ପୁରୀ ପୋଲିସ ପକ୍ଷରୁ ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ସମୀକ୍ଷା ବୈଠକ
ପୁରୀ, ୨୮ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲାରେ ଆସନ୍ତା ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବକୁ ଶାନ୍ତିପୂର୍ଣ୍ଣ, ସୁଶ୍ରୁଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଶନିବାର ପୁରୀ ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସପି ପ୍ରତୀକ ସିଂ ଅଧ୍ୟକ
ପୁରୀ ପୋଲିସ ପକ୍ଷରୁ ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ସମୀକ୍ଷା ବୈଠକ


ପୁରୀ, ୨୮ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲାରେ ଆସନ୍ତା ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବକୁ ଶାନ୍ତିପୂର୍ଣ୍ଣ, ସୁଶ୍ରୁଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଶନିବାର ପୁରୀ ପୋଲିସ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସପି ପ୍ରତୀକ ସିଂ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଲ ମିଶ୍ର, ଦେବୀ ପ୍ରତାପ, ସଚିନ ପଟେଲ, ସୌମ୍ୟରଞ୍ଜନ ମଲ୍ଲିକ, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର, ସଦର ଡିଏସପି ମାନସ ରଞ୍ଜନ ବାରିକ ସହ ସମସ୍ତ ଏସଡିପିଓ ଏବଂ ଜିଲ୍ଲାର ସମସ୍ତ ଥାନାର ଆଇଆଇସିମାନେ ଉପସ୍ଥିତ ଥିଲେ। ମିଟିଙ୍ଗରେ ଆଗାମୀ ପର୍ବ ପାଳନ ସମୟରେ ଆଇନ- ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ସମ୍ଭାବ୍ୟ ସେନ୍ସିଟିଭ୍ ସ୍ଥାନଗୁଡ଼ିକରେ ବିଶେଷ ପୋଲିସ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ମଦ୍ୟପାନ, ବାଣ ଉପରେ ରୋକ ଓ ଅସାମାଜିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା।

ପୋଲିସ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ପର୍ବ ସମୟରେ ସାଧାରଣ ଲୋକଙ୍କ ସହ ସୁମଧୁର ବ୍ୟବହାର ରଖିବା ସହିତ ସଚେତନତା ମୂଳକ ପ୍ରଚାର କରାଯିବ। ସୋସିଆଲ୍ ମିଡିଆ ମାଧ୍ୟମରେ କୌଣସି ବିଭ୍ରାନ୍ତିକର ସୂଚନା ପ୍ରସାର ହେଲେ ତାହାକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ପ୍ରସ୍ତୁତି କରିବାକୁ କହିଥିଲେ। ସେ ଆହୁରି କହିଥିଲେ ଯେ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ ସମୟରେ ଶାନ୍ତି ରଖିବା ପୁରୀ ପୋଲିସର ପ୍ରଥମ ପ୍ରାଥମିକତା। ଯେକୌଣସି ଅସାମାଜିକ କାର୍ଯ୍ୟକଳାପ, ଦୁଷ୍କୃତି କିମ୍ବା ଅନିୟମିତତା ପ୍ରତି ଶୂନ୍ୟ ସହନଶୀଳତା ଅନୁସରଣ କରାଯିବ। ସମସ୍ତ ଥାନାରେ ପେଟ୍ରୋଲିଂ ବୃଦ୍ଧି, ଚେକିଂ କଡ଼ାକଡ଼ି ଏବଂ ଆବଶ୍ୟକତାନୁସାରେ ବିଶେଷ ପୋଲିସ ମୁତୟନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଫିକ ବ୍ୟବସ୍ଥା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ମୁତୟନ ହେବେ ଏବଂ ସିସିଟିଭି ମାଧ୍ୟମରେ ସତର୍କ ନଜର ରଖାଯିବ। ପୁରୀ ପୋଲିସ ସମସ୍ତ ନାଗରିକଙ୍କୁ ଆହ୍ୱାନ କରୁଛି ଯେ, ସେମାନେ ଆଇନକୁ ସମ୍ମାନ କରି ଏବଂ ଦୋଳ ଓ ହୋଲି ପର୍ବ ପାଳନ କରନ୍ତୁ। କୌଣସି ଅସୁବିଧା ଦେଖାଦେଲେ ନିକଟସ୍ଥ ଥାନା କିମ୍ବା ୧୧୨ ସହ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande