
ଚମ୍ପୁଆ,୧୫ ଫେବୃଆରୀ(ହି.ସ.) – ମହା ଶିବରାତ୍ରୀ ଅବସରରେ ଚମ୍ପୁଆ ଅଂଚଳର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବଡ଼ିଭୋର୍ରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବପୀଠରେ ଦେବଦେବ ମହାଦେବଙ୍କୁ ଜଳଲାଗୀ କଲାପରେ ପୂଜା ଅର୍ଚ୍ଚନା କରିଥିଲେ। ମୋଟାମୋଟି ଆଜି ପ୍ରତ୍ୟୁଷରୁ ଶିବାଳୟମାନଙ୍କରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଚମ୍ପୁଆ ଦେବତୋର ବିଭାଗ ପକ୍ଷରୁ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡ଼ାଙ୍କ ନେତୃତ୍ୱରେ ତଥା ଚନ୍ଦ୍ରଶେଖର ମହାଦେବ ମନ୍ଦିରର ପରିଚାଳନା କମିଟି ପକ୍ଷରୁ ଶିବଜାଗର ଯାତ୍ରାକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଚମ୍ପୁଆ ଜାଗର ଯାତ୍ରାରେ ଭିଡ଼କୁ ନିୟନ୍ତ୍ରଣ କରିବା ଓ ଜାଗର ଯାତ୍ରା ସୁଗମ କରିବା ପାଇଁ ସ୍ଥାନୀୟ ପ୍ରଶାସନ, ପୁଲିସ ବାହିନୀ, ମହତାବ ଉଚ୍ଚ ବିଦ୍ୟାଳୟ ଓ ଶିଶୁ ମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍ସିସି କ୍ୟାଡେଟ) ମୁତୟନ କରାଯାଇଥିଲା। ସେହିପରି ସ୍ଥାନୀୟ କମିଟି ଦ୍ୱାରା ବିଶ୍ୱରୂପାୟ ମହାଦେବ ଗୋଧୂଳି, ରାମତୀର୍ଥ, ପାଂଚପୋଖରୀଆ ଶିବମନ୍ଦିର, ମହେଶ୍ୱରପୁର ଶିବମନ୍ଦିର, କୋଦଗାଡ଼ିଆ, ମିରିଗିସିଙ୍ଗା, କାଲାମନ୍ଦିର, କାଳିକାପ୍ରସାଦ, ହୁଞ୍ଜପଶି, ରିମୁଳି, ପର୍ଶଳା, ରଜିଆ, ସରେଇ, ବଡନଇଁ, କରଞ୍ଜିଆ, କାଞ୍ଜିଆଶୁଳା, ଭୁଇଁପୁର, ବାଲିପଶି, ପଡୁଆ, ଶିରିକୁଆଁ, ଟାଙ୍ଗରବନ୍ତଳା, ଜ୍ୟୋତିପୁର, ଫୁଲକଅଁଳେଇ, ଷଡ଼ଙ୍ଗୀ, ଭଣ୍ଡା, କେଶରୀକୁଣ୍ଡ, ରୂପାକୁଣ୍ଡ, ନନ୍ଦପୁର ଆଦି ବିଭିନ୍ନ ଶୈବପୀଠମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶାନ୍ତି ଶୃଙ୍ଖଳାର ସହିତ ପୂଜା ଅର୍ଚ୍ଚନା କରି ଜାଗର ଜାଳିବା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ସମର ଶିକ୍ଷାର୍ଥୀ ବାହିନୀ ଓ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ରାତି ୯ ଘଟିକା ସମୟରେ ମହାଦୀପ ପୂର୍ବ ବର୍ଷମାନଙ୍କ ଭଳି ଯଥାରୀତି ଉଠିଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta