
ସୁବର୍ଣ୍ଣପୁର, 12 ଫେବ୍ରୁଆରି (ହି.ସ.)
ଆଜି ଆପରାହ୍ନ 3.30ଟାରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା ମହାଶିବରାତ୍ରି ପାଇଁ ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଡ଼. ସୌମ୍ୟ ରୁପା ରଥଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଉଷାରଣୀ ଦାସ, ସହାୟକ ଜିଲ୍ଲାପାଳ ରାମ ଶଙ୍କର ମିଶ୍ର, ସହାୟକ ଅଗ୍ନିଶମ ଅଧିକାରୀ ଭବେନ୍ଦ୍ରନାଥ ଦେ, ଟାଟା ପାୱାର କର୍ମଚାରୀ ବିବେକାନନ୍ଦ ଦୀକ୍ଷିତ, ସୋନପୁର ଟାଉନ ଥାନା ଅଧିକାରୀ ଯାଦବ ବାଗ, ତହସିଲଦାର ଜି. ରଶ୍ମିରେଖା, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଏବଂ ସୋନପୁର ମୁନିସିପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ ଉପସ୍ଥିତ ଥିଲେ। ଏହା ସହିତ ଶିବଶକ୍ତି ସେବାୟତ ସଂଘ ସୋନପୁର ଓ ଦେବୋତ୍ତର ପରାମର୍ଶ ବୋର୍ଡର ସଦସ୍ୟମାନେ ମଧ୍ୟ ଯୋଗଦାନ କରିଥିଲେ।
ବୈଠକରେ ଜିଲ୍ଲାର ରାମେଶ୍ୱର ମନ୍ଦିରରେ ମହାଶିବରାତ୍ରି ପାଇଁ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଡ଼. ରଥ ସମସ୍ତ ଅଧିକାରୀଙ୍କୁ ସମନ୍ୱୟରେ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇ ଗତ ବର୍ଷର ସମସ୍ୟା ପୁନରାବୃତ୍ତି ନ ହେବା ପାଇଁ ସଜାଗ ରହିବାକୁ କହିଥିଲେ। ମୁନିସିପାଲଟିକୁ ଡଷ୍ଟବିନ, ଜଳ ଯୋଗାଣ ଓ ଆଲୋକୀକରଣ, ଟାଟା ପାୱାରକୁ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ମନ୍ଦିର ରଙ୍ଗକାମ, ଆଲୋକୀକରଣ ଏବଂ ପୁରୁଷ–ମହିଳାଙ୍କ ପାଇଁ ଧାଡି ବ୍ୟବସ୍ଥା କରିବାକୁ କୁହାଯାଇଛି। ଗତ ବର୍ଷ ଅସାମାଜିକ କାର୍ଯ୍ୟକଳାପ ଦେଖାଯାଇଥିବାରୁ ପୋଲିସ ଫୋର୍ସ ବୃଦ୍ଧି ପାଇଁ ଟାଉନ ଥାନା ଅଧିକାରୀଙ୍କୁ ନିର୍ଦେଶ ମିଳିଛି।
ଡ଼. ରଥ କହିଛନ୍ତି ଯେ ଏହି ବର୍ଷ ସୁରୁଖୁରୁରେ ଶିବରାତ୍ରି ପାଳନ ହେବ ଏବଂ ଭକ୍ତମାନଙ୍କ ପାଇଁ ଭଜନ ସନ୍ଧ୍ୟା କିମ୍ବା ଅଷ୍ଟପ୍ରହରୀ ଆୟୋଜନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ