଛତ୍ରୀ ଚୌକ୍ ରାସ୍ତାର ପ୍ରଶସ୍ତୀକରଣ ସମୟରେ ନିଜ ସ୍ଥାନରେ ଅଟଳ ରହିଥିବା ହନୁମାନଜୀ ଏବେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମନ୍ଦିରରେ ଦର୍ଶନ ପାଇଁ ଦୂରଦୂରାନ୍ତର ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ସହ ବିଦେଶୀ ଭକ୍ତମାନେ ମଧ୍ୟ ପହଞ୍ଚୁଛନ୍ତି। ଏଠାରେ ଥିବା ଦାନବାକ୍ସରୁ ଆମେରିକୀୟ ଡଲାର ଓ ୟୁରୋ ମିଳିଛି।
ମନ୍ଦିରର ପୂଜକ ମହେଶ ବୈରାଗୀ ମଙ୍ଗଳବାର କହିଛନ୍ତି ଯେ, ନିକଟରେ ନେପାଳରୁ ପ୍ରାୟ ୨୦୦ ଜଣ ଶ୍ରଦ୍ଧାଳୁଙ୍କ ଏକ ଦଳ ଖଡ଼େ ହନୁମାନଜୀଙ୍କ ଦର୍ଶନ ପାଇଁ ଆସିଥିଲେ। ଭକ୍ତମାନେ ମନ୍ଦିରରେ ନେପାଳୀ ମୁଦ୍ରା ଅର୍ପଣ କରିଥିଲେ। ସେହିପରି ଆମେରିକାରୁ ଆସିଥିବା ଏକ ଦମ୍ପତି ପାଞ୍ଚ ଆମେରିକୀୟ ଡଲାର ଚଢ଼ାଇଥିଲେ। ଏହା ବ୍ୟତୀତ ଅନ୍ୟ ଜଣେ ଶ୍ରଦ୍ଧାଳୁ ପାଞ୍ଚ ୟୁରୋ ମଧ୍ୟ ଅର୍ପଣ କରିଥିଲେ। ଗତ ଏକ ସପ୍ତାହ ମଧ୍ୟରେ ଦାନବାକ୍ସରୁ ଆମେରିକା, ଜୋର୍ଡାନ, ନେପାଳ ଓ ଦୁବାଇର ମୁଦ୍ରା ମିଳିଛି। ବାସ୍ତବରେ ସୋସିଆଲ ମିଡିଆରେ ମନ୍ଦିର ସମ୍ପର୍କିତ ଚର୍ଚ୍ଚା ପରେ ଏଠାକୁ ଶ୍ରଦ୍ଧାଳୁଙ୍କ ଆଗମନ ବଢ଼ିଛି।
ପୂଜକ ମହେଶ ବୈରାଗୀ କହିଛନ୍ତି ଯେ, ଆମେରିକାରୁ ଆସିଥିବା ଦମ୍ପତି ସୋସିଆଲ ମିଡିଆରୁ ମନ୍ଦିର ସମ୍ପର୍କରେ ଜାଣିଥିଲେ। ଖଡ଼େ ହନୁମାନଜୀଙ୍କ ସହ ଜଡ଼ିତ ଚମତ୍କାର ସମ୍ପର୍କିତ ଚର୍ଚ୍ଚା ଶୁଣିବା ପରେ ସେମାନେ ଦର୍ଶନ ପାଇଁ ପହଞ୍ଚିଥିଲେ। ମନ୍ଦିରର ଲୋକପ୍ରିୟତା ଏବେ କେବଳ ଆଖପାଖ ଅଞ୍ଚଳରେ ସୀମିତ ନାହିଁ। ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଆସିବା ଆରମ୍ଭ କରିଛନ୍ତି।
ଉତ୍ତର-ପୂର୍ବ ରାଜ୍ୟରୁ ମଧ୍ୟ ପହଞ୍ଚୁଛନ୍ତି ଭକ୍ତ
ଖଡ଼େ ହନୁମାନଜୀ ବର୍ତ୍ତମାନ ଟେଣ୍ଟ ମଧ୍ୟରେ ବିରାଜମାନ ଥିବା ସତ୍ତ୍ୱେ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି। ସିକ୍କିମ, ମେଘାଳୟ ଓ ଅରୁଣାଚଳ ପ୍ରଦେଶ ଭଳି ଉତ୍ତର-ପୂର୍ବ ରାଜ୍ୟରୁ ମଧ୍ୟ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ପୂଜକ କହିଛନ୍ତି ଯେ, ପୂର୍ବରୁ ମନ୍ଦିରକୁ ଅଧିକାଂଶ ଶ୍ରଦ୍ଧାଳୁ ଆଖପାଖ ରାଜ୍ୟରୁ ଆସୁଥିଲେ। କିନ୍ତୁ ଏବେ ଦେଶର ଦୂରଦୂରାନ୍ତ ଅଞ୍ଚଳ ସମେତ ବିଦେଶରୁ ମଧ୍ୟ ଭକ୍ତମାନେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପହଞ୍ଚୁଛନ୍ତି। ମନ୍ଦିରର ଚର୍ଚ୍ଚା ଓ ଶ୍ରଦ୍ଧାଳୁଙ୍କ ବଢ଼ୁଥିବା ସଂଖ୍ୟା ମଧ୍ୟରେ ବିଦେଶୀ ମୁଦ୍ରା ଦାନ ମଧ୍ୟ ଆକର୍ଷଣର ବିଷୟ ପାଲଟିଛି।
ଉଲ୍ଲେଖଯୋଗ୍ୟ ଯେ, ସିଂହସ୍ଥ ୨୦୨୮କୁ ଦୃଷ୍ଟିରେ ରଖି ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ପ୍ରଶାସନ ପକ୍ଷରୁ ଖଡ଼େ ହନୁମାନଜୀଙ୍କ ମନ୍ଦିରକୁ ହଟାଇ ମୂର୍ତ୍ତିକୁ ଟଙ୍କୀ ଚୌକ ନିକଟରେ ଏକ ନୂତନ ସ୍ଥାନରେ ସ୍ଥାପନ କରିବାର ଯୋଜନା କରାଯାଇଥିଲା। ଏହି ପ୍ରକ୍ରିୟା ସମୟରେ ମନ୍ଦିରର ଢାଞ୍ଚାକୁ ହଟାଯାଇ ଖନନ କରାଯାଇଥିଲା, କିନ୍ତୁ ମୂର୍ତ୍ତିଟି ନିଜ ସ୍ଥାନରୁ ହଲି ନଥିଲା। ଶ୍ରଦ୍ଧାଳୁ ଓ ସୋସିଆଲ ମିଡିଆରେ ଏହାକୁ ଚମତ୍କାର ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏକାଧିକ ଗୁଜବକୁ ଖଣ୍ଡନ କରାଯାଇଥିଲା। ବର୍ତ୍ତମାନ ମୂର୍ତ୍ତିଟି ଟେଣ୍ଟ ମଧ୍ୟରେ ବିରାଜମାନ ରହିଛନ୍ତି। ଏହାପରେ ଏହି ଘଟଣା ଚର୍ଚ୍ଚାକୁ ଆସିଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା