
ଜୟପୁର, ୧୧ ମାର୍ଚ୍ଚ (ହି.ସ.) - ଭରପୁର ଗ୍ୟାସ ମହଜୁଦ ଅଛି। ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇନି। ସରକାରଙ କ୍ୱାରମ୍ବାର ଏଭଳି ଆଶ୍ୱାସନା ସତ୍ୱେ ଲୋକେ ନୋଛଡବନ୍ଧା। ଛାନିଆ ହୋଇ ଗ୍ୟାସ ଏଜେନ୍ସି ପାଖକୁ ଦୌଡୁଛନ୍ତି। ସକାଳୁ ଲମ୍ବା ଲାଇନ ଲଗାଉଛନ୍ତି। ଆବଶ୍ୟକତା ନଥାଇ ବୁକିଂ କରୁଛନ୍ତି। ଆଗକୁ ଗ୍ୟାସ ସଙ୍କଟ ଦେଖାଦେବ ଏହି ଭୟ ଆଉ ଗୁଜବ ଚାରିଆଡେ ଖେଳିଗଲାଣି। ଆଉ ଏହାର ଫଳ ଏଲପିଜିର କୃତ୍ରିମ ଅଭାବ। ଗ୍ୟାସ ଏଜେନ୍ସି ଆଗରେ ଭିଡ ଆଉ ହୋ ହାଲ୍ଲା।
ଆଜି ସ୍ଥାନୀୟ ପାଣିନଳା ସାହିରେ ଥିବା ଏଚପିଗ୍ୟାସ ସେଂଟର ଓ ମାଦଳା ସାହି ଠାରେ ଥିବା ଭାରତଗ୍ୟାସ ସେଂଟରରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସରକାର ଗ୍ୟାସ ବୁକିଂ ଅବଧି ୨୫ ଦିନକୁ ବଢଇବା ପରେ ବି ସ୍ଥିତି ସୁଧୁରିନି। ବରଂ ଅଧିକ ବିଗୁଡିଛି। ଗୁଜବ ଶୁଣିବା ପରେ ଲୋକେ ଖାଲି ସିଲିଣ୍ତର ଧରି ଗ୍ୟାସ ଏଜେଜ୍ସି ଓ ଡିପୋ ପାଖକୁ ଛୁଟିଥିଲେ। ସେଠାରେ ଭିଡ ଲଗାଇ ଗ୍ୟାସ ମାଗିଥିଲେ। ଯେଉଁ ଗ୍ରାହକଙ୍କ ଏବେ ଗ୍ୟାସ ଦରକାର ନାହିଁ ସେମାନେ ବି ଖାଲି ଟାଙ୍କି ନେଇ ଆଗୁଆ ଗ୍ୟାସ ମହଜୁଦ କରିବା ଲକ୍ଷରେ ଲାଇନରେ ରହିଥିଲେ। ଏଥିପାଇଁ ସବୁ ସ୍ଥାନରେ ତତକ୍ଷଣାତ ଗ୍ୟାସ ସଙ୍କଟ ସ୍ଥିତି ସୃଷ୍ଟି ହୋଇଥିଲା। ଲୋକଙ୍କ ଚାହିଦା ସୁଯୋଗରେ କିଛି ଗ୍ୟାସ ଏନେଜ୍ସି ଗ୍ୟାସର କଳାବଜାରୀ କରିବା ଆରମ୍ଭ କରିଦେଇଛନ୍ତି। ସରକାର ଗୋଟିଏ ସିଲିଣ୍ତର ପିଛା ୬୦ ଟଙ୍କା ବୃଦ୍ଧି କରିଥିବା ବେଳେ ଜୟପୁର ସହରରେ କିଛି କଳା ବ୍ୟବସାୟୀ ୨ଶହରୁ ୪ଶହ ଟଙ୍କା ବୃଦ୍ଧି କରି ବିକ୍ରି କରୁଛନ୍ତି। ଏପରିକି ସୁଧାକର ଗ୍ୟାସ ଏଜେନ୍ସି ସରକାରଙ୍କ ପକ୍ଷରୁ ଗ୍ୟାସ ସିଲିଣ୍ତର ପିଛା ୬୦ଟଙ୍କା ବୃଦ୍ଧି କରାଯାଇଥିବା ଘୋଷଣା ହେବା ପରେ ପରେ ଚଢା ଦରରେ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଯେତିକିବେଳେ ପୁରୁଣା ଷ୍ଟକ ଏବଂ ପୁରୁଣା ଦରରେ କ୍ରୟ କରି ନୂତନ ଦରରେ ବିକ୍ରି କରି ଅଧିକ ଟଙ୍କା ଉପାର୍ଜନ କରିଛନ୍ତି। ଏନେଇ ଯୋଗାଣ ବିଭାଗ ଓ ଉପଜିଲ୍ଲାପାଳଙ୍କ ନଜରକୁ ଆଣିବା ପରେ ମଧ୍ୟ ଏହି ଏଜେନ୍ସି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହା ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତମାନ ଏହି ଏଜେନ୍ସି ମାଲିକ ଗ୍ୟାସ ମହଜୁଦ ରଖି ଗ୍ରାହକଙ୍କୁ ଡେଲିଭରି ଦେଉନାହାନ୍ତି। ଗ୍ରାହକ ମାନେ ସିଧାସଳଖ ଡିପୋକୁ ଯାଇ ଗ୍ୟାସ ନେଲେ ଡିପୋ ମାଲିକଙ୍କ ଡେଲିଭରି ଟଙ୍କା ବନ୍ଦ ହୋଇଯାଉଛି। ଏଣୁ ଯୋଗାଣ ବିଭାଗ ପକ୍ଷରୁ ଜୟପୁର ସହରେ ଥିବା ସମସ୍ତ ଡିପୋ ଗୁଡିକ ଯାଂଚ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ପିକେପି