
କାଠମାଣ୍ଡୁ, ୨୭ ନଭେମ୍ବର (ହି.ସ.)- ନେପାଳରେ ପାଇପଲାଇନ୍ ସମେତ ଗ୍ୟାସ ଷ୍ଟୋରେଜ୍ ହାଉସ୍ ନିର୍ମାଣ କରିବାର ଯୋଜନାର ଅଂଶବିଶେଷ ସ୍ୱରୂପ, ଇଣ୍ଡିଆନ ଅଏଲ କର୍ପୋରେସନ (ଆଇ. ଓ. ସି.) ଏବଂ ନେପାଳ ଅଏଲ କର୍ପୋରେସନ (ଏନ. ଓ. ସି.) ର ଅଧିକାରୀମାନଙ୍କୁ ନେଇ ଏକ ମିଳିତ କାର୍ଯ୍ୟଗୋଷ୍ଠୀ ଗଠନ କରାଯାଇଛି।
ନିକଟରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଭାରତ ଗସ୍ତ ସମୟରେ ହୋଇଥିବା ରାଜିନାମା ଅନୁଯାୟୀ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ନେପାଳ ପକ୍ଷରୁ ଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏବଂ ଭାରତ ପକ୍ଷରୁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ଯାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏହାର ନେତୃତ୍ଵ ନେବେ।
ହାଇଦ୍ରାବାଦ ହାଉସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନେପାଳ ସରକାରଙ୍କ ଅଧୀନରେ ଏକ ଗ୍ୟାସ୍ ଷ୍ଟୋରେଜ୍ ହାଉସ୍ ନିର୍ମାଣର ଘୋଷଣା ପରେ ଏହି ମିଳିତ କାର୍ଯ୍ୟ ଗୋଷ୍ଠୀ ଗଠନ କରାଯାଇଛି। ଏହାର ଅଂଶବିଶେଷ ସ୍ୱରୂପ, ଆଇ. ଓ. ସି. ଅଧିକାରୀମାନେ ନେତ୍ରଗଞ୍ଜରେ ଏନ୍. ଓ. ସି. ର ଜମିର ଏକ ଅନ୍-ଦ-ସ୍ପଟ୍ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ଯାଞ୍ଚ ପରେ ପାଇପଲାଇନର ଢାଞ୍ଚା, ଷ୍ଟୋରେଜ୍ ହାଉସ୍, ଗ୍ୟାସ୍ ବୁଲେଟ୍ ରୁ ଅନଲୋଡିଂ କ୍ଷମତା ଏବଂ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରିବାର ବ୍ୟବସ୍ଥା ସମେତ ବିଭିନ୍ନ ଦିଗ ଉପରେ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରାଯିବ। ଭାରତୀୟ ଅଧିକାରୀମାନେ ଆକଳନ କରିଛନ୍ତି ଯେ, ପାଇପଲାଇନ୍ ଏବଂ ଷ୍ଟୋରେଜ୍ ହାଉସ୍ ନିର୍ମାଣରେ ଆନୁମାନିକ ୧୦୫୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ।
ଶିଳ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ନୱରାଜ ଘିମିରେ ଦୁଇ ଦେଶର ଯୁଗ୍ମ ସଚିବ ସ୍ତରୀୟ ଯୁଗ୍ମ କାର୍ଯ୍ୟ ଗୋଷ୍ଠୀର ପ୍ରଥମ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହେବା ନେଇ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ଯାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ଵରେ ପ୍ରତିନିଧି ଦଳ ସହିତ ବିସ୍ତୃତ ଆଲୋଚନା କରାଯିବ। ଘିମିରେଙ୍କ ଅନୁଯାୟୀ, ଆଗାମୀ ଏକ ମାସ ମଧ୍ୟରେ ପ୍ରକଳ୍ପ ସହିତ ଜଡ଼ିତ ବିଷୟଗୁଡିକୁ ଚୂଡ଼ାନ୍ତ ରୂପ ଦେବାକୁ ଲକ୍ଷ୍ୟ ରଖାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ