

ସମ୍ବଲପୁର, ୦୬ ନଭେମ୍ବର(ହି.ସ.) – ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ବାଲ୍ୟ ବିବାହ ବନ୍ଦ କରିବା ଓ କିଶୋରୀ ସଶକ୍ତି କରଣ ପାଇଁ ଆଜି ଏକ ଜିଲ୍ଲା ଟାସ୍କ ଫୋର୍ସ ସମିତି ଓ ବେଟି ବଚାଓ, ବେଟି ପଢ଼ାଓ' ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ସୁଧାଂଶୁ କୁମାର ଭୋଇ ସଭାପତିତ୍ୱ କରିଥିଲେ ଓ କିଶୋରୀ ବାଳିକା ମାନଙ୍କୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱତନ୍ତ୍ର ବୈଠକ କରିବା ଓ ବାଲ୍ୟ ବିବାହ ଉପରେ ସେମାନଙ୍କର ମତ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସରୋଜା ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବୈଠକରେ ଜିଲ୍ଲା ସ୍ତରର ସମସ୍ତ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ହିଣ୍ଡାଲ୍ କୋ ଓ ଆଦିତ୍ୟ ବିର୍ଲା ଭଳି ସଂସ୍ଥାର କର୍ମକର୍ତା, ବିଭିନ୍ନ ପଂଚାୟତର ସରପଂଚ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତା, ପାରା ଲିଗାଲ କର୍ମୀ ଓ ଜାତି ସମାଜର ସଭ୍ୟସଭ୍ୟା ମାନେ ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୁନୀତା ତ୍ରିପାଠୀ ଜିଲ୍ଲା ସଂଯୋଜିକା ଏଡ.ଏଟ୍ .ଆକ୍ସନ ଓ ଉନିସେଫ୍ ଜିଲ୍ଲା ରେ ବାଲ୍ୟ ବିବାହ ନିରାକରଣ ପାଇଁ ଓ କିଶୋର କିଶୋରୀ ସଶକ୍ତି କରଣ ପାଇଁ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଜିଲ୍ଲା ସଂଯୋଜକ ହବ୍ ଛୋଟଲାଲ ସାହୁ ବେଟି ବଚାଓ, ବେଟି ପଢ଼ାଓ'କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ। ଡିଏସପି ତାରବତୀ ପ୍ରଧାନ ନିଜ ବ୍ୟକ୍ତବରେ ସମସ୍ତଙ୍କ ମିଳିତ ସହଯୋଗ ରହିଲେ ସମଗ୍ର ସମ୍ବଲପୁରକୁ ବାଲ୍ୟ ବିବାହ ମୁକ୍ତ କରାଯାଇ ପାରିବ ବୋଲି ନିଜର ମତାମତ ରଖିଥିଲେ। ଅତିରିକ୍ତ ଶ୍ରମ ଅଧିକାରିଣୀ ପୁଷ୍ପାଞ୍ଜଳି କୁଲ୍ଲୁ ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲାରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ହିଣ୍ଡାଲ୍କୋ ଆଦିତ୍ୟ ବିର୍ଲାର ପରାମର୍ଶଦାତା ସୁକାନ୍ତ ମହାପାତ୍ର ସ୍କିଲ ସେଣ୍ଟର୍ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଓ ଆମ ପୋଲିସ ସମିତିକୁ ସୁଦୃଢ଼ କରିବା ପାଇଁ ମତ ରଖିଥିଲେ। ଆଦର୍ଶ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ବେହେରା ଗରିବ ଶ୍ରେଣୀର ବାଳିକା ମାନଙ୍କୁ କିପରି ପାଠ୍ୟ ଉପକରଣର ସହାୟତା ଦିଆ ଯାଇ ପାରିବ ସେ ସମ୍ପର୍କରେ ମତ ପ୍ରଦାନ କରିଥିଲେ। ଏହି ଅବସରରେ କିଶୋରୀ ନେତୃତ୍ୱ ପାଇଁ ରାଜ୍ୟ ସ୍ତରରେ ସମ୍ମାନିତ ହୋଇଥିବା ସଞ୍ଜନା ପ୍ରଧାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ହବ୍ ର ସମସ୍ତ କର୍ମକର୍ତା ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର କମ୍ ପ୍ରୋଟେକସନ୍ ଅଫିସର ସରିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ