
ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)। ଗୁରୁ ନାନକ ଦେବଜୀଙ୍କ ୫୫୭ତମ ଜୟନ୍ତୀ ଅବସରରେ ବିଜେପିର ଜାତୀୟ ସଭାପତି ନୀତିନ ନବୀନ ମଙ୍ଗଳବାର ଦିଲ୍ଲୀସ୍ଥିତ ଗୁରୁଦ୍ୱାରା ରକାବଗଞ୍ଜ ସାହିବରେ ମଥା ଟେକିଛନ୍ତି। ସେ ଗୁରୁଦ୍ୱାରାରେ ଅରଦାସ କରିବା ସହ କୀର୍ତ୍ତନ ମଧ୍ୟ ଶୁଣିଥିଲେ।
ଏହି ଅବସରରେ ଦିଲ୍ଲୀ ବିଜେପି ସଭାପତି ହର୍ଷ ମଲହୋତ୍ରା ଏବଂ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସର୍ଦ୍ଦାର ମନଜିନ୍ଦର ସିଂହ ସିରସା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଗୁରୁଦ୍ୱାରା ପରିଚାଳନା କମିଟି ପକ୍ଷରୁ ଶିଖ୍ ପରମ୍ପରା ଅନୁଯାୟୀ ନୀତିନ ନବୀନଙ୍କୁ ସମ୍ମାନସୂଚକ ସରୋପା ପ୍ରଦାନ କରାଯାଇଥିଲା।
ଗୁରୁଦ୍ୱାରା ପରିସରରେ ଉପସ୍ଥିତ ସଙ୍ଗତଙ୍କୁ ସମ୍ବୋଧିତ କରି ନୀତିନ ନବୀନ କହିଥିଲେ ଯେ, ଗୁରୁ ନାନକ ଦେବଜୀ ମାନବତାକୁ 'ଏକ ଓଁକାର, ଏକ ଜ୍ୟୋତି'ର ବାର୍ତ୍ତା ଦେଇଥିଲେ। ଜାତିପ୍ରଥା, ଉଚ୍ଚ-ନୀଚ ଭେଦଭାବ ଏବଂ ସାମାଜିକ ବିଭେଦକୁ ଦୂର କରି ସେ ସମାଜକୁ 'ନାମ ଜପୋ, କିରତ କରୋ, ୱଣ୍ଡ ଛକୋ'ର ମାର୍ଗ ଦେଖାଇଥିଲେ। ଗୁରୁଜୀଙ୍କ ଶିକ୍ଷା ଆଜି ମଧ୍ୟ ମାନବତା, ସମାନତା, ସେବା ଓ ପରୋପକାର ପାଇଁ ପ୍ରେରଣା ଯୋଗାଉଛି।
ସେ କହିଥିଲେ ଯେ, ମୋଦୀ ସରକାର ଗୁରୁ ନାନକ ଦେବଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ତ୍ୟୋଦୟ ଏବଂ 'ସବକା ସାଥ୍, ସବକା ବିକାଶ' ମନ୍ତ୍ରକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛି। ଗୁରୁ ନାନକ ଦେବଜୀଙ୍କ ଜୟନ୍ତୀ ଅବସରରେ ତାଙ୍କର ପବିତ୍ର ଆଲୋକ ସମସ୍ତଙ୍କ ଜୀବନକୁ କରୁଣା, ପରିଶ୍ରମ ଓ ପରୋପକାରରେ ଆଲୋକିତ କରୁ ଏବଂ ଭାରତ ବିଶ୍ୱଗୁରୁ ହେଉ ବୋଲି ସେ କାମନା କରିଥିଲେ।
ହର୍ଷ ମଲହୋତ୍ରା ମଧ୍ୟ ଗୁରୁ ନାନକ ଜୟନ୍ତୀ ଅବସରରେ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ଗୁରୁଜୀ ପ୍ରେମ, ଭାଇଚାରା ଓ ସେବାର ବାର୍ତ୍ତା ଦେଇଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ପାଖରେ ସେବା ପହଞ୍ଚାଇବାକୁ ଦିଲ୍ଲୀ ବିଜେପି ପ୍ରତିବଦ୍ଧ ବୋଲି ସେ କହିଥିଲେ।
ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ସଙ୍ଗତଙ୍କୁ ପ୍ରକାଶ ପର୍ବର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଗୁରୁ ନାନକ ଦେବଜୀଙ୍କ 'ସମସ୍ତଙ୍କ ମଙ୍ଗଳ'ର ବାର୍ତ୍ତା ହିଁ ସରକାରଙ୍କ ସଂକଳ୍ପ। ଗୁରୁଦ୍ୱାରାର ମର୍ଯ୍ୟାଦା ଏବଂ ଶିଖ୍ ଐତିହ୍ୟର ସଂରକ୍ଷଣ ପାଇଁ ସରକାର ସର୍ବଦା ତତ୍ପର ବୋଲି ସେ କହିଥିଲେ।
ଏହି ଅବସରରେ ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପରିଚାଳନା କମିଟିର ଅଧ୍ୟକ୍ଷ ସର୍ଦ୍ଦାର ହରମୀତ ସିଂହ କାଲକା ନୀତିନ ନବୀନଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଗୁରୁ ନାନକ ଦେବଜୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିଲେ ହିଁ ଦେଶ ଏକତା ଓ ଭାଇଚାରାର ବନ୍ଧନରେ ବାନ୍ଧି ହୋଇପାରିବ।
ଏହି କାର୍ଯ୍ୟକ୍ରମରେ ବିଜେପିର ଜାତୀୟ ଗଣମାଧ୍ୟମ ସଂଯୋଜକ ଆଶିଷ ଊଷା ଅଗ୍ରୱାଲ, ବିଧାୟକ ସର୍ଦ୍ଦାର ତରବିନ୍ଦର ସିଂହ ମାରୱାହ, ନିଗମ ପାରିଷଦ ଯୋଗିତା ସିଂହ, ପଞ୍ଜାବୀ ଏକାଡେମୀର ଉପାଧ୍ୟକ୍ଷ ସର୍ଦ୍ଦାର ଇମପ୍ରୀତ ସିଂହ ବକ୍ସୀ, ଦିଲ୍ଲୀ ବିଜେପି ମୁଖପାତ୍ର ୟାସିର ଜିଲାନୀଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ସଙ୍ଗତ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା