ଲିବିଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ମେଲୋନିଙ୍କୁ କ୍ଷମା ମାଗିଲେ ଜେଲେନସ୍କି
ମସ୍କୋ, ୨୮ ନଭେମ୍ବର (ହି.ସ./ରିୟା ନୋଭୋସ୍ତି)- ଲିବିଆର ବେଙ୍ଗାଜି ବନ୍ଦରରେ ୟୁକ୍ରେନର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ବଡ଼ କୂଟନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ଅପରେସନକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ କ୍ଷମା ମାଗିଛନ୍
यूक्रेन के राष्ट्रपति वोलोदिमीर ज़ेलेंस्की-इटली की प्रधानमंत्री जॉर्जिया मेलोनी  (फाइल फाेटाे)


ମସ୍କୋ, ୨୮ ନଭେମ୍ବର (ହି.ସ./ରିୟା ନୋଭୋସ୍ତି)- ଲିବିଆର ବେଙ୍ଗାଜି ବନ୍ଦରରେ ୟୁକ୍ରେନର ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ବଡ଼ କୂଟନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ଅପରେସନକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ କ୍ଷମା ମାଗିଛନ୍ତି। ଇଟାଲୀର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନୀ ଏହି ସୂଚନା ଦେଇ କହିଛନ୍ତି ଯେ, ଲିବିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୟୁକ୍ରେନ ଇଟାଲୀକୁ କୌଣସି ସୂଚନା ଦେଇନଥିଲା। ଏହି ଘଟଣା ୟୁରୋପ ଏବଂ ଭୂମଧ୍ୟସାଗରିୟ ଅଞ୍ଚଳର ସୁରକ୍ଷାକୁ ନେଇ ନୂତନ ଚିନ୍ତା ସୃଷ୍ଟି କରିଛି।

ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ସରକାର ବେଙ୍ଗାଜିରେ ୟୁକ୍ରେନ୍ ଆକ୍ରମଣ ବିଷୟରେ ସଂସଦ କିମ୍ବା ମିଡିଆକୁ କୌଣସି ସୂଚନା ଲୁଚାଇ ନାହାଁନ୍ତି। ସେ ଲେଖିଛନ୍ତି, ଜେଲେନସ୍କିଙ୍କ କ୍ଷମା ପ୍ରାର୍ଥନା ପରିସ୍ଥିତିକୁ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଦେଇଛି। ଇଟାଲୀର ଖବରକାଗଜ ଫୋଗ୍ଲିଓ ସରକାରୀ ସୂତ୍ରକୁ ଉଦ୍ଧୃତ କରି କହିଛି ଯେ, ଜେଲେନସ୍କି ମେଲୋନିଙ୍କୁ କ୍ଷମା ମାଗିଛନ୍ତି କାରଣ ଲିବିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ୟୁକ୍ରେନ ରୋମକୁ ପୂର୍ବରୁ ସୂଚନା ଦେଇନଥିଲା।

ଇଟାଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ 'ଚିଗି ପ୍ୟାଲେସ୍' ଅନୁଯାୟୀ, ଶୁକ୍ରବାର ଦିନ ଜର୍ଜିଆ ମେଲୋନି ଏବଂ ଜେଲେନ୍ସ୍କିଙ୍କ ମଧ୍ୟରେ ଏକ ଫୋନ୍ ବାର୍ତ୍ତାଳାପ ହୋଇଥିଲା। ଏହି ସମୟରେ, ମେଲୋନି ବେଙ୍ଗାଜି ବନ୍ଦରରେ ୟୁକ୍ରେନୀୟ ସେନାର କାର୍ଯ୍ୟକଳାପ ବିଷୟରେ ଗମ୍ଭୀର ଚିନ୍ତା ପ୍ରକଟ କରିଥିଲେ। ଜେଲେନସ୍କି ସ୍ୱୀକାର କରିଥିଲେ ଯେ, ଏହି ସାମରିକ କାର୍ଯ୍ୟାନୁଷ୍ଠାନ ସହଯୋଗୀ ଦେଶଗୁଡ଼ିକ ସହିତ ପୂର୍ବ ସମନ୍ୱୟ ବିନା କରାଯାଇଥିଲା। ସେ ମେଲୋନିଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସେ ଇଟାଲୀର ଚିନ୍ତାକୁ ବୁଝିଛନ୍ତି।

ଇଟାଲୀ ସରକାରଙ୍କ କହିବା ଅନୁଯାୟୀ, ବେଙ୍ଗାଜି ବନ୍ଦରରେ ୟୁକ୍ରେନର କାର୍ଯ୍ୟାନୁଷ୍ଠାନ ଲିବିଆର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରିଛି। ଏଥି ସହିତ, ଏହା ଋଷ-ୟୁକ୍ରେନ୍ ବିବାଦ ଭୂମଧ୍ୟସାଗର ମଧ୍ୟକୁ ବିସ୍ତାର ହେବାର ଆଶଙ୍କା ବୃଦ୍ଧି କରିପାରେ। ଏହା ପୂର୍ବରୁ ଶୁକ୍ରବାର ଦିନ ଆଣ୍ଟୋନିଓ ତାଜାନି ଜେଲେନସ୍କିଙ୍କ ଦାବିକୁ ଅସ୍ୱୀକାର କରିଥିଲେ ଯେ, ଲିବିଆରେ ଆକ୍ରମଣ ଆନ୍ତର୍ଜାତୀୟ ସହଯୋଗୀଙ୍କ ସହ ସମନ୍ୱୟ ରଖି କରାଯାଇଥିଲା। ଇଟାଲୀର ଉପ ପ୍ରଧାନମନ୍ତ୍ରୀ ତଥା ପରିବହନ ମନ୍ତ୍ରୀ ମାଟ୍ଟେଓ ସାଲଭିନି ମଧ୍ୟ ବୁଧବାର ଉଦ୍ବେଗ ପ୍ରକାଶ କରିଥିଲେ ଯେ, ଲିବିଆ ବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ ଭୂମଧ୍ୟସାଗରରେ ନୌଚାଳନା ସ୍ୱାଧୀନତା ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ପ୍ରଭାବ ପକାଇପାରେ।

ଏହି ପ୍ରସଙ୍ଗରେ ଲିବିଆ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋମବାର ଦିନ, ଲିବିଆର ରାଷ୍ଟ୍ରପତି ପରିଷଦର ସଦସ୍ୟ ମୋସା ଅଲ୍-କୋନି, ବେଙ୍ଗାଜି ବନ୍ଦର ଉପରେ ଆକ୍ରମଣ ପାଇଁ ୟୁକ୍ରେନକୁ ଦାୟୀ କରି ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଲିବିଆ ଜାତୀୟ ସେନାର ଦୁଇ ଜଣ ନୌସେନା କର୍ମଚାରୀ ନିହତ ହୋଇଥିଲେ। ଏହି ଘଟଣା ପରେ ଲିବିଆର ବୈଦେଶିକ ମନ୍ତ୍ରଣାଳୟ ୟୁକ୍ରେନଠାରୁ ଏକ ସରକାରୀ ସ୍ପଷ୍ଟୀକରଣ ମାଗିଥିଲା।

ବେଙ୍ଗାଜି ବନ୍ଦର ଉପରେ କଥିତ ୟୁକ୍ରେନୀୟ ଆକ୍ରମଣ ଏବଂ ପରବର୍ତ୍ତୀ କୂଟନୈତିକ ବିବାଦ ଭୂମଧ୍ୟସାଗରୀୟ ଅଞ୍ଚଳର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଇଟାଲୀ ଚିନ୍ତିତ ଯେ, ସହଯୋଗୀ ଦେଶମାନଙ୍କୁ ସୂଚନା ନଦେଇ ଏପରି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱାରା ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇପାରେ। ଏଥି ସହିତ, ଲିବିଆ ନିଜର ସାର୍ବଭୌମତ୍ଵ ଉଲ୍ଲଂଘନର ପ୍ରସଙ୍ଗ ଉଠାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande