
ପାଣାଜୀ, ୨୭ ନଭେମ୍ବର (ହି.ସ.)। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଆଜି ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଏହାର ଦୀର୍ଘକାଳୀନ ପ୍ରଭାବ ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟାରୀ ‘ଡେମୋଗ୍ରାଫି ଇଜ୍ ଡେଷ୍ଟିନି’ ପ୍ରଦର୍ଶିତ ହୋଇଛି। ଏଥିରେ ଚେତାବନୀ ଦିଆଯାଇଛି ଯେ, ଯଦି ଜନସଂଖ୍ୟାର ଅସମାନୁପାତିକ ବିସ୍ତାର ଜାରି ରହେ, ତେବେ ଆଗାମୀ ୩୦ରୁ ୩୫ ବର୍ଷ ମଧ୍ୟରେ ଭାରତର ମୂଳ ନିବାସୀମାନେ ସଂଖ୍ୟାଲଘୁ ହୋଇଯିବେ।
ଜଣାଶୁଣା ଉଦ୍ୟୋଗପତି ତଥା ହିନ୍ଦୁସ୍ଥାନ ସମାଚାରର ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର ସଂଘଭୀଙ୍କ ଦ୍ୱାରା ନିର୍ମିତ ଏବଂ କାମାଖ୍ୟା ନାରାୟଣ ସିଂହ ଓ ଅଂଶୁମାନ ଶେଖରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡକ୍ୟୁମେଣ୍ଟାରୀ ଦର୍ଶକମାନଙ୍କୁ ଦୀର୍ଘକାଳୀନ ଜନସଂଖ୍ୟାଗତ ଧାରା ଏବଂ ଜାତୀୟ ସ୍ଥିରତା, ସାଂସ୍କୃତିକ ନିରନ୍ତରତା ତଥା ସମାଜର ଭବିଷ୍ୟତ ଉପରେ ଏହାର ପ୍ରଭାବ ସମ୍ପର୍କରେ ଗମ୍ଭୀରତାର ସହ ଚିନ୍ତା କରିବାକୁ ବାର୍ତ୍ତା ଦେଉଛି।
ଏହି ଚଳଚ୍ଚିତ୍ରରେ ଜନସଂଖ୍ୟାଗତ ପରିବର୍ତ୍ତନ କିପରି କୌଣସି ଦେଶର ଭବିଷ୍ୟତକୁ ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ପ୍ରଭାବିତ କରିଥାଏ, ତାହାର ବିଶ୍ଳେଷଣ କରାଯାଇଛି।
ଐତିହାସିକ ଜନଗଣନା ତଥ୍ୟରୁ ଆରମ୍ଭ ହୋଇଥିବା ଏହି ଡକ୍ୟୁମେଣ୍ଟାରୀରେ ୧୯ଶ ଶତାବ୍ଦୀର ଶେଷ ଭାଗରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଭାରତର ଜନସଂଖ୍ୟା ଗଠନରେ ଆସିଥିବା ପରିବର୍ତ୍ତନକୁ ଦର୍ଶାଯାଇଛି। ଏଥିସହିତ ଦେଶ ବିଭାଜନ ଭଳି ପ୍ରମୁଖ ଐତିହାସିକ ଘଟଣା ଉପରେ ଏହି ପରିବର୍ତ୍ତନର ପ୍ରଭାବକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି।
ଡକ୍ୟୁମେଣ୍ଟାରୀର ଶେଷରେ ଏହି ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ, ଦେଶର ଭାଗ୍ୟକୁ ସୁରକ୍ଷିତ ରଖିବା ଏବଂ ସଠିକ୍ ଦିଗରେ ଗଢ଼ିବା ପାଇଁ ଜନସଚେତନତା ଓ ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ଡକ୍ୟୁମେଣ୍ଟାରୀରେ ଚେତାବନୀ ଦିଆଯାଇଛି ଯେ, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଯଦି ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନିଆ ନଯାଏ, ତେବେ ୨୦୫୦-୬୦ ମଧ୍ୟରେ ହିନ୍ଦୁ ସମାଜର ଜନସଂଖ୍ୟା ୫୦ ପ୍ରତିଶତରୁ କମ୍ ହୋଇଯିବ।
ଉଲ୍ଲେଖଯୋଗ୍ୟ, ଏହି ଡକ୍ୟୁମେଣ୍ଟାରୀର ସହ-ନିର୍ଦ୍ଦେଶକ କାମାଖ୍ୟା ନାରାୟଣ ସିଂହ ଏହା ପୂର୍ବରୁ ‘ଜଷ୍ଟିସ୍ ଡିଲେଡ୍ ବଟ୍ ଡିଲିଭର୍ଡ’ (୨୦୨୦), ‘ଭୋର୍: ଡନ୍’ (୨୦୧୮) ଏବଂ ‘ଦି କେରଳ ଷ୍ଟୋରୀ ୨ ଗୋଜ୍ ବିୟଣ୍ଡ’ (୨୦୨୬) ଭଳି ଚଳଚ୍ଚିତ୍ର ପାଇଁ ପରିଚିତ। ସେହିପରି ଅଂଶୁମାନ ଶେଖର ‘ଏ ଟ୍ରିବ୍ୟୁଟ୍ ଟୁ ଲେଟ୍ ଶ୍ରୀ ମନୋହର ପାରିକର’ (୨୦୧୯) ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା