
ପୁରୀ, ୧୫ ଫେବୃଆରୀ (ହି.ସ.)- ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ପୁରୀ ଶ୍ରୀ ଲୋକନାଥ ମନ୍ଦିରରେ ଆଜି ଜାଗର ଯାତ୍ରା ପାଳିତ ହେଉଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବାବା ଲୋକନାଥଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଲାଭ କରିଛନ୍ତି ।
ନୀତି ନିର୍ଘଂଟ ଅନୁସାରେ ସମସ୍ତ କାର୍ଯ୍ୟ ସମାପନ ହୋଇଛି । ଭୋର୍ ୪ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ଭକ୍ତମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ବାବା ଲୋକନାଥଙ୍କ ଦର୍ଶନ କରୁଛନ୍ତି । ମହାଶିବରାତ୍ରୀରେ ଏଠାରେ ସ୍ୱତନ୍ତ୍ର ନୀତି ହରିହର ଭେଟ ଅନୁଷ୍ଠିତ ହେବ । ଶ୍ରୀ ଲୋକନାଥଙ୍କ ଭଣ୍ଡାର ରକ୍ଷକ ଶଙ୍କରଙ୍କ ଚଳନ୍ତି ପ୍ରତିମା ଆସି ପହଂଚିବା ପରେ ରାତିରେ ହରିହର ଭେଟ ଅନୁଷ୍ଠିତ ହେବ । ଏବଂ ପରବର୍ତୀ ସମୟରେ ଭୋର୍ ୪ଟାରେ ମହାଦୀପ ଉଠିବ । ଏହି ଅବସରରେ ମନ୍ଦିର ପରିସରରେ ଜଳୁଛି ଜଗତ ମଙ୍ଗଳ ଦୀପ । ପଙ୍କୋଦ୍ଧାର ଏକାଦଶୀ ଠାରୁ ମହା ଶିବରାତ୍ରି ପର୍ଯ୍ୟନ୍ତ ତିନି ଦିନ ଧରି ଜଳୁଛି ଅଷ୍ଟଧାତୁରେ ନିର୍ମିତ ଏହି ଜଗତ ମଙ୍ଗଳ ଦୀପ । ମହାଦୀପ ଉଠିବା ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ ଏହି ଦୀପ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ