
ସମ୍ବଲପୁର, ୧୭, ଫେବ୍ରୁଆରୀ (ହି.ସ.)ସମ୍ବଲପୁର ଜିଲ୍ଲାର ଆଶାୟୀ ଯୁବକ/ଯୁବତୀ ମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ଏକ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଘରୋଇ ସଂସ୍ଥା ଯୋଗଦେବେ । କେତେକ ସଂସ୍ଥାରେ ସିଧାସଳଖ ନିଯୁକ୍ତିର ସୁବିଧା ଥିବାବେଳେ କେତେକ ସଂସ୍ଥା ନିଯୁକ୍ତି ଭିତ୍ତିକ ତାଲିମ ପରେ ନିଯୁକ୍ତି ପ୍ରଦାନ କରିବେ ।ଏଣୁ ସମ୍ବଲପୁର ଜିଲ୍ଲାର ଚାକିରୀ ଅନ୍ଵେଷଣରେ ଥିବା ଯୋଗ୍ୟତା ୮ମ ଶ୍ରେଣୀ ପାସ୍ ରୁ ଉର୍ଦ୍ଧ୍ବ, ଦଶମ ଶ୍ରେଣୀ, +୨, +୩, ଆଇଟିଆଇ, ଡିପ୍ଲୋମା, ବି. ଟେକ୍, ଇତ୍ୟାଦି ପାସ୍ କରିଥିବା ୧୮ ରୁ ୩୫ ବର୍ଷ ବୟସ ସୀମା ଅନ୍ତର୍ଭୁକ୍ତ ସମସ୍ତ ନିଯୁକ୍ତି ଆଶାୟୀ ଯୁବକ/ଯୁବତୀ ମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣପତ୍ର ଓ ପାସପୋର୍ଟ ସାଇଜ ଫୋଟୋଗ୍ରାଫ ସହିତ ଆୟୋଜିତ ହେବାକୁ ଥିବା ନିଯୁକ୍ତି ମେଳାରେ ଯୋଗ ଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଆଗାମୀ ଫେବୃୟାରୀ ୧୯ ତାରିଖ ପୂର୍ବାହ୍ନ
୧୦ଘ. ରୁ ଅପରାହ୍ଣ ୦୪ ଘଟିକା ପର୍ଯ୍ୟନ୍ତ ଅଇଁଠାପାଲି ସ୍ଥିତ ବିର୍ସାମୁଣ୍ଡା ପିଏଚଡି ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ