

ଲକ୍ଷ୍ନୌ/ବାରାଣସୀ, ୨୪ ନଭେମ୍ବର (ହି.ସ.)। ଉତ୍ତରପ୍ରଦେଶରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଶ୍ରଦ୍ଧା, ଭକ୍ତି ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଙ୍ଗା, ଯମୁନା, ସରଯୂ, ଗୋମତୀ ସମେତ ଅନ୍ୟାନ୍ୟ ପବିତ୍ର ନଦୀର ଘାଟଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। 'ହର ହର ମହାଦେବ' ଏବଂ 'ହର ହର ଗଙ୍ଗେ' ଧ୍ୱନିରେ ପରିବେଶ ଗୁଞ୍ଜରିତ ହୋଇଥିବାବେଳେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ନଦୀରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିଥିଲେ। ସ୍ନାନ ପରେ ଶ୍ରଦ୍ଧାଳୁମାନେ ଦୀପଦାନ, ଅର୍ଘ୍ୟଦାନ ଓ ଦାନପୁଣ୍ୟ କରି ପରିବାରର ସୁଖ-ସମୃଦ୍ଧି କାମନା କରିଥିଲେ। ବିଭିନ୍ନ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା।
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପବିତ୍ର ନଦୀରେ ସ୍ନାନ କରିବା ପାଇଁ ସୋମବାର ବିଳମ୍ବିତ ରାତିରୁ ହିଁ ଶ୍ରଦ୍ଧାଳୁଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ମଙ୍ଗଳବାର ଭୋର ପ୍ରାୟ ୪ଟାରୁ ବିଭିନ୍ନ ଘାଟରେ ସ୍ନାନ ଆରମ୍ଭ ହୋଇଥିଲା। ଦିନ ବଢ଼ିବା ସହ ଶ୍ରଦ୍ଧାଳୁଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଥିଲା। ବାରାଣସୀ, ପ୍ରୟାଗରାଜ, ଅଯୋଧ୍ୟା, ଗୋରଖପୁର, ମିର୍ଜାପୁର, ବଲିଆ, ଆଜମଗଡ଼, ଦେଓରିଆ, ଲକ୍ଷ୍ନୌ, କାନପୁର, ଆଗ୍ରା ଓ ଝାନ୍ସୀ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ନଦୀଘାଟଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।
ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଗୋମତୀ, ସରଯୂ, ଚନ୍ଦ୍ରପ୍ରଭା, ବରୁଣା, ରାମଗଙ୍ଗା ଓ ସୋନ୍ ନଦୀ ସମେତ ଅନ୍ୟାନ୍ୟ ନଦୀର ଘାଟରେ ପହଞ୍ଚିଥିଲେ। ସକାଳ ହେଉ ହେଉ ଅନେକ ଘାଟରେ ପ୍ରବଳ ଭିଡ଼ ଯୋଗୁଁ ତିଳେ ମାତ୍ର ସ୍ଥାନ ଖାଲି ନଥିଲା। ରାଜ୍ୟର ବିଭିନ୍ନ ସରୋବର, ପୋଖରୀ ଓ ଗ୍ରାମାଞ୍ଚଳର ଜଳାଶୟଗୁଡ଼ିକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା।
ପ୍ରୟାଗରାଜରେ ଗଙ୍ଗା, ଯମୁନା ଓ ଅଦୃଶ୍ୟ ସରସ୍ୱତୀଙ୍କ ପବିତ୍ର ସଙ୍ଗମସ୍ଥଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିଥିଲା। ସଙ୍ଗମତଟ ବ୍ୟତୀତ ବଲୁଆଘାଟ, ଶିବକୁଟୀ, ଅରୈଲ ଓ ଫାଫାମଉ ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ସେହିପରି ଧର୍ମନଗରୀ ବାରାଣସୀର ପ୍ରାଚୀନ ଦଶାଶ୍ୱମେଧ ଓ ପଞ୍ଚଗଙ୍ଗା ଘାଟରେ ବିଶେଷ ଚଳଚଞ୍ଚଳତା ଦେଖାଦେଇଥିଲା। ଗଙ୍ଗା ନଦୀର ଉଭୟ କୂଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା। ଅସ୍ସୀ, ଭଦୈନୀ, ଶୀତଳା, ଅହଲ୍ୟାବାଈ, କେଦାର, ଭୈଁସାସୁର ଓ ରବିଦାସ ଘାଟ ସମେତ ସାମ୍ନେଘାଟ ଏବଂ ରାମନଗର ବଲୁଆଘାଟରେ ମଧ୍ୟ ସକାଳୁ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଥିଲା। ସ୍ନାନ ପରେ ମହିଳା ଓ ପୁରୁଷମାନେ ଦଳଗତ ଭାବେ ଦୀପଦାନ ଓ ଅର୍ଘ୍ୟଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା